ଗଣତନ୍ତ୍ର ରାଷ୍ଟ୍ରରେ ଜନତନ୍ତ୍ର ଶାସନ
ସୁବାସ କୁମାର ତାରଣିଆଁ
ମୋ : ୮୩୨୮୮୪୦୨୧୪
ଗତ ଅଗଷ୍ଟ ୧୫ ତାରିଖରେ ସାରା ଦେଶରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଆଜକୁ ୭୩ ବର୍ଷ ଅର୍ଥାତ୍ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଆମେ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତି ପାଇଥିଲୁ ବୋଲି ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ସଭା ସମିତିରେ ବକ୍ତବ୍ୟମାନ ଶୁଣିବାକୁ ମିଳିଥିଲା । ଭାରତ ଯେତେବେଳେ ଇଂରେଜମାନଙ୍କ କବଳରେ କବଳିତ ଥିଲା, ସେତେବେଳେ ଭାରତୀୟମାନଙ୍କୁ ଇଂରେଜମାନେ ବହୁ ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ଏକଛତ୍ରବାଦ ଶାସନ ଚଳାଇଥିଲେ । ଦିନକୁ ଦିନ ଭାରତୀୟମାନଙ୍କ ପ୍ରତି ଇଂରେଜମାନଙ୍କ ନିର୍ଯ୍ୟାତନା ବଢୁଥିବାର ଦେଖି, ଏଥିରୁ ଦେଶକୁ ମୁକ୍ତ କରିବାକୁ ମହାତ୍ମା ଗାନ୍ଧୀ ଦୀର୍ଘଦିନ ଲଢେଇ କରି ଶେଷରେ ଭାରତକୁ ସ୍ୱାଧୀନତା ଆଣି ଦେଇଥିଲେ । ତେବେ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, ସତରେ କଣ ଆମେ ସ୍ୱାଧୀନ ଭାରତର ଜଣେ ଜଣେ ନାଗରିକ, ସତରେ କଣ ଆମେ ଇଂରେଜମାନଙ୍କ କବଳରୁ ମୁକ୍ତି ପାଇ ସ୍ୱାଧୀନତାର ସ୍ୱାଦ ଚାଖିଛୁ । କାହିଁକିନା ସ୍ୱାଧୀନତାର ୭୩ ବର୍ଷ ପରେ ମଧ୍ୟ ସାଧାରଣ ଜନତା ସେମାନଙ୍କ ମୌଳିକ ସୁବିଧାରୁ ବଞ୍ôଚତ । ବାହୁବଳ, ଅର୍ଥବଳ ଓ ରାଜନୀତି ଖେଳ, ଏହି ତିନୋଟି ନୀତି ଆଜି ଜନସାଧାରଣଙ୍କ ପାଇଁ କାଳ । ଫଳରେ ଆମେ ବ୍ରିଟିଶମାନଙ୍କ କବଳରୁ ମୁକ୍ତି ପାଇଥିଲେ ମଧ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରାଧୀନତାର ପଞ୍ଜୁରୀ ଭିତରେ ଥିବାଭଳି ଅନୁଭୂତ ହେଉଛି । ଗରିବ ଲୋକଟିଏ ତାର ମୌଳିକ ସୁବିଧା ପାଇବାକୁ ହେଲେ କାହା ପାଖରେ ଗୋଡ଼ଭାଙ୍ଗି ଛିଡ଼ା ହେବାକୁ ପଡ଼ୁଛି । ଶିକ୍ଷିତ ତଥା ମେଧାବୀ ଯୁବକଟିଏ ସମସ୍ତ ପ୍ରକାର ଯୋଗ୍ୟତା ଥାଇ ଚାକିରୀ ଖଣ୍ଡେ ପାଇବାକୁ ହେଲେ ମୋଟା ଅଙ୍କର ଉତ୍କୋଚ ଦେବାକୁ ପଡୁଛି । ପ୍ରତିଟି କ୍ଷେତ୍ରରେ ରାଜନୈତିକ ଚାପର ସମ୍ମୁଖୀନ ହେବାକୁ ପଡ଼ୁଛି । ଦୁର୍ନୀତି ବିରୁଦ୍ଧରେ ଯେଉଁମାନେ ଲଢେଇ କରୁଛନ୍ତି, ଲୋକମାନଙ୍କ ସୁଖଦୁଃଖରେ ଭାଗୀ ହୋଇ ସେମାନଙ୍କର ସମସ୍ୟାର ସମାଧାନ କରୁଛନ୍ତି, ସେମାନଙ୍କୁ କିଛି ଅସାଧୁ ରାଜନେତା, ଉଚ୍ଚପଦସ୍ଥ ଅଫିସର ଓ ଗୁଣ୍ଡାଶ୍ରେଣୀର ଲୋକମାନେ ନିଜର ସ୍ୱାର୍ଥହାନୀ ଯୋଗୁଁ ସେମାନଙ୍କ କାମରେ ବାଧା ସୃଷ୍ଟି କରୁଛନ୍ତି । ପ୍ରତିବାଦ କଲେ ସେମାନଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ କରାଯାଉଛି ଓ ଅନେକ କ୍ଷେତ୍ରରେ ସେମାନଙ୍କୁ ନିଜ ଜୀବନ ହରାଇବାକୁ ପଡ଼ୁଛି ଯାହା ଆମ ଦେଶରେ ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି ।
ଏହିଭଳି ଘଟଣାକୁ ନେଇ ଅନେକ ଚଳଚ୍ଚିତ୍ର କାହାଣୀ ମଧ୍ୟ ନିର୍ମାଣ ହୋଇଛି ଯାହା ଲୋକମାନଙ୍କ ଉପରେ ଘୋର ପ୍ରଭାବ ପକାଇଛି । ଜଣେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଲୋକନାଥ ଦାସଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟଣା ଘଟିଛି । ଲୋକନାଥ ଦାସ ଥିଲେ ଜଣେ ଆଦର୍ଶ ତଥା ଛାତ୍ରବତ୍ସଳ ଶିକ୍ଷକ । ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଢିବାରେ ସେ ଥିଲେ ବେଶ୍ ପାରଙ୍ଗମ । ସେଥିପାଇଁ ସ୍କୁଲ୍ର ସବୁ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକମାନେ ସମସ୍ତେ ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ ମଧ୍ୟ ଦେଉଥିଲେ । ସେଥିପାଇଁ ଲୋକନାଥ ସାର୍ଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଏକଦା ସ୍କୁଲ୍ରେ ପରୀକ୍ଷା ଚାଲିଥିବା ସମୟରେ ସ୍ଥାନୀୟ ଜଣେ ମନ୍ତ୍ରୀଙ୍କ ପୁଅ ପରୀକ୍ଷାରେ କପି କରୁଥିବାର ଦେଖି ଲୋକନାଥ ସାର୍ ମନ୍ତ୍ରୀଙ୍କ ପୁଅଠାରୁ କପି ଜବତ କରିଥିଲେ ଏବଂ ପରୀକ୍ଷାରେ କପି ନ କରି, ପାଠ ପଢି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଖବର ମନ୍ତ୍ରୀଙ୍କ ପାଖରେ ପହଞ୍ôଚବା ପରେ ଏହାର ଭୟଙ୍କର ପରିଣତି ଲୋକନାଥ ସାର୍ଙ୍କୁ ଭୋଗିବାକୁ ପଡ଼ିଥିଲା । ତାଙ୍କୁ ସୁଜନପୁର ନାମକ ଏକ ସମ୍ବେଦନଶୀଳ ତଥା ଉତ୍ତେଜନାପ୍ରବଣ ଅଞ୍ଚଳକୁ ବଦଳି କରି ଦିଆଯାଇଥିଲା ଯେଉଁ ଅଞ୍ଚଳରେ ରାକା ବୋଲି ଏକ ଦୁର୍ଦ୍ଦାନ୍ତ ଅପରାଧୀ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ରହି ଆଖପାଖ ୫୦ଟି ଗାଁରେ ନିଜର ଅପରାଧ ସାମ୍ରାଜ୍ୟ ଚଳାଇ ଆସୁଥିଲା । ଏପରିକି ଉକ୍ତ ଅଞ୍ଚଳର ଲୋକମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ନିଜ ଗାଁରେ ଥିବା ସରକାରୀ ଜମିରେ ଦୋକାନ ଖଣ୍ଡିଏ କରିବାକୁ ହେଲେ ରାକା ନାଁରେ ହିଁ ଦୋକାନ ଖୋଲିବାକୁ ହୁଏ ଓ ମାସିକିଆ ଦାଦାବଟି ଦେବାକୁ ପଡ଼େ । ଯିଏ ଦାଦାବଟି ଦେବାକୁ ଅକ୍ଷମ ହେଉଥିଲା, ରାକା ତାକୁ ହତ୍ୟା କରୁଥିଲା । ସେହି ଅଞ୍ଚଳର ଜଣେ ଗରିବ ଲୋକ ଗାଁରେ ଥିବା ନିଜ ପୈତୃକ ଜମିରେ ରାକାର ବିନା ଅନୁମତିରେ ତାଙ୍କ ମାଆଙ୍କ ନାମରେ ଏକ ଜଳଖିଆ ଦୋକାନ ଖୋଲିବାରୁ, ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ରାକା ତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ଓ ଉକ୍ତ ଥାନାର ଇନିସ୍ପେକ୍ଟର ଏହି ଘଟଣାର ତଦନ୍ତ କରିବାରୁ ତାଙ୍କୁ ମଧ୍ୟ ରାକାର ଲୋକମାନେ ହତ୍ୟା କରିଥିଲେ । ଲୋକନାଥ ସାର୍ଙ୍କ ପୁଅ ଜଗନ ଯେ କି ଜଣେ ଶିକ୍ଷିତ ଯୁବକ ଏହି ଘଟଣାକୁ ଘୋର ବିରୋଧ କରୁଥିଲେ ମଧ୍ୟ ବାପାଙ୍କ ଆଦର୍ଶ ଯୋଗୁ ଚୁପ୍ ରହିବାକୁ ବାଧ୍ୟ ହେଉଥିଲେ । ସେହି ଅଞ୍ଚଳରେ ସରକାରୀ ଜାଗାରେ ଜଣଙ୍କ ନାମରେ ଏକାଧିକ ଦୋକାନ ଖୋଲିଥିବାରୁ ଜଣେ ତଦନ୍ତକାରୀ ଅଫିସର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାରୁ ତାଙ୍କୁ ରାକାର ଲୋକମାନେ ହତ୍ୟା କରିବାକୁ ଗୋଡ଼ାଇବାରୁ ଅଫିସର ଜଣକ ନିଜ ଜୀବନ ବଞ୍ଚାଇବାକୁ ଯାଇ ଲୋକନାଥ ସାର୍ଙ୍କ ଘରେ ପଶିଯାଇଥିଲେ । ରାକାର ଲୋକମାନେ ଲୋକନାଥ ସାରଙ୍କ ଘର ଭିତରକୁ ପଶି, ତାଙ୍କର ଜିନିଷ ପତ୍ର ଭାଙ୍ଗି, ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଅଫିସରଜଣଙ୍କୁ ଭିଡ଼ିଆଣି ତାଙ୍କ ଘର ସମ୍ମୁଖରେ ହତ୍ୟା କରିଥିଲେ । ଏହି ଘଟଣା ପରେ ଜଗନ ଆଉ ଚୁପ୍ ନରହି ଏହାର ଦୃଢ ମୁକାବିଲା କରି ରାକାର ଲୋକମାନଙ୍କୁ ପାଲଟା ଆକ୍ରମଣ କରିବାରୁ ତାଙ୍କୁ ମଧ୍ୟ ଏକ ମିଥ୍ୟା ହତ୍ୟାକାଣ୍ଡରେ ଫଶାଇ ଦେଇ ଜେଲ୍କୁ ପଠାଇ ଦିଆଗଲା । ଜଗନର ଏଭଳି ସାହାସିକତା ପଦକ୍ଷେପକୁ ସମର୍ଥନ ଜଣାଇ ଲୋକମାନେ କୋର୍ଟରେ ଜଗନକୁ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିଥିଲେ । ନିର୍ଦ୍ଦୋଷ ପ୍ରମାଣିତ ହେଲା ପରେ ଜଗନ ଦୁର୍ନୀତି ବିରୁଦ୍ଧରେ ଲଢେଇ ଜାରି ରଖି ଶେଷରେ ସବୁଦିନ ପାଇଁ ମନ୍ତ୍ରୀ ଓ ରାକାର ଆତଙ୍କରାଜ ସବୁଦିନ ପାଇଁ ବନ୍ଦ କରିଦେଇଥିଲେ ।
ବାସ୍ତବ କ୍ଷେତ୍ରରେ ମଧ୍ୟ ଏପରି ଅନେକ ଘଟଣା ଲୋକଲୋଚନକୁ ଆସିଛି । ମହାମାରୀ କରୋନା ସମୟରେ ଗୁଜୁରାଟର ସୁରତ ସହରରେ ରାତି କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସ୍ଥାନୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅ ଏବଂ ତାଙ୍କର ୪ଜଣ ସାଙ୍ଗ ଏହାକୁ ଉଲଂଘନ କରି ବିନା ମାସ୍କରେ ବୁଲୁଥିବା ସମୟରେ ସେଠାରେ ନିୟୋଜିତ ଥିବା ମହିଳା କନେଷ୍ଟବଳ ସୁନୀତା ଯାଦବ ସେମାନଙ୍କୁ ଅଟକାଇଥିଲେ ଏବଂ କାହିଁକି ମାସ୍କ ପିନ୍ଧିନାହାଁନ୍ତି ଓ ସାମାଜିକ ଦୂରତ୍ୱ ନିୟମ ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିବାରୁ ଉତ୍ତରରେ ଗାଳି ଶୁଣିଥିଲେ । ଗାଳି ଶୁଣି ମଧ୍ୟ ମନ୍ତ୍ରୀଙ୍କ ପୁଅଙ୍କୁ କ୍ଷମା ନ ମାଗିବାରୁ ସୁରଟ ପୋଲିସ୍ କମିଶନର ଆର.ବି. ବ୍ରହ୍ମଭଟ୍ଟ ଏସ୍.ପି. ସି.କେ. ପଟେଲଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରିବର୍ତ୍ତେ କନେଷ୍ଟବଳ ସୁନୀତାଙ୍କ ବିରେଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାପରେ କନେଷ୍ଟବଳ ଜଣଙ୍କ ତାଙ୍କ ଚାକିରୀରୁ ଇସ୍ତଫା ଦେଇଥିଲେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଏହା ପରେ ସାହସ ହରାଇ ନଥିଲେ ସୁନିତା, ଏକାକୀ ଏହି ଲଢେଢଇ ଜାରି ରଖିବେ ବୋଲି ରୋକଠୋକ କହିଥିଲେ ସୁନୀତା । ଏହି ଘଟଣା ସୋସିଆଲ ମିଡ଼ିଆରେ ଜଣାପଡ଼ିବା ପରେ ସୁନୀତାଙ୍କ ଏହି ସାହସିକତା ପାଇଁ ସାରା ଦେଶରୁ ପ୍ରଶଂସାର ଛୁଅ ଛୁଟିଥିଲା ।
ସେହିପରି ୨୦୧୯, ନଭେମ୍ବର ମାସରେ ହାଇଦ୍ରାବାଦର ଡ଼ାକ୍ତରାଣୀ ପ୍ରିୟଙ୍କା ରେଡ଼ିଙ୍କୁ ଚାରିଜଣ ଯୁବକ ଗଣଦୁର୍ଷ୍କମ ପରେ ପେଟ୍ରୋଲ ଢାଲି ଅତି ବର୍ବୋରଚିତ ଭାବେ ପୋଡ଼ି ମାରିଦେବା ଘଟଣା ଥିଲା ଅତି ନିନ୍ଦନୀୟ । ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା । କିନ୍ତୁ ଖୁବ୍ ଶୀଘ୍ର ସେମାନଙ୍କୁ ଏନ୍କାଉଣ୍ଟ କରି ମାରି ଦିଆଗଲା । ପୋଲିସ୍ର ଏଭଳି ପଦକ୍ଷେପକୁ ସମସ୍ତେ ସାଧୁବାଦ ଜଣାଇଥିଲେ ମଧ୍ୟ ଏହି ଏନ୍କାଉଣ୍ଟର ପଛରେ କିଛି ଗୂଢ ରହସ୍ୟ ଥିବା ଚର୍ଚ୍ଚା ହୋଇଥିଲା । ଆମ ଦେଶରେ ଅନେକ ଦୁଷ୍କର୍ମ ଓ ହତ୍ୟା ଆଦି ଘଟଣାର ସଠିକ୍ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବହୁ ବର୍ଷ ସମୟ ଲାଗିଥାଏ । ଯାହାର ଜ୍ୱଳନ୍ତ ଉଦାହରଣ ଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ହତ୍ୟାକାଣ୍ଡ ଘଟଣା । ଦୀର୍ଘବର୍ଷ ବ୍ୟବଧାନରେ ହେଲେ ବି ଏହି ଘଟଣାର ରାୟ ପ୍ରକାଶ ପାଇଥିଲା ଏବଂ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା । ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଏନ୍କାଉଣ୍ଟର କରି ମାରି ଦିଆଗଲା । ବିକାଶ ନାମରେ ପୋଲିସ୍, ସାଧାରଣ ଜନତାଙ୍କୁ ହତ୍ୟା କରିବା ଭଳି ସଙ୍ଗୀନ ଅଭିଯୋଗ ଥିଲା । ଏହାପରେ ପୋଲିସ୍ ବିକାଶ ଦୁବେଙ୍କୁ ଗିରଫ କରିଥିଲା ଏବଂ ତାଙ୍କୁ ଗାଡ଼ିରେ ନିଆଯାଉଥିବା ସମୟରେ ଦୁର୍ଘଟଣାରେ ବିକାଶ ଦୁବେର ମୃତ୍ୟୁ ଘଟିଲା ବୋଲି କୁହାଯାଉଥିଲେ ମଧ୍ୟ ଏହା ପଛରେ ଅନ୍ୟ କିଛି ରହସ୍ୟ ଥିଲା ବୋଲି ଆଲୋଚନାରୁ ଜଣାଯାଏ । ସେହିପରି ବଲିଉଡ଼ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା ଉପରୁ ପରଦା ହଟିନଥିବା ବେଳେ ଏହି ଘଟଣାରେ ରେଚକପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିଲା ।ତେଣୁ ଯେତେଦିନ ପର୍ଯ୍ୟନ୍ତ ନିଜର ହକ୍ ଓ ଅଧିକାର ପାଇଁ ମୁହଁ ନଖୋଲିଛ, ସଂଗ୍ରାମ ନକରିଛ, ସେତେଦିନ ପର୍ଯ୍ୟନ୍ତ ରାଜନୀତିରେ ଗୁଣ୍ଡାରାଜ ଚାଲିଥିବ, ଦେଶରେ ଆତଙ୍କରାଜ ଦୁର୍ନୀତି, ବ୍ୟଭିଚାର ବଢିଚାଲିବ ଆଉ ଧର୍ମ ଧର୍ମ ନାଁରେ ଏବଂ ଜାତି ଜାତି ଭିତରେ ହଣାକଟା ଚାଲିଥିବ । ତେଣୁ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ହେଲେ ଜଗନଙ୍କ ଭଳି ଯୁବକ ଓ ସୁନୀତା ଯାଦବଙ୍କ ଭଳି ସାହସୀ କନେଷ୍ଟବଳଙ୍କ ବିକଳ୍ପ ପନ୍ଥା ଆପଣାଇବାକୁ ପଡ଼ିବ ।
କଣ୍ଟି, ବାହାରଣା,
ବାଲିକୁଦା, ଜଗତସିଂହପୁର