ଗମ୍ଭୀରଙ୍କ ପାଖରେ ଦୁଇଟି ଭୋଟ୍ ପରିଚୟପତ୍ର
ନୂଆଦିଲ୍ଲୀ(ଏଜେନ୍ସି): ପୂର୍ବତନ ଭାରତୀୟ କ୍ରିକେଟର ତଥା ଚଳିତ ନିର୍ବାଚନରେ ବିଜେପି ସାଂସଦ ପ୍ରାର୍ଥୀ ସାଜିଥିବା ଗୌତମ ଗମ୍ଭୀରଙ୍କ ବିରୋଧରେ ଦିଲ୍ଲୀର ଶାସକ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏବେ ଏକ ନୂଆ ଅଭିଯୋଗ ଆଣିଛି । ଗମ୍ଭୀରଙ୍କ ନାମରେ ଦୁଇଟି ନିର୍ବାଚନ ମଣ୍ଡଳୀରୁ ଦୁଇଟି ଭୋଟ ପରିଚୟପତ୍ର ଥିବା ଆପ୍ ଦାବି କରିଛି । ପୂର୍ବ ଦିଲ୍ଲୀ ଆସନରୁ ଆପ୍ ସାଂସଦ ପ୍ରାର୍ଥୀ ଅତିଶିଙ୍କ କହିବାନୁସାରେ ଗମ୍ଭୀର ଦୁଇଟି ନିର୍ବାଚନ ମଣ୍ଡଳୀରେ ଭୋଟର ଥିବା ସେ ଭଲଭାବେ ଜାଣିଛନ୍ତି । ଅତିଶି ଏବେ ଏହି ମାମଲାକୁ କୋର୍ଟକୁ ଟାଣିଛନ୍ତି । ତାଙ୍କର ଏପ୍ରକାର ଅଭିଯୋଗ ଉପରେ ତଦନ୍ତ ପାଇଁ କାରୋଲ ବାଗ କିମ୍ବା ରାଜେନ୍ଦର ନଗର ପୁଲିସକୁ ନିର୍ଦ୍ଦେଶ ଦେବାକୁ ତାଙ୍କ ଓକିଲ ମହମ୍ମଦ ଇର୍ସାଦ କୋର୍ଟଙ୍କୁ ଅନୁରୋଧ କରିଛନ୍ତି । ଅତିଶି କୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ପ୍ରାର୍ଥୀପତ୍ର ଦାଖଲ, ଯାଞ୍ଚ ଓ ଚୂଡାନ୍ତ ହେବା ପରେ ସେ ଏଭଳି ହୋଇଥିବା ଜାଣିବାକୁ ପାଇଛନ୍ତି । ଗମ୍ଭୀରଙ୍କ ନାମରେ ଦୁଇଟି ନିର୍ବାଚନ ମଣ୍ଡଳୀରେ ଥିବା ନିର୍ବାଚନ କମିଶନଙ୍କ ଜାତୀୟ ଭୋଟର ପୋର୍ଟାଲରୁ ମିଳିଥିବା ସେ କହିଛନ୍ତି । ଏହି ମର୍ମରେ ଅତିଶି ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ନ ଦେବାକୁ ପୂର୍ବ ଦିଲ୍ଲୀବାସୀଙ୍କୁ ଆହ୍ୱାନ କରିବା ସହ ଦିନେ ନ ଦିନେ ଦୁଇଟି ଭୋଟର ପରିଚୟ ପତ୍ର ପାଇଁ ଗମ୍ଭୀରଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷେ ଗମ୍ଭୀର ମଧ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀରେ ପଞ୍ଜିକୃତ ହୋଇଥିବା ବିଷୟ ନିଜ ସତ୍ୟପାଠରେ ଗୁପ୍ତ ରଖିଥିବା ଜଣାପଡିଛି । ଏହା ପ୍ରମାଣିତ ହେଲେ ତାଙ୍କ ପ୍ରାର୍ଥୀତ୍ୱ ନାକଚ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି ।