ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ‘ଆମେ ଭାରତବାସୀ’ତରଫରୁ ସପ୍ତାହବ୍ୟାପୀ ‘ଉଠିବୁ ଆଉ ତୁ କେତେ ଦିନେ’ ଅଭିଯାନ ଆରମ୍ଭ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଦେଶର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ବ୍ୟବସ୍ଥାମାନ ଗୁରୁତର ସଙ୍କଟ ମଧ୍ୟରେ ଗତି କରୁଛି । ନ୍ୟାୟପାଳିକା ଠାରୁ ଆରମ୍ଭ କରି ଅନ୍ୟ ସ୍ୱାଧୀନ ବିଧି ବ୍ୟବସ୍ଥାର ସାମ୍ବିଧାନିକ ସୁରକ୍ଷା ଉପରେ ଆକ୍ରମଣ ବଢିବାରେ ଲାଗିଛି । ଏପରିକିି ସଂସଦୀୟ ବ୍ୟବସ୍ଥା ପରିଚାଳନା ଉପରେ ଏହାର ପ୍ରଭାବ ଘନୀଭୂତ ହୋଇଛି । ଦଳୀୟ ପରିଚାଳନା ପାଇଁ ଇଲେକ୍ଟୋରାଲ ବଣ୍ଡର ପ୍ରଚଳନ ହେତୁ ରାଜନୈତିକ ଦଳର ଆର୍ଥିକ କାରବାରରେ ଅସ୍ୱଚ୍ଛତା ପ୍ରବେଶ କରିବା ସହ ଗଣତନ୍ତ୍ରକୁ ପୁଞ୍ଜିର ନିୟନ୍ତ୍ରଣ ବ୍ୟବସ୍ଥା ଭିତରକୁ ଠେଲିଦେବା ଏବେ ବୈଧ ବ୍ୟବସ୍ଥାରେ ପରିଣତ ହୋଇଛି ।ନବ୍ୟ ଉଦାରବାଦୀ ଓ ଫାସିଷ୍ଟ ଶକ୍ତି ବୃଦ୍ଧି ହେତୁ ଦେଶରେ ଧର୍ମୀୟ ଉତ୍ତେଜନା, ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ, ଦଳିତ, ଆଦିବାସୀ ମହିଳା ହିଂସା ବଢିବାରେ ଲାଗିଛି । ସଂସଦରେ ନାଗରିକ ସଂଶୋଧନ ଆଇନ୍ ଆଣି ସାମ୍ପ୍ରଦାୟିକ ବିଭେଦ, ଉତ୍ତେଜନାକୁ ନିଜେ ସରକାର ହିଁ ପ୍ରୋତ୍ସାହନ ଦେଇଛନ୍ତି ।
ଦେଶର ସବୁଠାରୁ ବଡ଼ ଆକ୍ରମଣ ଆରମ୍ଭ ହୋଇଛି ଅଭିବ୍ୟକ୍ତିର ସ୍ୱାଧୀନତା ଉପରେ । ସରକାର ବ୍ୟବସ୍ଥାକୁ ପ୍ରଶ୍ନ କରୁଥିବା ବ୍ୟକ୍ତି ଏବଂ ସଂଗଠନମାନଙ୍କ ଉପରେ ଆକ୍ରମଣ ଏପରି ତୀବ୍ର ହୋଇଛି ଯେ ସରକାର ଶେଷକୁ ପାର୍ଲାମେଣ୍ଟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବାତିଲ୍ କରିଛନ୍ତି । ଭିନ୍ନ ମତ ବା ଅଭିବ୍ୟକ୍ତିର ସ୍ୱାଧୀନତାକୁ ଆମ ସମ୍ବିଧାନର ସର୍ବୋଚ୍ଚ ଅନୁମୋଦନ ମିଳିଥିବା ବେଳେ କହିବା, ଲେଖିବା, ଓକିଲାତି କରିବା, ଧାର୍ମିକ ଆସ୍ଥା ବିଚାର ଏପରିକି ପିନ୍ଧିବା, ଖାଇବା, ପିଇବାର ବ୍ୟକ୍ତିଗତ ନିଷ୍ପତ୍ତି ଗୁଡ଼ିକୁ ଫାସିଷ୍ଟ ବା ମୌଳବାଦୀ ଶକ୍ତିମାନେ ନିୟନ୍ତ୍ରଣ କରିବା ବେଳେ ଏହି ଅଗଣତାନ୍ତ୍ରିକ ଶକ୍ତିମାନଙ୍କୁ ସ୍ୱେଚ୍ଛାଚାରୀ ହେବାର ସୁଯୋଗ ଦେଉଛି ରାଷ୍ଟ୍ର ବ୍ୟବସ୍ଥା ।
ଦେଶର ଅସମ୍ଭବ ଆର୍ଥିକ ଦୂରାବସ୍ଥା, ସର୍ବବୃହତ୍ ବେକାରୀ ଫଉଜ, ବ୍ୟକ୍ତି ସ୍ୱାଧୀନତାର ଅସହାୟତା ଉପରୁ ସାଧାରଣ ନାଗରିକର ଦୃଷ୍ଟିକୁ ଏଡ଼ାଇବା ପାଇଁ ଫାଶିବାଦୀ ତଥା ମୌଳବାଦୀ ବିଚାରକୁ ସରକାର ଏକ ଅସ୍ତ୍ର ଭାବେ ବ୍ୟବହାର କରିଚାଲିଛନ୍ତି । ସାଧାରଣ ମଣିଷର ଲଢେଇ, ଦେଶର ଖଣିଜ ସମ୍ପଦର ସୁରକ୍ଷା, ପରିବେଶ ସପକ୍ଷବାଦୀ ଆନ୍ଦୋଳନ ଲଢୁଥିବା ଦେଶର ଅନେକ ଅଧ୍ୟାପକ, କବି, ଲେଖକ, ସାହିତ୍ୟିକ, ସାମ୍ବାଦିକ, ଅଧିବକ୍ତା, ରାଜନୈତିକ ଓ ସାମାଜିକ କର୍ମୀମାନେ ବିନା କାରଣରେ ବର୍ଷ ବର୍ଷ ଧରି ଜେଲ୍‌ରେ ସଢୁଛନ୍ତି । ସୁଧା ଭରଦ୍ୱାଜଙ୍କ ଠାରୁ ଆରମ୍ଭ କରି ଆଇନ୍‌ଜୀବୀ ସୁରେନ୍ଦ୍ର ଗାଡ଼ଲିଙ୍ଗ, ଅରୁନ ଫେରିରା, ପ୍ରଫେସର ସୋମା ସେନ, ଭେରନ ଗୋନସେଲଭେସ୍‌, ମହେଶ ରାୱତ, କବି ଭରଭରା ରାଓ, ଗୌତମ ନବଲଖା, ସୁଧୀର ଧାବଲେ, ରାଣା ୱିଲସନ, ପ୍ରଫେସର ଆନନ୍ଦ ଟେଲଟୁମଡ଼େ, ଡିଏନ୍ ସାଇବାବା ଏମାନଙ୍କର ତାଲିକା ଏବେ ଲମ୍ବିବାରେ ଲାଗିଛି ।
ଆଜକୁ ତିନିବର୍ଷ ତଳେ ୨୦୧୭ ମସିହା ସେପ୍ଟେମ୍ବର ୫ ତାରିଖରେ ଗୌରୀ ଲଙ୍କେଶ ନାମକ ଜଣେ ସାମ୍ବାଦିକାଙ୍କୁ ବାଙ୍ଗାଲୋରଠାରେ ନିଜକୁ ହିନ୍ଦୁତ୍ୱବାଦୀ କହୁଥିବା କିଛି ବ୍ୟକ୍ତି ହତ୍ୟା କରିଥିଲେ । ଘଟଣା ଏପରି ଥିଲା ଯେ ତାଙ୍କ ହତ୍ୟାର ସମର୍ଥନରେ ଅତ୍ୟନ୍ତ ଅଶାଳୀନ ଟୁଇଟ୍‌କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଥିଲେ । ଏହା ପୂର୍ବରୁ ଗୋବିନ୍ଦ ପାନ୍‌ସାରେ, ନରେନ୍ଦ୍ର ଡ଼ାଭୋଲକର, ଏମ୍‌.ଏମ୍ କୁଲବର୍ଗୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା ।
ସେପ୍ଟେମ୍ବର ମାସ ୫ ତାରିଖକୁ ଦେଶର ବିଶିଷ୍ଟ ଶିକ୍ଷାବିତ୍ ଡଃ ରାଧାକ୍ରିଷ୍ଣାନଙ୍କ ଜୟନ୍ତୀ ଓ ଗୁରୁ ଦିବସ ଭାବେ ସାରା ଦେଶ ପାଳନ କରେ । ଗୁରୁ ଦିବସରେ ହିଁ ହତ୍ୟା କରାଯାଇଥିଲା ଗୌରୀ ଲଙ୍କେଶଙ୍କୁ । ଦେଶର ଅଭିବ୍ୟକ୍ତିର ସ୍ୱାଧୀନତା ପାଇଁ ଜୀବନ ଦେଇଥିବା ଏବଂ ଲଢେଇ କରୁଥିବା ସମସ୍ତ ବ୍ୟକ୍ତିବିଶେଷ ଓ ସଂଗଠନମାନେ ଏଭଳି ଏକ ଅନ୍ଧକାର ସମୟରେ ସମାଜର ଆଲୋକ ବର୍ତ୍ତିକା । ସେପ୍ଟେମ୍ବର ୫ ତାରିଖରୁ ସପ୍ତାହବ୍ୟାପୀ ସାରା ଦେଶରେ ‘ଅଭିବ୍ୟକ୍ତିର ସ୍ୱାଧୀନତା’, ସାମାଜିକ ନ୍ୟାୟ, ସାମ୍ବିଧାନିକ, ମୌଳିକ ଅଧିକାର ସପକ୍ଷରେ ଆରମ୍ଭ ହୋଇଥିବା ରାଷ୍ଟ୍ରୀୟ ଅଭିଯାନକୁ ସମର୍ଥନ କରି ଆମେ ଭାରତବାସୀ ତରଫରୁ ‘ଉଠିବୁ ଆଉ ତୁ କେତେ ଦିନେ’ ସାରା ଦେଶରେ ଏହା ଏକ ଜାତୀୟ ଅଭିଯାନ ହୋଇଛି । ଆମେ ଭାରତବାସୀ ତରଫରୁ କୋଭିଡ-୧୯ର ସମସ୍ତ କଟକଣଶ ମାନି ଏହାକୁ ପାଳନ କରିବା ପାଇଁ ଆମେ ନିବେଦନ କରୁଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ