ଗତିଧାମ ଫାଉଣ୍ଡେସନ ପକ୍ଷରୁ ବିଶ୍ୱଶାନ୍ତି ନାମଯଜ୍ଞ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ନେଇ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ନାମଯଜ୍ଞରେ ମହିଳାଙ୍କୁ ନେଇ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହିଭଳି ଏକ ନିଆରା କାର୍ଯ୍ୟକ୍ରମ ଗତିଧାମ ଫାଉଣ୍ଡେସନ ପକ୍ଷରୁଚକେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅଧୀନ ବ୍ରହ୍ମପୁର ଗ୍ରାମର ଗାଦି ଗୋସାଇଁ ପୀଠରେ ଅନୁଷ୍ଠିତ ହୋଇଯାଇଛି । ମହିଳାଙ୍କ ନାମ କୀର୍ତ୍ତନ ଦେଖିବାକୁ ପରିବେଶ ଉତ୍ସବ ମୁଖର ହୋଇଉଠିଥିଲା । ଶତାଧିକ ଶ୍ରଦ୍ଧାଳୁ ନାମଯଜ୍ଞରେ ଯୋଗଦେଇ ହରି କୀର୍ତ୍ତନ ଶ୍ରବଣ କରିଥିଲେ । ଗରଦପୁର ବ୍ଲକର ବାରୁଣା, ବ୍ରହ୍ମପୁର, ଜିରାଳ, ପାଖଡ ଅଞ୍ଚଳର କୀର୍ତ୍ତନ ମଣ୍ଡଳୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ହରିନାମ କରିଥିଲେ । ଏଥିରେ ଜିରାଳର ମହିଳା କୀର୍ତ୍ତନ ମଣ୍ଡଳୀକୁ ଦେଖିବାକୁ ଲୋକଙ୍କ ଭିଡ ଜମିିଥିଲା । ନଗର ସଂକୀର୍ତ୍ତନରେ କୀର୍ତ୍ତନ ମଣ୍ଡଳୀ, ଆୟୋଜକ ଓ ସ୍ଥାନୀୟ ଶ୍ରଦ୍ଧାଳୁମାନେ ଯୋଗଦେଇ ଘରେ ଘରେ ସଂକୀର୍ତ୍ତନ ସହ ଶାନ୍ତିବାର୍ତ୍ତା ପହଞ୍ଚାଇଥିଲେ । ଶେଷରେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଏଡାଇବାକୁ ହରିବୋଲ ହୁଳହୁଳି ଦିଆଯାଇଥିଲା । ଗତିଧାମ ଫାଉଣ୍ଡେସନର ସଭାପତି ଗୋସ୍ୱାମୀ ଅନାମ ଚରଣ ଦାଶଙ୍କ ଦ୍ୱାରା କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ଟ୍ରଷ୍ଟର ଉପଦେଷ୍ଟା ପ୍ରଫେସର କମଳା କାନ୍ତ ଦାଶ ହରି କୀର୍ତ୍ତନରେ ନିଜକୁ ନିମ୍ନଜିତ କରିଦେଇଥିଲେ । ଟ୍ରଷ୍ଟର ଉପସଭାପତି ମନୋରମା ଦାଶ ଓ କୋଷାଧ୍ୟକ୍ଷ ସ୍ନେହଲତା ରାଉତରାୟ ପ୍ରମୁଖ ଶତାଧିକ ମହିଳା ଓ ଯୁବତୀଙ୍କୁ ଏହି କାର୍ଯ୍ୟକ୍ରମରେ ଏକାଠି କରାଇଥିଲେ । ସ୍ଥାନୀୟ ସରପଞ୍ଚ ଅନିତା ମାହାଳି, ଯୁବ ସମାଜସେବୀ ରମାକାନ୍ତ ବେହେରା, ଦତ୍ତହରି ଦାଶ, ଗୁରୁପାଦ ଦାଶ, ମାୟାଧର ପଣ୍ଡା, ରମାକାନ୍ତ ପାଣି, ନିହାର ମିଶ୍ର ପ୍ରମୁଖ ବିଶ୍ୱଶାନ୍ତି ନାମ ଯଜ୍ଞରେ ଯୋଗଦେଇ ଗତିଧାମର ଏହି ଅଭୀନବ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ ।


