ଗଣମାଧ୍ୟମର ପ୍ରଭାବ ଭଙ୍ଗା ବିଦ୍ୟୁତ ଖୁଣ୍ଟ ବଦଳିଲା
ହାଟଡ଼ିହି : ଭଙ୍ଗା ବିଦ୍ୟୁତ ଖୁଣ୍ଟକୁ ବାଉଁଶ ଠେକା ଦିଆଯାଇ ବିଦ୍ୟୁତ୍ ଯୋଗାଣ ହେଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ଆଜି ଏହତ ଖୁଣ୍ଟକୁ ପରିବର୍ତ୍ତନ କରାଯାଇଛି । ଯାହା ଦୀର୍ଘ ବର୍ଷେ ହେଲା ହୋଇ ପାରୁନଥିଲା ତାହା ମାତ୍ର କେଇଘଣ୍ଟା ଭିତରେ ହୋଇଯାଇଛି । ସୁଚନାଯୋଗ୍ୟ ଯେ ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶିବନାରାୟଣପୁର ଗ୍ରାମର ମଝିସାହିରେ ଥିବା ଏକ ପୁରୁଣା ବିଦ୍ୟୁତ ଖୁଣ୍ଟର ମୁଳ ନଷ୍ଟ ହୋଇଯିବାରୁ ତାହା ଗତ ବର୍ଷେ ହେଲା ଶୋଇଯାଇଥିଲା । କାହା ଉପରେ କେତେବେଳେ ଖୁଣ୍ଟି ଭାଙ୍ଗି ପଡିବ ଏହି ଆଶଙ୍କାରେ ଗ୍ରାମର କିଛି ବ୍ୟକ୍ତି ଏକ ବାଉଁଶ ଠେକାଦେଇ ଖୁଣ୍ଟଟିକୁ ଅଟକାଇ ରଖି ବିଦ୍ୟୁତ ବିଭାଗର ଅଧିକାରୀଙ୍କୁ ବାରମ୍ବାର ଜଣାଉଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଅଧିକାରୀ ମାନେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଉ ନଥିଲେ । ଟିକେ ପବନ ଟିକିଏ ହେଲେ ଖୁଣ୍ଟଟି ଦୋହଲୁ ଥିବାରୁ କେତେବେଳେ ଯେ କାହା ଉପରେ ପଡି ଧନଜୀବନ କ୍ଷତି ନକରିବ ସେନେଇ ଆଶଙ୍କା ଦେଖା ଦେଇଥିଲା । ଏ ସମ୍ପର୍କରେ ଆଜି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବଞ୍ଚୋ ଗ୍ରାମର ସୁଶାନ୍ତ କୁମାର ବିଶ୍ୱାଳ ନାମକ ଜଣେ ସ୍ୱେଚ୍ଛାସେବୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଶକ୍ତିମନ୍ତ୍ରୀଙ୍କ ସମେତ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କୁ ଟୁଇଟ ଯୋଗେ ଜଣାଇ ପଦକ୍ଷେପ ନେବାକୁ ଦାବି କରିଥିଲେ । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ ମତେ ବିଭାଗୀୟ କର୍ମଚାରୀ ମାନେ ସକାଳେ ପହଞ୍ଚି ଉକ୍ତ ଖୁଣ୍ଟକୁ ହଟାଇ ଅନ୍ୟ ଏକ ଖୁଣ୍ଟଦ୍ୱାରା ବିଦ୍ୟୁତ ଯୋଗାଣ କରିଛନ୍ତି ।