ଗତ ଦଶ ବର୍ଷରେ ଗ୍ରାମୀଣ ଆବାସ ଯୋଜନାରୁ ଫେରିଛି ୬ଲକ୍ଷ ୫୬ହଜାର ୯୪୫ଟି ଘର
ବାଲେଶ୍ଵର, (ସରୋଜ ପଣ୍ଡା):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ଅନ୍ତର୍ଗତ ଗତ ଦଶ ବର୍ଷ ମଧ୍ୟରେ ୩୪ଲକ୍ଷ ୭୨ହଜାର ଗୃହ ମଞ୍ଜୁର ହୋଇଥିବା ବେଳେ ସ୍ଥଳେ ୨୦୧୪-୧୫ ଅର୍ଥିକ ବର୍ଷ ପୂର୍ବରୁ ମଞ୍ଜୁର ହୋଇଥିବା ମୋଟ ୭ଲକ୍ଷ ୪୬ ହଜାର ୩୬୪ଟି ଗୃହର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ ଥିଲା । ସେହି ଅନୁସାରେ ୨୦୧୪ରୁ ଏ ପର୍ଯ୍ୟନ୍ତ ମଞ୍ଜୁର ହୋଇଥିବା ୪୨ଲକ୍ଷ ୧୮ହଜାର ୩୬୪ଟି ଗୃହ ମଧ୍ୟରୁ ଅଦ୍ୟାବଧି ୩୬ ଲକ୍ଷ ୫୭ ହଜାର ୮୪୭ଟି ଗୃହର କାର୍ଯ୍ୟ ସମ୍ପୂର୍ଣ ହୋଇଛି । ୫ଲକ୍ଷ ୨୭ ହଜାର ୬୦୪ଟି ଗୃହ ନିର୍ମାଣଧୀନ ଥିବା ବେଳେ ଅଛି ୩୨ ହଜାର ୯୧୩ଟି ଗୃହର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ I ଗ୍ରାମୀଣ ଆବାସ ଯୋଜନାକୁ ନେଇ ସଦର ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନରେ ଏହି ଭଳି ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତାରେ ଚାଲିଥିବା ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ ଓଡିଶାରେ ମଞ୍ଜୁର ସହ ନିର୍ମାଣ ହୋଇଥିବା ଗୃହ ସଂଖ୍ୟା ସମ୍ପର୍କରେ ବିବରଣୀ ମାଗିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟ ପୂରଣରେ ସରକାର କେତେ ସଫଳ ହୋଇଛନ୍ତି, ସେ ସମ୍ପର୍କରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ ପଚାରିଥିଲେ। ଏହା ସହିତ ଏ ଯାବତ୍ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ପକ୍କା ଘର ପାଇବାରୁ ବଂଚିତଥିବା ଯୋଗ୍ୟ ହିତାଧିକାରୀଙ୍କ ବାବଦରେ ସରକାର କେଉଁ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ଶ୍ରୀ ଦତ୍ତ ଜାଣିବାକୁ ଚାହିଁଥିଲେ। ଅନ୍ୟପକ୍ଷରେ କିଛି ସ୍ବତନ୍ତ୍ର ଘର ବିତରଣ କରିବା ପାଇଁ ବିଧାୟକମାନଙ୍କୁ ବିଶେଷ ଅଧିକାର ବା ନୂତନ କିଛି ଯୋଜନା ପ୍ରଣୟନ ସରକାର ବ୍ୟବସ୍ଥା କରିବେ କି ବୋଲି ଶ୍ରୀ ଦତ୍ତ ବିଧାନସଭାର ପ୍ରଶ୍ନକାଳରେ ପଚାରିଥିଲେ I ଉତ୍ତରରେ ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ ଯେ, ୨୦୧୬-୧୭ ଆର୍ଥିକ ବର୍ଷ ଠାରୁ ୨୦୨୨-୨୩ ମଧ୍ୟରେ କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରଦାନ କରିଥିବା ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ସ୍ଥାୟୀ ପ୍ରତୀକ୍ଷା ତାଲିକାରୁ ଯୋଗ୍ୟ ହିତାଧିକାରୀ ନଥିବା କାରଣରୁ ୬ଲକ୍ଷ ୫୬ହଜାର ୯୪୫ଟି ଗୃହ ପ୍ରତ୍ୟାହାର କରିନେଇଥିଲେ । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୨୬ ହଜାର ୭୧୯ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ମଞ୍ଜୁର ନିମନ୍ତେ ଅପେକ୍ଷାରେ ରହିଛନ୍ତି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟଠାରୁ ଧାର୍ଯ୍ୟ ଲକ୍ଷ ପ୍ରାପ୍ତି ପରେ ସେମାନଙ୍କୁ ଗୃହ ମଞ୍ଜୁର କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ସ୍ଥାୟୀ କ୍ରମ ତାଲିକାରେ ଅନ୍ତର୍ଭୁକ୍ତ ହୋଇନଥିବା ଯୋଗ୍ୟ ହିତାକାରୀଙ୍କ ଚିହ୍ନଟ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟଠାରୁ ଅନୁମତି ପାଇବା ପରେ ଆରମ୍ଭ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ବିଧାୟକମାନଙ୍କ ଦ୍ବାରା ସ୍ବତନ୍ତ୍ର ଘର ବିତରଣ ପାଇଁ ବିଜୁ ପକ୍କାଘର ଯୋଜନାରେ ଥିବା ବ୍ୟବସ୍ଥାର ପୁନଃ ବିଚାର ସହ ଆବଶ୍ୟକ ସଂଶୋଧନ ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି I


