ଗଣତନ୍ତ୍ର ର ମୂଳଦୁଆ ହେଉଛନ୍ତି ଭୋଟର : ଜିଲ୍ଲାପାଳ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) :-ଦ୍ୱାଦଶ ଜାତୀୟ ମତଦାତା ଦିବସ-୨୦୨୨ ଗଂଜାମ ଜିଲ୍ଲାସ୍ତରୀୟ ସମାରୋହ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲ୍ଲାପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କହିଥିଲେ ଯେ ବିଶ୍ୱରେ ଭାରତ ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ର । ଭୋଟର ହେଉଛନ୍ତି ଏହାର ମୂଳଦୁଆ । ଭୋଟରଗଣ ଯେତେ ମାତ୍ରାରେ ସୁଦୃୃଢ ହେବେ ଭାରତର ଗଣତନ୍ତ୍ର ସେତେ ମାତ୍ରାରେ ମଜବୁତ ହେବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ସେ ଆହୁରି କହିଥିଲେ ଯେ ସବୁ ମତଦାତା କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ସଚେତନ ସହ ନିଜର ବିବେକକୁ ନେଇ ଭୋଟ ଦାନ କଲେ ଠିକ୍ ପ୍ରତିନିଧି ନିର୍ବାଚିତ ହୋଇପାରିବେ । ଭୋଟର ତାଲିକା ପ୍ରସ୍ତୁତ ଠାରୁ ଆରମ୍ଭ କରି ଭୋଟରଙ୍କ ଘରକୁ ଘର ଯାଇ ଏନେଇ ସଚେତନ କରିଥିବାରୁ ଏବଂ ଏହାର ସଫଳତା ମିଳୁଥିବାରୁ ବୁଥ୍ ସ୍ତରୀୟ ଅଫିସର ମାନଙ୍କୁ ଜିଲାପାଳ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପ୍ରଥମ କରି ଭୋଟର ତାଲିକାରେ ନାଁ ସଂଯୋଗ କରିଥିବା ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଏଥିରେ ଯୋଗଦେଇ ସମସ୍ତ ଭୋଟର ନିଜର ମତଦାନ ସାବ୍ୟସ୍ତ କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ଏବଂ ଏହାଦ୍ୱାରା ଏହାର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏଥିରେ ସଂଯୋଜନା କରିବା ସହ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ସମ୍ପର୍କରେ ଶପଥ ପାଠ କରାଇଥିଲେ । ଆସିଷ୍ଟାଟ କଲେକ୍ଟର (ନିର୍ବାଚନ) ଏମ୍. ପ୍ରମୋଦ କୁମାର ବେହେରା ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ଧନ୍ୟବାଦ ଦେଇଥିଲେ । ଶ୍ରେଷ୍ଠ ବୁଥ ସ୍ତରୀୟ ଅଫିସର (ବିଏଲଓ) ଭାବେ ଗୋପାଳପୁର ର ଶିକ୍ଷୟତ୍ରୀ ମାମି ନାୟକ, ବ୍ରହ୍ମପୁର ପୁରୁଣା ତାଲୁକା ସୁବୁଦ୍ଧିଦେବୀ ପିୟୁପିଏସ ର ଅଙ୍ଗନୱାଡି କର୍ମୀ ଅନୀତା କୁମାରୀ ସାହୁ ଓ ଚିକିଟି ବ୍ଲକ ସୁନାପୁର ଉଚ୍ଚପ୍ରାଥମିକ ସ୍କୁଲ ର ଶିକ୍ଷକ ହରି ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଭୋଟର ସଚେତନତା ରଥକୁ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛତ୍ରପୁର ସହରରେ ଏହି ରଥ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା । ପରେ ଜିଲା ର ଅନ୍ୟ ସ୍ଥାନକୁ ମଧ୍ୟ ଉକ୍ତ ରଥ ପରିକ୍ରମା କରିବ ବୋଲି ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ