ଗଣପତିଙ୍କୁ ଜମି ମିଳିଲା; ହେଲେ ଦୁଃଖ ବଢିଲା

ନାଉଗାଁ,(ଓ୍ବାଇଏନ୍ଏସ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ତିରୁଣା ପଂଚାୟତର ଦହିପାଳ ଗ୍ରାମର ବେଲକନ୍ଦା ପଡାରେ ରୁହନ୍ତି ଗଣପତି ଗମାଙ୍ଗୋ । ଆଦବାସୀ ପରିବାର ହୋଇଥିବା ବେଳେ ଭୁମିହୀନ ଅଟନ୍ତି ଗଣପତି । ମୁଣ୍ଡ ଗୁଞିବା ପାଇଁ ଘର ଖଣ୍ଡେ ନଥିବାରୁ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ମୃତିକା ସଂରକ୍ଷଣ କାର୍ଯ୍ୟାଳୟରେ କଷ୍ଟରେ ରହିଥାନ୍ତି । କେତେବେଳେ ଏହି ଘରର ଛାତ ଭୂଷୁଡିବ ତାହା କହି ହେବ ନାହିଁ । ଜମି ଖଣ୍ଡେ ହେଲେ ଘର କରି ରହିବା ଆଶାରେ ଜମି ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଦୀର୍ଘ ଦିନ ପରେ ଗଣପତିଙ୍କ ଗୁହାରୀ ଶୁଣାଗଲା । ତହସିଲ ପକ୍ଷରୁ ବେଲକନ୍ଦା ଠାରେ ତାଙ୍କୁ ୪ଡିସିମିଲ ଜମି ଯୋଗାଇ ଦିଆଯାଇଛି । କିନ୍ତୁ ଜମି ପାଇବା ପରେ ଗଣପତିର ଦୁଃଖ ବଢିବାରେ ଲାଗିଛି । ଘର କରିବା ସ୍ୱପ୍ନ ଏବେ ତାଙ୍କର ମଉଳିବାରେ ବସିଛି । ପ୍ରଶାସନ ପକ୍ଷରୁ ଯେଉଁ ପଟ୍ଟା ଧରାଇ ଦିଆଯାଇଛି ତାହା ଜମି ପରିବର୍ତେ ଏକ ପୋଖରୀ । ସେ ପୋଖରୀକୁ ପୋତି ଘର କରିବା ଗଣପତିଙ୍କ ପାଖରେ ସମ୍ଭବ ନୁହେଁ । କେବଳ ସେତିକି ନୁହେଁ ଦୀର୍ଘ ଦେଢ ବର୍ଷ ହେବ ଜମିପଟ୍ଟା ଦିଆ ଯାଇଥିଲେ ହେଁ ଉକ୍ତ ପ୍ଳଟର ତହସିଲ ପକ୍ଷରୁ କେତେ ପରିସିମାର ଜମି ତାହା ଚିହ୍ନଟ କରାଯାଇନାହିଁ । ଯାହାଫଳରେ ଗଣପତି ବିପର୍ଯ୍ୟସ୍ତ ଘରେ ରହିବାକୁ ବାଧ୍ୟ ହେଉଛି । ଗଣପତିଙ୍କ ପରିବାର କହିଲେ ପତ୍ନୀ ବବିତା,୨ ପୁଅ ବିଶ୍ୱଜିତ ଓ ସୌମ୍ୟରଂଜନ । ଗଣପତିଙ୍କୁ ଯେତେ ବେଳେ୧୩ ବର୍ଷ ବୟସ ହୋଇଥିଲା ସେ ସୁଦୁର କୋରାପୁଟ ଜିଲ୍ଲାରୁ ଆସି ଏହି ଗ୍ରାମରେ ରହିଥିଲେ । ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ହେବ ସେ ଘରକୁ ଯାଇନାହାନ୍ତି । ଏହି ଠାରେ ବିବାହ କରିବା ପରେ ବେଲକନ୍ଦା ଠାରେ ଥିବା ଏକ ବିପର୍ଯ୍ୟସ୍ତ ସରକାରୀ କାର୍ଯ୍ୟାଳୟରେ ରହୁଛନ୍ତି । ବତ୍ୟା କିମ୍ବା ବନ୍ୟା ପାଣି ଆସିଲେ ଗଣପତିଙ୍କ ଦୁଃଖ ବଢିଯାଏ । ଘରେ ପାଣି ଗଳିବା ସହିତ ଚାରି ପଟେ ପାଣି ଜମି ରହେ । ଘରୁ ବାହାରକୁ ବାହାରିବା କଷ୍ଟସାଧ୍ୟ ହୋଇ ପଡେ । କେବଳ ଯେ ଘର ନାହିଁ ତାହା ନୁହେଁ । ଭୋଟର ପରିଚୟପତ୍ର ଓ ଆଧାରରେ ଜନ୍ମ ତାରିଖ ଭୁଲ ଥିବାରୁ ଗଣପତିଙ୍କୁ ୬୦ ବର୍ଷ ପୁରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୋଣସି ଭତା ପାଉ ନାହାନ୍ତି । ସେହିପରି ଆବାସ ଯୋଜନାରେ ଆବେଦନ କରିବାକୁ ଇଚ୍ଛା ଥିଲେ ମଧ୍ୟ ପୋଖରୀ ମଧ୍ୟରେ କିପରି ଘର କରିବେ ତାହା ଜାଣି ପାରୁ ନାହାନ୍ତି । ଜମି ଖଣ୍ଡେ ଯୋଗାଇ ଦେଇ ପ୍ରଶାସନ ଚୁପ ବସିଥିବା ବେଳେ ଗଣପତି ପଟ୍ଟା ଧରି ଭଙ୍ଗା ଘରେ ଆଶ୍ରୟ ନେଇଛନ୍ତି । ତେଣୁ ଗଣପତିଙ୍କୁ ଜମି ଚିହ୍ନଟ କରାଯାଇ ଉକ୍ତ ପୋଖରୀକୁ ପୋତି ହସ୍ତାନ୍ତର କରିବାକୁ ବୁଦ୍ଧିଜୀବ ମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଏବିଷୟରେ ତହସିଲଦାର ଜେ.କଳ୍ପନାଙ୍କୁ ପଚାରିବାରୁ ଗଣପତିଙ୍କୁ ଯେଉଁ ଜମି ଯୋଗାଇ ଦିଆଯାଇଛି ସେ ଜମିକୁ ମୁଁ ତଦନ୍ତ କରିବାକୁ ଯାଇଥିଲେ । ସେହି ସ୍ଥାନଟି ଖାଲ ରହିଛି । ଯେହେତୁ ବର୍ତମାନ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରହିଛି ତାହାକୁ ଆମେ ମାପ କରି ପାରି ନାହୁଁ । ଆନ୍ଦୋଳନରୁ ଓହରି ରାଜସ୍ୱ ନିରିକ୍ଷକ କାର୍ଯ୍ୟରେ ଯୋଗ ଦେବା ପରେ ଆମେ ସେହି ଜମିକୁ ମାପ କରି ମାଟି ପୋତିବାର ବ୍ୟବସ୍ଥା କରିବୁ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ