ଗଣ୍ଡାହାତୀ ଜଳପ୍ରପାତରେ ବନ୍ୟାଜଳ ସର୍ବସାଧାରଣଙ୍କ ପ୍ରବେଶକୁ ନେଇ କଟକଣା
ପାରହଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗୁଲାବ ବାତ୍ୟା ପ୍ରଭାବରେ ଗତକାଲି ଠାରୁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପାଦଦେଶରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ କେନ୍ଦ୍ର ଗଣ୍ଡାହାତୀ ଜଳପ୍ରପାତରେ ଏହି ବର୍ଷା ଯୋଗୁଁ ଅତ୍ୟଧିକ ବନ୍ୟାଜଳ ଦେଖା ଦେଇଛି । ପ୍ରତ୍ୟେକ ଦିନ ଏଠାରେ ବହୁ ପର୍ଯ୍ୟଟକଙ୍କ ଭିଡ ଜମେ । ଆଜି ରବିବାର ଛୁଟି ଦିନ ହୋଇଥିବାରୁ ପର୍ଯ୍ୟଟନ କେନ୍ଦ୍ର ଗଣ୍ଡାହାତୀ ଜଳପ୍ରପାତରେ ଆନ୍ଧ୍ର ଓ ଓଡିଶାର କେତେକ ଅଞ୍ଚଳରୁ ପର୍ଯ୍ୟଟକମାନେ ପିକ୍ନିକ୍ କରି ମଜା ଉଠାଇବା ପାଇଁ ଆସିଥିଲେ । ଜନସାଧାରଣ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଗଣ୍ଡାହାତୀ ଜଳପ୍ରପାତର ଅତ୍ୟଧିକ ବନ୍ୟାଜଳ ସ୍ରୋତରେ ବିପଦ ରହିଥିବା ଯୋଗୁଁ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଧେଶକ୍ରମେ ଗଣ୍ଡାହାତୀ ଜଳପ୍ରପାତ ଅଞ୍ଚଳରେ ପ୍ରବେଶ ଓ ପିକ୍ନିକ୍ ଆଦିକୁ ନିଷେଧ କରି କଟକଣା ଜାରି ହୋଇଛି । ଆଗାମୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ଏହି କଟକଣା ଜାରୀ ରହିବ ବୋଲି ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି । ପ୍ରଶାସନର ଏହି କଟକଣା ଯୋଗୁଁ ଆଜି ପର୍ଯ୍ୟଟକ ମାନେ ଗଣ୍ଡାହାତୀ ଜଳପ୍ରପାତ ମଧ୍ୟକୁ ପ୍ରବେଶ ନ କରି ଫେରି ଯାଇଥିବା ଦେଖା ଯାଇଥିଲା ।