ଗଣ ସଚେତନ ହେଲେ ଗଣତନ୍ତ୍ର ସଫଳ ହେବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗଣତନ୍ତ୍ର, ପରିବାର, ପରିବେଶ ଓ ଆଧ୍ୟାତ୍ମିକତାକୁ ନେଇ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ୪ର୍ଥ ଦିବସରେ ଜାତୀୟ ଗଣତନ୍ତ୍ର ଆଲୋଚନାଚକ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଶ୍ରୀମଦ୍ ବାବା ବଳିଆ କହିଲେ ଯେ, ଗଣତନ୍ତ୍ର ଶାସନରେ ଗଣ ହେଲେ ମୁଖ୍ୟ । ଏଣୁ ଗଣ ଯେପର୍ଯ୍ୟନ୍ତ ସଚେତନ ହୋଇନାହାଁନ୍ତି, ସେପର୍ଯ୍ୟନ୍ତ ଭାରତରେ ଗଣତନ୍ତ୍ର ସଫଳ ନୁହେଁ । ଗଣ ସଚେତନ ହେଲେ ହିଁ ଗଣତନ୍ତ୍ର ସଫଳ ହେବ । ମୁଁ ଜଣେ ଆଧ୍ୟାମିôକ ଗୁରୁ ହୋଇପାରେ, କିନ୍ତୁ ମୁଁ ପ୍ରଥମେ ମୋ ରାଷ୍ଟ୍ରକୁ ଭଲପାଏ, ମୋ ଓଡ଼ିଶାକୁ ଭଲ ପାଏ । ପ୍ରତ୍ୟେକ ନାଗରିକକୁ ତାର ଦାୟିତ୍ୱ, କର୍ତ୍ତବ୍ୟ ଉପରେ ସଚେତନତା ପାଇଁ ପାଠ୍ୟକ୍ରମରେ ଆରମ୍ଭରୁ ରହିବା ଉଚିତ୍ । ଭାରତବାସୀ ଆମେ ସ୍ୱାଧୀନତା ପାଇନେ, ଆମେ ସ୍ୱାଧିକାର ପାଇଛେ । ଆମ ରାଷ୍ଟ୍ର ଧର୍ମନିରପେକ୍ଷ କୁହାଯିବା ସ୍ଥାନରେ ମତ ନିରପେକ୍ଷ କହିଲେ ଆହୁରି ଭଲ ହେବ । ସେହିଭଳି ବିରୋଧୀ ଦଳ ସ୍ଥାନରେ ସେମାନଙ୍କୁ ପ୍ରସ୍ତାବକ ଦଳ ରଖାଯିବାକୁ ବାବା ପରାମର୍ଶ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର ଆଲୋଚନାରେ ଅଂଶଗ୍ରହଣ କରି ନାଗରିକ ପ୍ରଥମେ ଦେଶକୁ ଭଲ ପାଇବା ଉଚିତ୍ । ଦେଶ ବଞ୍ôଚଲେ ଆମେ ବଞ୍ôଚବା । ଛାତ୍ର ଯୁବକମାନଙ୍କ ଭିତରେ ପ୍ରେରଣା ସୃଷ୍ଟି କରିବା ସମସ୍ତ ରାଜନୈତିକ ଦଳର ଦାୟିତ୍ୱ ବୋଲି କହିଥିଲେ । ଆଲୋଚନାଚକ୍ରର ପ୍ରାରମ୍ଭରେ ଜାତୀୟ ସଙ୍ଗୀତ ଗାନ ପରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ବାବାଜୀ ପ୍ରଣବାନନ୍ଦ ଦାସ ସ୍ୱାଗତ ଭାଷଣ ଦେବା ପରେ, ମୁଖ୍ୟ ସଂଯୋଜକ ତଥା କଂଗ୍ରେସ ଦଳର ବରିଷ୍ଠ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଦୁର୍ନୀତି କେବଳ ସ୍ୱାଧୀନତା ପରେ ହେଉଛି, ଏକଥା ଭାବିବା ଭୁଲ୍‌, ବ୍ରିଟିଶ ଶାସନ ସମୟରେ ମଧ୍ୟ ଦୁର୍ନୀତି ଥିଲା । ଡଃ ହରେକୃଷ୍ଣ ମହତାବଙ୍କ ଉକ୍ତି ଦୁର୍ନୀତିକୁ ନୀତି କରିଦେବା କଥାର ସେ ଅବତାରଣା କରିଥିଲେ । ତିନିଗୋଟି ସ୍ତମ୍ଭକୁ ନେଇ ଗଣତନ୍ତ୍ର ଓ ସାମ୍ବାଦିକମାନେ ଚତୁର୍ଥ ସ୍ତମ୍ଭର ପ୍ରତିନିଧି । ସୁବାର୍ତ୍ତାର ସମ୍ପାଦକ ବାଗ୍ମୀ ପ୍ରଦ୍ୟୁମ୍ନ ଶତପଥି କହିଲେ ଯେ, ରାଜନୈତିକ ଦଳମାନେ ଯେ ପର୍ଯ୍ୟନ୍ତ ଭୋଟ କିଣା ବନ୍ଦ ନକରିଛନ୍ତି, ସେ ପର୍ଯ୍ୟନ୍ତ ଗଣତନ୍ତ୍ରରେ ଦୁର୍ନୀତି ଲାଗି ରହିବ । ଓଡ଼ିଶାରେ ସାମାଜିକ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଡଃ ଭଗବାନ ପ୍ରକାଶ ଭାରତବର୍ଷର ଗଣତନ୍ତ୍ର ଯେ ଶ୍ରେଷ୍ଠ ଗଣତନ୍ତ୍ର ଏ କଥାକୁ ବିଶ୍ୱବାସୀ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି, କିନ୍ତୁ ଗଣତନ୍ତ୍ରକୁ କାର୍ଯ୍ୟକ୍ରମରେ ପ୍ରୟୋଗ କରୁଥିବା ରାଜନେତା ମାନଙ୍କ ମଧ୍ୟରେ ସକରାତ୍ମକ ମାନସିକତା ରହିବା ଦରକାର ଓ ବିରୋଧି ଦଳକୁ ବିକଳ୍ପ ଦଳ ଭାବରେ ନାମକରଣ କରାଯିବା ଦରକାର ବୋଲି ସେ କହିଥିଲେ ।ବିଶିଷ୍ଟ ରାଜୀନତି ବିଜ୍ଞାନୀ ଦାସ ବେନହୁର ସମାଜରେ ସାମାଜିକ ଆନ୍ଦୋଳନର ଆବଶ୍ୟକତା ରହିଛି । ଯୁବକ ଛାତ୍ରମାନେ ତାଙ୍କର ଅଧିକାର ଉପରେ ସଚେତନ ହେବା ସହ ସମାଜ ପ୍ରତି, ପିତାମାତାଙ୍କ ପ୍ରତି ତାଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ ରହିବା ଦରକାର ବୋଲି କହିଥିଲେ । ପୂର୍ବତନ ଜାମ୍ମୁକାଶ୍ୱୀରର ପୁଲିସ୍ ଡିଜି ଶିଶିର କୁମାର ମିଶ୍ର ଜାମ୍ମୁ କାଶ୍ମୀରର ନିର୍ବାଚନ ଓ ଓଡ଼ିଶାର ସାଧାରଣ ନିର୍ବାଚନର ତୁଳନାତ୍ମକ ଚିତ୍ର ଦେବା ସହ ନୀତିଭ୍ରଷ୍ଟ ଲୋକମାଙ୍କୁ ନାଗରିକମାନେ ଭୋଟ ଦେବା ପୂର୍ବରୁ ସ୍ପଷ୍ଟଭାବେ ଜାଣିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ବରିଷ୍ଠ ରାଜନୀତିଜ୍ଞ ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ, ପ୍ରଶାନ୍ତ କୁମାର ମୁଦୁଲି, ବର୍ତ୍ତମାନର ରାଜନୈତିକ ପରିବେଶକୁ ଦେଖି କୌଣସି ଭଲ ପାଠ ପଢୁଥିବା ଛାତ୍ର ରାଜୀନତି ପ୍ରତି ଆଗ୍ରହ ପ୍ରକାଶ କରୁନାହିଁ । ସେ ଭାବିନେଇଛି ରାଜନୀତି କେବଳ ଖରାପ ଲୋକମାନଙ୍କର ଏକ ମଞ୍ଚ । ଏହି ଧାରଣା ଯୁବକ ଛାତ୍ରମାନଙ୍କ ମୁଣ୍ଡରୁ ବାହାର କରିବାକୁ ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ବକ୍ତା ପୂର୍ବତନ ପ୍ରଫେସର ସୁଧୀର ଚନ୍ଦ୍ର ଜେନା ଜନ ସଚେତନତା ପାଇଁ ସରକାର ବା ବିରୋଧୀ ଦଳ ନୁହେଁ ଶ୍ରୀମଦ୍ ବାବା ବାଳିଆଙ୍କ ଭଳି ଆଧ୍ୟାତ୍ମିକ ଅନୁଷ୍ଠାନମାନେ ଚେଷ୍ଟା କଲେ ତାର ସୁଫଳ ମିଳିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ବାବାଜୀ ରାଧେଶ୍ୟାମ ଦାସ, ଶ୍ରୀବାସ ଦାସ, ପରମାନନ୍ଦ ଦାସ ଓ ତ୍ରୈଲୋକ୍ୟ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ