ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୁଷଣ
ଏଥିରେ ଦ୍ୱିମତ ନାହିଁ ଯେ, ବାୟୁ ପ୍ରଦର୍ଶନ ଯୋଗୁଁ ଭାରତର ସହରଗୁଡିକ ଏବେ ଶ୍ୱାସରୋଧ ଭଳି ପରିସ୍ଥିତିର ସମ୍ମୁଖୀନ । ନିକଟରେ ଆଇକ୍ୟୁଏୟାର ରିପୋର୍ଟ ପୁଣି ଥରେ ବାହୁ ପ୍ରଦୁଷଣ ନେଇ ସାଂଘାତିକ ତଥ୍ୟ ପ୍ରକାଶ କରିଛି । ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱର ସର୍ବାଧିକ ପ୍ରଦୁଷିତ ସହର ମଧ୍ୟରେ ଭାରତର କେବଳ ୧୩ଟି ସହର ରହିଛି । କେବଳ ଏତିକି ନୁହେଁ, ଜାତୀୟ ରାଜଧାନୀ ଦିଲ୍ଲୀ ପ୍ରଦୁଷିତ ସହର ତାଲିକାରେ ଶୀର୍ଷରେ ରହିଥିବାବେଳେ କ୍ରମାଗତ ଷଷ୍ଠ ବର୍ଷ ପାଇଁ ସର୍ବାଧିକ ପ୍ରଦୁଷିତ ସହର ହୋଇ ରହିଛି । କହିବା ବାହୁଲ୍ୟ ଯେ, ରିପୋର୍ଟ ଅନୁଯାୟୀ ଦିଲ୍ଲୀରେ ବାୟୁର ମାନ କୌଣସି ପରିବର୍ତନ ଘଟିନାହିଁ । ଯାହାକି ଅତ୍ୟନ୍ତ ସାଂଘାତିକ ତଥା ଗମ୍ଭୀର ସ୍ଥିତି ବୋଲି ରିପୋର୍ଟ କହିଛି । ଏହା ନିସନ୍ଦେହ ଯେ, ବାୟୁ ପ୍ରଦୁଷଣ ଏବେ ସହରାଚଂଳରେ ଘାତକ ରୂପ ନେଇଛି । ମଣିଷ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦର କାରଣ ହୋଇଛି । ବିଶ୍ୱ ଏୟାର କ୍ୱାଲିଟ୍ ବା ବିଶ୍ୱ ବାୟୁ ଗୁଣବତା ରିପୋର୍ଟ ସ୍ପଷ୍ଟ କରିଛି ଯେ, ପ୍ରଦୁଷିତ ବାୟୁ ଯୋଗୁଁ ଲୋକଙ୍କ ଆୟୁ ପାଂଚ ବର୍ଷ ହ୍ରାସ ପାଇଛି । ତେବେ ଏଭଳି ସଂକଟ ଦ୍ରୃତ ଶିଳ୍ପାୟନ, କଳକାରଖାନାରୁ ନିର୍ଗତ ଧୂଆଁ, ଯାନବାହାନ ସଂଖ୍ୟା ବୃଦ୍ଧି, ଦ୍ରୃତ ନିର୍ମାଣ କାର୍ଯ୍ୟରୁ ସୃଷ୍ଟି ଧୂଳି ଏବଂ ଋତୁଭିତିକ ଶସ୍ୟର ଫସଲର ଅବଶିଷ୍ଟାଂଶ ପୋଡି ହେଉଥିବା କୁହାଯାଏ । ଦେଶରେ ବାୟୁର ମାନ ପିଏମ ୨୫ରୁ ହ୍ରାସ କରିବା ପାଇଁ ନୀତି ନିର୍ଦ୍ଧାରକମାନେ ପ୍ରୟାସ ଜାରି ରଖିଥିବା ବେଳେ ଦେଶର ପ୍ରାୟ ୩୫ ପ୍ରତିଶତ ସହରରେ ବାୟୁପ୍ରଦୁଷଣର ମାତ୍ରା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ (ହୁ)ର ନିର୍ଦ୍ଧାରିତ ଗୁଣବତା ମାନ ତୁଳନାରେ ଦଶଗୁଣ ଅଧିକ ପ୍ରଦୁଷିତ ବୋଲି ରିପୋର୍ଟରେ କୁହାଯାଇଛି । ଇତିମଧ୍ୟରେ ଦେଶରେ ବାୟୁ ପ୍ରଦୁଷଣ ଯୋଗୁଁ ଅର୍ଥନୀତିରେ ଏହାର ପ୍ରଭାବ ଯେପରି ବଢିଚାଲିଛି, ତାହା ମଧ୍ୟ ଅତ୍ୟନ୍ତ ଉଦ୍ବେଗଜନକ । ସେଂଟର ଫର ରିସର୍ଚ୍ଚ ଅନ ଏନର୍ଜି ଆଣ୍ଡ କ୍ଲିନ ଏୟାର ପକ୍ଷରୁ ୨୦୨୧ରେ ପ୍ରକାଶିତ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବାୟୁପ୍ରଦୁଷଣ ଯୋଗୁଁ ବାର୍ଷିକ ୭ଲକ୍ଷ କୋଟି ଟଙ୍କା ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ବ୍ୟୟ ହେଉଛି । ସେହିପରି ଅସୁସ୍ଥତା କାରଣରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଶ୍ରମ ଉତ୍ପାଦନ କ୍ଷତି ଘଟୁଛି । ଆହୁରି ମଧ୍ୟ ୨୦୨୦ରେ ପ୍ରକାଶିତ ଲାନସେଟ୍ ରିପୋର୍ଟରେ କୁହାଯାଇଥିଲା ଯେ, ବାୟୁ ପ୍ରଦୁଷଣ ଜନିତ ରୋଗରେ ଭାରତରେ ୨୦୧୯ ବର୍ଷରେ ୧.୬୭ ମିଲିଅନ ଲୋକଙ୍କ ମୃତ୍ୟୁ ଘଟିଥିଲା । କେବଳ ଏତିକି ନୁହେଁ ଦେଶରେ ସହରାଚଂଳରେ ଶ୍ୱାସ, ହୃଦଘାତ, ଯକ୍ଷ୍ମା ଭଳି ରୋଗ ମଧ୍ୟ ବଢିବାରେ ଲାଗିଛି । ଏକ ଅନୁଧ୍ୟାନ ରିପୋର୍ଟରୁ ଜଣାଯାଇଛି ଯେ, ଦେଶରେ ଗ୍ରାମାଚଂଳ ତୁଳନାରେ ସହରାଚଂଳରେ ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିବାବେଳେ ହୃଦଘାତରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଯୋଗୁଁ ଶୀତ ଦିନରେ ଘରୁ ବାହାରକୁ ବାହାରିବା ଏକ ପ୍ରକାର ମୁସ୍କିଲ ହୋଇପଡିଥିବା ସମୟରେ ପକେଟରେ କ୍ଷୁଦ୍ର ଅମ୍ଳଜାନ ସିଲିଣ୍ଡର ରଖିବାକୁ ଲୋକେ ବାଧ୍ୟ ହେଉଛନ୍ତି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବାୟୁ ପ୍ରଦୁଷଣ ପାଇଁ ସରକାର କୌଣସି ବଳିଷ୍ଠ ବା କଠୋର ପଦକ୍ଷେପ କିମ୍ବା ଆଇନ ପ୍ରଣୟନ କରିବା ପ୍ରତି ବିମୁଖ ଥିବା କୁହାଯାଇପାରେ । ଆହୁରି ମଧ୍ୟ ରାଜନୈତିିକ ଦଳଗୁଡିକ ବାୟୁ ବ୍ରଦୁଷଣ ନେଇ ନିଜ ନିଜ ମଧ୍ୟରେ କେବଳ ଆରୋପ-ପ୍ରତ୍ୟାରୋପ ବ୍ୟସ୍ତ ରହୁଥିବା ଲକ୍ଷ୍ୟ କରାଯାଏ । କିନ୍ତୁ ଏହା ନିସନ୍ଦେହ ଯେ, ବାୟୁ ପ୍ରଦୁଷଣ ଦେଶରେ ଏବେ ଏକ ଜାତୀୟ ସଂକଟ ଭାବେ ଉଭା ହୋଇଛି । ଏହାର ମୁକାବିଲା ପାଇଁ ଦୀର୍ଘ ମିଆଦୀ ଭିତିକ ଯୋଜନା, ନୀତି ଆବଶ୍ୟକ । ସେହିପରି ବାୟୁର ଗୁଣବତା ବଜାୟ ରଖିବା ପାଇଁ କଠୋର ଆଇନ ମଧ୍ୟ ଜରୁରୀ । ଆମେ ଭୁଲିଯିବା ଉଚିତ ନୁହେଁ ଯେ, ବାୟୁ ହେଉଛି ଜୀବନ । ଶୁଦ୍ଧ ବାୟୁ ବିନା ମାନବ ସମାଜ ତଥା ଜୀବଜଗତ କ୍ଷଣେ ତିଷ୍ଠି ପାରବି ନାହିଁ । ବେଳ ହୁଁ ସଜାଗ, ସତର୍କ, ସଚେତନ ନହେଲେ ବିନାଶ ହିଁ ସାର ହେବ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ