ଗଣ୍ଡାକିଆ ରାସ୍ତା ନିମ୍ନମାନର ଅଭିଯୋଗ : ନୂତନ ଠିକାଦାର ନିଯୁକ୍ତି ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ-୧ଅଧିନସ୍ଥ ନିର୍ମାଣାଧିନ ଗରାପୁର- ଗଣ୍ଡାକିଆ ରାସ୍ତା ଅତ୍ୟନ୍ତ ନିମ୍ନମାନର ହେଉଥିବା ବେଳେ ଧାର୍ଯ୍ୟ ଗୁଣବତ୍ତା ସାମଗ୍ରୀ ବ୍ୟବହାର ହେଉନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ ଭି.ଆଇ.ପି. ରୋଡ ଠାରୁ କାଳି ମନ୍ଦିର, ସାନ୍ତସାହି ଦେଇ କେନାଲ ରୋଡରେ ଗଣ୍ଡାକିଆ ଯାଇଥିବା ୧୨ କିଲୋମିଟର ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେହି ରାସ୍ତା ଦେଇ ଜିଲ୍ଲାର ଅର୍ଦ୍ଧାଧିକ ଲୋକ, ସ୍କୁଲ, କଲେଜର ଛାତ୍ରଛାତ୍ରୀ, ଡାକ୍ତରଖାନା, କେନ୍ଦ୍ରାପଡା ବ୍ଲକ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ଅଦାଲତ ପ୍ରଭୃତିକୁ ଯାତାୟତ କରିଥାନ୍ତି । ଏଥିସହିତ କଟକ ଏବଂ ଭୁବନେଶ୍ୱରରୁ ପଟ୍ଟାମୁଣ୍ଡାଇ, ରାଜନଗର, ମହାକାଳପଡା ବ୍ଲକ ସମେତ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ଟି ପଞ୍ଚାୟତର ଅଧିବାସୀମାନେ ବସ, ବାଇକ, କାର ପ୍ରଭୃତିରେ ଯାତାୟତ କରିଥାନ୍ତି । ଏହାବ୍ୟତିତ ଏହି ରାସ୍ତା ଦେଇ ଦୈନିକ ଶହ ଶହ ମାଲ ବୋଝେଇ ଟ୍ରକ ଯାତାୟତ କରିଥାଏ । କିନ୍ତୁ ଅପ୍ରଶସ୍ତ ଏବଂ ନିମ୍ନମାନର କାର୍ଯ୍ୟ ଯୋଗୁଁ ଦୀର୍ଘବର୍ଷ ହେବ ସେହି ରାସ୍ତାଟି ମରଣଯନ୍ତା ପାଲଟିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ଡିଭିଜନ- ୧ ପକ୍ଷରୁ ସେହି ରାସ୍ତାର ପ୍ରଶସ୍ତିକରଣ ଓ ଉନ୍ନତିକରଣ ପାଇଁ ୯୭୮. ୮୦ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳରେ ମୋଟ ୧୨କିଲୋମିଟର ୪୦୫ମିଟର ରାସ୍ତା ନିର୍ମାଣ ନିମନ୍ତେ ଏବେ ଠିକାଦାରଙ୍କୁ କାର୍ଯ୍ୟନିର୍ବାହ ନିମନ୍ତେ ନିର୍ଦେଶ ଦିଆଯାଇଛି । କିନ୍ତୁ ସଂପୃକ୍ତ ଠିକାଦାର ବିଭାଗର ଅଟ୍ଟକଳ ଅନୁଯାଇ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ରେ ୧ମିଟର ଲେଖାଁଏ ସିମେଣ୍ଟ ବଜୁରୀ(୮ଇଞ୍ଚର) ଲଗାଯିବାକୁ ଥିବା ବେଳେ ତାହା କରାଯାଇନଥିବା, ରାସ୍ତାର ଉଭୟ ପାଶ୍ୱର୍ରେ ଜିଏସବି ୬ଇଞ୍ଚ ଲାଗିନଥିବା, ଡବ୍ଲୁ.ଏମ.ଏମ. ୪ଇଞ୍ଚ କରାଯାଇନଥିବା, ରାସ୍ତାର ଉଭୟ ପାଶ୍ୱର୍ରେ ୧୧ହଜାର ୬୯୯ ଟ୍ରିପ ମାଟି ବ୍ୟବହାର କରାଯିବାକୁ ଥିବା ବେଳେ ମୁଠାଏ ବି ମାଟି ବ୍ୟବହାର କରାନଯାଇ ଦୁଇ ପାଶ୍ୱର୍କୁ କାଟି ଅତି ଦୁର୍ବଳ ଓ ବିପଦ ସଙ୍କୁଳ କରାଯାଇଥିବା ଅଭିଯୋଗ ହୋଇଛି । ଏହି ରାସ୍ତାର ନିର୍ମାଣ କାର୍ଯ୍ୟରେ ପାଣି ବ୍ୟବହାର କରାଯାଉନଥିବା ବେଳେ କାର୍ଯ୍ୟକୁ ବିଭାଗୀୟ ଯନ୍ତ୍ରୀ ତଦାରଖ କରୁନଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ଲୋକ ଆପତ୍ତି ଏବଂ ଅଭିଯୋଗ କରିବାରେ କେନ୍ଦ୍ରାପଡା ବ୍ଲକରେ ଥିବା କନିଷ୍ଠ ଯନ୍ତ୍ରୀ ବିନୟ ମିଶ୍ର ସେମାନଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି କାର୍ଯ୍ୟର ବିଧିବଦ୍ଧ ତଦନ୍ତ କରାଯିବା ସହ ସଂପୃକ୍ତ ଠିକାଦାରଙ୍କ କାର୍ଯ୍ୟାଦ୍ଦେଶ ବାତିଲ କରାଯାଇ ନୂତନ ଠିକାଦାରଙ୍କୁ ନିୟୋଜିତ କରାଯିବାକୁ ୫ଟି ପଞ୍ଚାୟତର ଅଧିବାସୀଙ୍କ ପକ୍ଷରୁ ଫକିର ଚରଣ ଖଟୁଆ, ସନ୍ତୋଷ କୁମାର ବେହେରା, ଉତ୍ତମ ସ୍ୱାଇଁ, ଅଞ୍ଜନ କୁମାର ମହାପାତ୍ର, ନିରଞ୍ଜନ ପରିଡା,ରଶ୍ମିରଞ୍ଜନ ଚୈାଧୁରୀ, ଦିପ୍ତିରଞ୍ଜନ ମହାନ୍ତି, ପ୍ରକାଶ ଚନ୍ଦ୍ର ଲେଙ୍କା, ମହେନ୍ଦ୍ର ପରିଡା, ସୁନାକର ରାଉତ, ଉମାକାନ୍ତ ପରିଡା, ଲଲାଟେନ୍ଦୁ ଖଟୁଆ, ସୁଶାନ୍ତ କୁମାର ଦାସ, ବିଜୟ ପ୍ରଧାନ, ପ୍ରଭାକର ଲେଙ୍କା, ମୁରଲୀଧର ରାଉତ ପ୍ରମୁଖ ଶତାଧିକ ଲୋକ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ