ଗଣେଶ ପୂଜା କମିଟି ବୈଠକ: କଡାକଡି ହେବ ଶବ୍ଦ ପ୍ରଦ୍ୟୁଷଣ ନିୟମ
ବାଲେଶ୍ୱର : ସେପ୍ଟେମ୍ବର ୨ ତାରିଖରେ ହେବାକୁ ଥିବା ସାର୍ବଜନୀନ ଗଣେଶ ପୂଜା ନିମନ୍ତେ ବାଲେଶ୍ୱର ସହରରେ କିପରି ଶାନ୍ତି ଓ ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ମଞ୍ଚାସୀନ ଥିବା ବେଳେ ସହରର ସମସ୍ତ ଗଣେଶ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ବୈଠକରେ ପୂର୍ବ ବର୍ଷର ଆୟୋଜିତ ବୈଠକର ବିବରଣୀ ପାଠ କରାଯାଇ ସେଥିରେ ଯେଉଁ ସବୁ ସମସ୍ୟା ରହିଛି ତା ଉପରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ କିଛି ସଦସ୍ୟ ସ୍ଥାନୀୟ ବିଧାୟକଙ୍କୁ କାହିଁକି ବୈଠକକୁ ଡକା ଯାଉନାହିଁ ବୋଲି ପ୍ରଶ୍ନ ପଚାରି ତାଙ୍କ ଅସନ୍ତୋଷ ପ୍ରକାଶ ପୂର୍ବକ ବୈଠକରୁ ବାହାରିଯାଇଥିଲେ । ତେବେ ଏହା ସରକାରୀ ବୈଠକ ଏବଂ ଏଥିରେ କେବଳ ଆଇନ ଶୃଙ୍ଖଳା ବିଷୟ ସହିତ କେତେକ ନୀତି ନିୟମ ଉପରେ ଆଲୋଚନା କରାଯାଉଥିବା ହେତୁ ବିଧାୟକଙ୍କ ଉପସ୍ଥିତିର ଆବଶ୍ୟକତା ନ ଥିବା ପ୍ରକାଶ କରାଯାଇଥିଲା । ଆଲୋଚନା ଅନୁଯାୟୀ ପୂର୍ବ ବର୍ଷ ଭଳି ଚଳିତ ଥର ପୂଜା ପେଣ୍ଡାଲ ପାଇଁ ଆପତ୍ତିବିହୀନ ପ୍ରମାଣ ପତ୍ର ପ୍ରଦାନ ସକାଶେ ଆସନ୍ତା ଅଗଷ୍ଟ ୨୯ ଓ ୩୦ ତାରିଖ ଦୁଇଦିନ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସିଙ୍ଗିଲ ୱିଣ୍ଡୋ କାର୍ୟ୍ୟକାରୀ ହେବ । ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସେପ୍ଟେମ୍ବର ୪ ଓ ୫ ତାରିଖ ଦୁଇ ଦିନ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ ବର୍ଷ ପୂଜା ପେଣ୍ଡେଲଗୁଡିକ ରାସ୍ତାର ଧବଳରେଖା ଯେପରି ଅତିକ୍ରମ କରି ଟ୍ରାଫିକ୍ ଯାତାୟତରେ ସମସ୍ୟା ସୃଷ୍ଟି ନ କରେ ସେଥିପ୍ରତି ଦୃଷ୍ଟି ଦେବାକୁ ସବୁ ପୂଜା କମିଟିକୁ ତାଗିଦ୍ କରାଯାଇଚି । ବିଶେଷ ଭାବେ ପେଣ୍ଡାଲ ନିର୍ମାଣ ବେଳେ ଅଗ୍ନିଶମ ବିଭାଗ ଦ୍ୱାରା ଜାରୀ ନିୟମାବଳୀର ପାଳନ କରିବାକୁ କୁହାଯାଇଛି । ସେହିପରି ବିଜୁଳି ସୁରକ୍ଷା ପ୍ରମାଣପତ୍ର ନିମନ୍ତେ ୧୦୦ ଟଙ୍କା ଏବଂ ବିଜୁଳି ଖର୍ଚ୍ଚ ବାବଦକୁ ୧୦୦୦ ଟଙ୍କା ନେବାକୁ ବିଭାଗ ନିଷ୍ପତି ଗ୍ରହଣ କରିଛି । ବ୍ୟବହାର କରାଯାଉଥିବା ଡି.ଜେ.ଗୁଡିକୁ ୬୫ ଡେସିବାଲ ମଧ୍ୟରେ ରଖିବା ଏବଂ ଏଥିରେ କେବଳ ୪ଟି ସ୍ପିକର ଏବଂ ୨ଟି ସାଉଣ୍ଡ ବକ୍ସ ରଖିବାକୁ କୁହାଯାଇଛି । କାଳୀମନ୍ଦିରଠାରୁ ସିନେମା ଛକ ଓ ସିନେମା ଚକଠାରୁ ଫକୀର ମୋହନ କଲେଜ ଛକ ଯାଏଁ ରାସ୍ତାକୁ ନୀରବ ଅଞ୍ଚଳ ଘୋଷଣା କରାଯାଇଛି । ପରେ ଶାନ୍ତି ଶୃଙ୍ଖଳା ସହ ପୂଜା ସମାପନ କରିବାରେ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା ।