ଗଣେଶ ପୂଜା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆସନ୍ତା ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିବା ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଭ୍ୟମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପୂଜାକୁ ଶାନ୍ତି, ଶୃଙ୍ଖଳା ଓ ଧୂମ୍ ଧାମ୍‌ରେ ପାଳନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ମୂର୍ତ୍ତିଗୁଡିକୁ ନିର୍ଦ୍ଧିଷ୍ଟ ଉଚ୍ଚର କରିବା ସହ ଗଠନ ସମୟରେ ପ୍ଲାଷ୍ଟର୍ ଅଫ୍ ପ୍ୟାରିସ୍ ବ୍ୟବହାର ନ କରିବା, ୬୫ ଡେସିବଲ୍‌ରୁ କମ୍ ସାଉଣ୍ଡ୍ ସିଷ୍ଟମ୍ ବ୍ୟବହାର କରିବା, ମେଲୋଡି ସମୟରେ ଅଶ୍ଳୀଳ ନାଚ ଗୀତର ବ୍ୟବସ୍ଥା ନ କରିବା, ରାତି ୧୦ଟା ପରେ ଗୀତ ବନ୍ଦ କରିବା, ପୂଜା ପେଣ୍ଡାଲ୍‌କୁ ପରିଷ୍କାର ପରିଚ୍ଛନ୍ନ ରଖିବା ଆଦି ବିଷୟରେ ସମସ୍ତ ପୂଜା କମିଟିର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଅଶ୍ଳୀଳ ନାଚ ଓ ଗୀତ ପୂଜା ସମୟରେ ଆମ ସଂସ୍କୃତିର ପରିପନ୍ଥୀ । ତେଣୁ ଆମେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାର ସଂସ୍କୃତିକୁ ଉଜ୍ଜୀବିତ କରି ରଖିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ୭ ତାରିଖରେ ଗଣେଶ ପୂଜା ହେବ । ୧୧ ତାରିଖରେ ବିସର୍ଜନ ଓ ୧୨ ତାରିଖରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ତେଣୁ ୭, ୧୧ ଓ ୧୨ ତାରିଖରେ କେନ୍ଦ୍ରାପଡା ସହରରେ ମଦ ଦୋକାନ ଖୋଲା ରହିବ ନାହିଁ । ପୂଜା କମିଟିର ସଦସ୍ୟମାନେ ଭସାଣୀ ସମୟରେ ଡି.ଜେ. ବଜାଇବେ ନାହିଁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ୬୫ ଡେସିବଲ୍‌ରୁ ଉଚ୍ଚ ଶବ୍ଦ ବ୍ୟବହାର କରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନକୁ ପ୍ରତିଶ୍ରୁତି ଦେଇଥିଲେ । ରାସ୍ତାଘାଟ ମରାମତି, ପରିଷ୍କାର ଓ ପରିଚ୍ଛନ୍ନ ଏବଂ ରାସ୍ତାରୁ ହୋର୍ଡ଼ିଂ ହଟାଇବାକୁ ପୂଜା କମିଟି କର୍ମକର୍ତ୍ତାମାନେ ପ୍ରଶାସନକୁ ଅନୁରୋଧ କରିଥିଲେ । ଗଣେଶ ପୂଜାରେ ମୋଟ ୨୯ଟି ମେଢ଼ରୁ ୨୭ ଗୋଟି ମେଢ଼ ଭସାଣୀରେ ଭାଗ ନେବେ ବୋଲି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ଟ୍ରାଫିକ୍ ନିୟନ୍ତ୍ରଣ, ଚୋରି ଓ ଶାନ୍ତି ଶୃଙ୍ଖଳା ପ୍ରତି ଧ୍ୟାନ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ ମତ ରଖିବା ସହ ପୂଜା କମିଟିର ସଦସ୍ୟ ମାନେ କୌଣସି ଅପ୍ରୀତିକର ପରିସ୍ଥିତିରେ ଆଇନ୍‌କୁ ହାତକୁ ନ ନେଇ ପୋଲିସର ସହାୟତା ନେବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି ବୈଠକରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, କେନ୍ଦ୍ରାପଡା ଏସ୍‌.ଡି.ପି.ଓ. ଦେବେନ୍ଦ୍ର ମଲିକ, (ଡି.ଆଇ.ବି.) ଡି.ଏସ୍‌.ପି. ଲକ୍ଷ୍ମୀନାରାୟଣ ତିୱାରୀ, କେନ୍ଦ୍ରାପଡା ତହସିଲଦାର ତାପସ ଦେହୁରୀ, କେନ୍ଦ୍ରାପଡା ବି.ଡି.ଓ.ବନ୍ଦନା ଖଟୁଆ, ଡେପୁଟି କଲେକ୍ଟର ପଲ୍ଲବୀ ପ୍ରିୟଦର୍ଶିନୀ, ଟାଉନ୍ ଥାନା ଅଧିକାରୀ ଦିଲ୍ଲୀପ କୁମାର ସାହୁ, କେନ୍ଦ୍ରାପଡ଼ା ପୌରପରିଷଦର ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ବିଭିନ୍ନ ପୂଜା କମିଟିର ସଭାପତି/ସମ୍ପାଦକ/ସଦସ୍ୟ ମାନେ ଯୋଗ ଦେଇଥିଲେ । ଶେଷରେ ଉପ-ଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ପୂଜା କମିଟିର ସହଯୋଗ କାମନାକରି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ