ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ: ମାଲବ୍ୟ

କେନ୍ଦ୍ରାପଡା : ଡିଆରଡିଏ ସମ୍ମିଳନୀ କକ୍ଷଠାରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ତରଫରୁ ଆଂଚଳିକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଛି । କର୍ମଶାଳାକୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସହଯୋଗ ଓ ସୁସମ୍ପର୍କ ଯୋଜନା ପ୍ରଣୟନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଉତ ମତବ୍ୟକ୍ତ କରିଥିଲେ । କର୍ମଶାଳାରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର ଶୈଳେଶ କୁମାର ମାଲବ୍ୟ ସଭାପତିତ୍ୱ କରିଥିଲେ । ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାକୁ ସାଧାରଣ ଜନତାଙ୍କ ପାଖରେ ପହଂଚାଇବାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମାଲବ୍ୟ ମତ ରଖିଥିଲେ । ସେ କହିଥିଲେ ଯେ ଗ୍ରାମାଂଚଳରେ କାର୍ଯ୍ୟକରୁଥିବା ଗଣମାଧ୍ୟମର ପ୍ରତିନିଧିମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବାରେ ଉଲ୍ଲେଖନୀୟ ଅବଦାନ ଦେଇଥାନ୍ତି । ବିଭିନ୍ନ ଯୋଜନାର ସୁଫଳ କିପରି ଲୋକମାନେ ପାଇବେ ସେ ସମ୍ପର୍କରେ ସେମାନଙ୍କର ଲେଖା ଓ ରିପୋର୍ଟ ଯଥେଷ୍ଟ ସହାୟକ ହୋଇଥାଏ । ଏପରିକି କାର୍ଯ୍ୟକ୍ରମ ରୂପାୟନ କ୍ଷେତ୍ରରେ ରହିଥିବା ତ୍ରୁଟି ବିଚ୍ୟୁତିକୁ ମଧ୍ୟ ସେମାନେ ଲେକଲୋଚନକୁ ଆଣି ପ୍ରଶାସନକୁ ସଜାଗ ଓ ପାରଦର୍ଶୀ କରାଇଥାନ୍ତି । ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ଗ୍ରାମୀଣ ସାମ୍ବାଦିକମାନେ ସମୃଦ୍ଧ କରିଥାନ୍ତି ବୋଲି ଅତିରିକ୍ତ ମହାନିର୍ଦ୍ଦେଶକ ମାଲବ୍ୟ କହିଥିଲେ । ଜନ ସଚେତନତା ସୃଷ୍ଟି କରିବାରେ ସୋସିଆଲ ମିଡିଆ ଓ ପ୍ରଯୁକ୍ତିର ବ୍ୟବହାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ମଧ୍ୟ ମାଲବ୍ୟ ଚର୍ଚ୍ଚା କରିଥିଲେ । କର୍ମଶାଳାରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ଏସଡିଓ ବିଜୟ କୁମାର କର ସ୍ୱଚ୍ଛ ଭାରତ ଅଭିଯାନ (ଗ୍ରାମୀଣ), ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ମୃତିକା ସ୍ୱାସ୍ଥ୍ୟକାର୍ଡ, ନିମଯୁକ୍ତ ୟୁରିଆ ଯୋଗାଣ, ପିଏମ କିଷାନ ଯୋଜନା, ଓରମାସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୀଷ କୁମାର ରାଉଳ ସ୍କିଲ ଇଣ୍ଡିଆ ଓ ପ୍ରଧାନମନ୍ତ୍ରୀ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ବିକାଶ ଯୋଜନା ଏବଂ ସତ୍ୟଭାମା ପ୍ରଧାନ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଓ ମହିଳା ସଶକ୍ତିକରଣ ଉପରେ ଆଲୋକପାତ କରିଥିଲେ । ପତ୍ର ସୂଚନା କାର୍ଯ୍ୟାଳୟ ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କର୍ମଶାଳାକୁ ପରିଚାଳନା କରିଥିଲେ । ଚୌଧୁରୀ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ ଓ ବାର୍ତାଳାପର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ସେ ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯଥା : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ଇଣ୍ଡିଆ, ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଓ ଉଜ୍ଜ୍ୱଳା ଯୋଜନା ଯୋଜନା ଆଦି ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡାର ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ । ଦିନିକିଆ କର୍ମଶାଳାରେ କେନ୍ଦ୍ରାପଡାର ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଓ ନିଜ ମତାମତ ରଖିଥିଲେ । ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ମଧ୍ୟରେ ମତବିନିମୟ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ