ଗବେଷକ ଶରତଚନ୍ଦ୍ର ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାଠାଗାର ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ବିଶିଷ୍ଟ ଗବେଷକ ଶରତଚନ୍ଦ୍ର ପଟ୍ଟନାୟକଙ୍କର ଗତ ୪ ତାରିଖ ଗୁରୁବାର ବିଳମ୍ବିତ ରାତିରେ ନିଜ ଜନ୍ମସ୍ଥାନ ଭୁବନେଶ୍ୱର ଉପକଣ୍ଠ ଧଉଳୀମୁହଁ ଗ୍ରାମସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ଦୀର୍ଘଦିନରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପରିବାର, ପୁତ୍ର, ବୋହୁ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।୧୯୩୯ ମସିହାରେ ଜନ୍ମଲାଭ କରିଥିବା ସ୍ୱର୍ଗତଃ ପଟ୍ଟନାୟକ ସଂସ୍କୃତ ଟୋଲରୁ ଶିକ୍ଷାଲାଭ କରିବା ପରେ ଓଡ଼ିଶା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗରେ ଜଣେ ଅଧସ୍ତନ କର୍ମଚାରୀ ଭାବେ ଯୋଗ ଦେଇଥିଲେ । ଦୀର୍ଘବର୍ଷ ଧରି ନିଷ୍ଠାର ସହ କର୍ତ୍ତବ୍ୟ ସମ୍ପାଦନ କରି ସରକାରୀ ଚାକିରୀରୁ ଅବସର ନେବା ପରେ ନିଜର ସ୍ୱଅର୍ଜିତ ସଞ୍ôଚତ ଅର୍ଥରାଶିକୁ ବିନିଯୋଗ କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ତଥା ପ୍ରଚାର ପ୍ରସାର ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଥିଲେ । ‘ଶବ୍ଦ ଗବେଷଣା କେନ୍ଦ୍ର’ ନାମରେ ରାଜଧାନୀ ଭୁବନେଶ୍ୱରରେ ଏକ ପାଠାଗାର କେନ୍ଦ୍ର ପ୍ରତିଷ୍ଠା ସହ ନିଜ ଗ୍ରାମ ଧଉଳୀମୁହଁରେ ପାଠାଗାର ଖୋଲି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଆଧାରିତ ଅଭିନବ କାର୍ଯ୍ୟକ୍ରମ ଚଳାଇଥିଲେ । ଏଠାରେ ଗରିବ, ଆଦିବାସୀ, ହରିଜନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପୁସ୍ତକ ପଠନ, ଲିଖିନ ଆଦି ଅଭ୍ୟାସ ବଢାଇବାର ବ୍ୟବସ୍ଥା କରିଥିଲେ । ଶବ୍ଦ ଉପରେ ଗବେଷଣା କରି ଓଡ଼ିଶାର ପ୍ରତିଷ୍ଠିତ ଲେଖକ, ସାହିତ୍ୟିକ ଓ ଗବେଷକ ତଥା ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଶବ୍ଦ ଗବେଷଣା ଉପରେ ସେ ନିୟମିତ ଭାବେ ଆଲୋଚନା କରିବା ସହ ସମ୍ପର୍କରେ ଥିଲେ । ଓଡ଼ିଶା ସମେତ ଦେଶ ବିଦେଶରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି । ସ୍ପେନ୍‌ର ମାଦ୍ରିଦ ୟୁନିଭରସିଟିରୁ ଶ୍ରୀ ପଟ୍ଟନାୟକ ଭାଷା ଉପରେ ଲିଖିତ ସନ୍ଦର୍ଭ ପାଇଁ ଡକ୍ଟରେଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବିଭିନ୍ନ ଶିକ୍ଷା, ଭାଷାଭିତ୍ତିକ ଓ ସଂସ୍କୃତି ସୁରକ୍ଷା ଆଦି ବହୁ ଅନୁଷ୍ଠାନ ସହ ସେ ଜଡ଼ିତ ଥିଲେ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନିଜେ ଗଢିଥିବା ଶବ୍ଦ ଗବେଷଣା କେନ୍ଦ୍ର ପାଇଁ ସରକାରୀ ସହାୟତା ଓ ଅନୁଦାନ ନିମନ୍ତେ ସଂଗ୍ରାମ ଜାରି ରଖିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ