ଗଣିତ ଅଧ୍ୟାପକଙ୍କ ଦ୍ଵାରା ମାଆଙ୍କ ମୃତ ଶରୀରକୁ ମେଡିକାଲ କଲେଜକୁ ଦାନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ପାରଳାଖେମୁଣ୍ଡି ସ୍ଥିତ ଏସକେସିଜି କଲେଜର ଗଣିତ ବିଭାଗର ସହକାରୀ ପ୍ରଫେସର ଡ଼ଃ ଅଶ୍ଵିନୀ ରାଉତଙ୍କ ମାଆ ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ ଖଲିଙ୍ଗି ଗ୍ରାମର ଚନ୍ଦ୍ର ରାଉତଙ୍କ ଆଜି ସକାଳେ ୭୩ ବର୍ଷ ବୟସରେ ସ୍ଥାନୀୟ ଗୌତମ ନଗର ସ୍ଥିତ ବାସଭବନରେ ହୃଦଘାତରେ ଦେହାନ୍ତ ହେବା ପରେ ସେ ମାଆଙ୍କ ମରଶରୀରକୁ ଏମକେସିଜି ମେଡିକାଲ କଲେଜକୁ ଦାନ କରିଛନ୍ତି । ମେଡିକାଲ କଲେଜରେ ଅଧ୍ୟୟନରତ ଡାକ୍ତରୀ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ ଉଚ୍ଚତର ଗବେଷଣା ପାଇଁ ଉପଯୋଗର ମହତ୍ ଉଦ୍ଦେଶ୍ୟ ନେଇ ମାଆଙ୍କ ଶରୀର ଦାନ କରିବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି । ତେବେ ରାଜ୍ୟରେ ଶରୀରଦାନ କ୍ଷେତ୍ରରେ ବ୍ରହ୍ମପୁର ପୁଣି ଥରେ ଅଗ୍ରଣୀ ଭୂମିକା ନେଇଥିବା ଜଣାପଡିଛି ‌। ଆଜିକୁ ମିଶାଇ ମେଡିକାଲ କଲେଜର ଇତିହାସରେ ଏଯାଏଁ ମୋଟ ୨୧ ଟି ମୃତଶରୀର ଦାନ କରାଯାଇଥିବା ବେଳେ ଚଳିତ ବର୍ଷର ଏହା ହେଉଛି ପଞ୍ଚମ ଶରୀରଦାନ ।ମାନବବାଦୀ ହେତୁବାଦୀ ସଂଗଠନର ସହଯୋଗ ଓ ପ୍ରେରଣାରେ ହିଁ ମାଆ ଚନ୍ଦ୍ର ରାଉତଙ୍କ ଶରୀରଦାନ କରିବାକୁ ଉତ୍ସାହିତ ହୋଇଛନ୍ତି ବୋଲି ଅଧ୍ୟାପକ ରାଉତ କହିଛନ୍ତି । ବିଜ୍ଞାନର ଛାତ୍ର ଭାବେ ସେ ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ଦୂରେଇବା ପାଇଁ ନିଜେ ଚେଷ୍ଟା କରିବା ସହ ତାଙ୍କର ଏହି ପଦକ୍ଷେପ ସମାଜରେ ଅନ୍ୟମାନଙ୍କୁ ବି ସେପରି କରିବା ପାଇଁ ଉତ୍ସାହିତ କରିବ ବୋଲି ବି ଆଶା ରଖିଛନ୍ତି । ବିଶେଷ କରି ସମାଜରେ ରକ୍ତଦାନ, ଅଙ୍ଗଦାନ ଓ ଶରୀରଦାନର ଅତ୍ୟନ୍ତ ଆବଶ୍ୟକତା ରହିଥିବା ବେଳେ ଲୋକଙ୍କ ଭିତରେ ରହିଥିବା ବିଭିନ୍ନ ଅବୈଜ୍ଞାନିକ ବିଶ୍ୱାସ ଓ ରୁଢିବାଦୀ ଚିନ୍ତାଧାରା ଏଥିରେ ପ୍ରତିବନ୍ଧକ ହୋଇଆସିଛି ବୋଲି ସେ କହିଛନ୍ତି । ରାଜ୍ୟର ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ ପାଇଁ ମଣିଷର ମୃତ ଶରୀର ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ଉପଯୁକ୍ତ ତଥା ଅକ୍ଷତ ମରଶରୀର ନମିଳିବା କାରଣରୁ ଅନେକ ଥର ପିଲାଙ୍କ ପାଠପଢା ମାସ ମାସ ଧରି ବିଳମ୍ବିତ ହେଉଥିବା ଜଣାପଡ଼ିଛି ।ଆଜି ଶରୀରଦାନ ସମୟରେ ଏମକେସିଜି ମେଡିକାଲ କଲେଜର ଆନାଟୋମି ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡ଼ାଃ ସାଗର ପୃଷ୍ଟି, ଡାଃ ପ୍ରିତମ ପ୍ରତ୍ୟୁଷ ଦାସ, ଡ଼ାଃ ସନ୍ତୋଷ ତନୟ ମହାପାତ୍ର ଓ ଅନ୍ୟ କର୍ମଚାରୀମାନେ ଶରୀର ଦାନ ବେଳେ ଉପସ୍ଥିତ ରହି ମୃତଶରୀରକୁ ଗ୍ରହଣ କରିଥିଲେ ।ଶରୀରଦାନ ସମୟରେ ଚନ୍ଦ୍ର ରାଉତଙ୍କ ଦୁଇ ପୁଅ କୋରା ରାଉତ ଓ ଅଶ୍ୱିନୀ ରାଉତ, ନାତି ଆଲୋକ ରାଉତ, ଅଶୋକ ସ୍ୱାଇଁ, ସମୀର ଶିଅ, ପୂର୍ବତନ ସରପଞ୍ଚ ସଞ୍ଜୟ କୁମାର ରାଉତ, ସୁନୀଲ ରାଉତ, ସିମାଞ୍ଚଳ ପ୍ରଧାନ, ଜ୍ବାଇଁ ଟୁନା ଶିଅ, ଚିତ୍ରସେନ ରାଉତ, ଭାଗିରଥି ସେଠୀ, ଅଙ୍ଗଦ ପ୍ରଧାନ, ସୁମନ ମହାନ୍ତି ପ୍ରମୁଖ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମାନବବାଦୀ ହେତୁବାଦୀ ସଂଗଠନର ଗଞ୍ଜାମ ଜିଲ୍ଲା ସଭାପତି ଇ.ଟି.ରାଓ, ଜାମୁଲା ସୁରେଶ, ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶ୍ରମିକ ନେତା ତଥା ଆଇଏଫଟିୟୁ ସଭାପତି ପ୍ରତାପ ପ୍ରଧାନ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ, ରଜନୀକାନ୍ତ ବକ୍ସି, ସ୍ଵେଚ୍ଛାକୃତ ରକ୍ତଦାତାମାନଙ୍କ ସଂଘର ସଭାପତି ରମାକାନ୍ତ ରଥ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ । ଶେଷରେ ସମାଜ ପାଇଁ ଏହି ମହତ୍ କାର୍ଯ୍ୟ କରିବାକୁ ସମ୍ମତି ଜଣାଇଥିବାରୁ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଅଧ୍ୟାପକ ଅଶ୍ଵିନୀ ରାଉତ, ତାଙ୍କ ବଡ ଭାଇ କୋରା ରାଉତ ଓ ପରିବାର ସମସ୍ତ ଲୋକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ