ଗରାପୁର ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆଶ୍ରମର ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ ମୁଖ୍ୟଅତିଥି, ସମାଜସେବୀ ଗାୟତ୍ରୀ ମହାନ୍ତି ମୁଖ୍ୟବକ୍ତା ଭାବେ ଏବଂ ସମ୍ମାନୀୟ ଅତିଥି ଭାବେ ମିଶନ ଶକ୍ତିର ଜିଲ୍ଲା ମହିଳା ସମ୍ପାଦିକା ସ୍ୱପ୍ନା ସିଂ, କପାଳେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ସମାଜସେବୀ ଧରିତ୍ରୀ ନାୟକ, ଶିକ୍ଷୟିତ୍ରୀ ରୀତା ଅଞ୍ଜଳିନାଥ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିସହିତ ନାରୀର ସ୍ୱାଧିନତା, ମୂଲ୍ୟବୋଧ ଏବଂ ସୁରକ୍ଷା ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ସରକାର ଯେତେ ନାରୀ ସଶକ୍ତି କରଣ ପାଇଁ ବିଭିନ୍ନ ସଚେତନାତ୍ମକ କାର୍ଯ୍ୟକ୍ରମ କରିଲେ ମଧ୍ୟ ଏବେବି ନାରୀ ନିଜକୁ ଅସୁରକ୍ଷିତ ମନେକରୁଛି । ମହିଳାମାନେ ମଙ୍ଗଳ ଗ୍ରହ ଏବଂ ଚନ୍ଦ୍ର ପୃଷ୍ଠରେ ପହଞ୍ôଚବା ପରେ ମଧ୍ୟ ମହିଳାମାନଙ୍କୁ ନେଇ ବିଭିନ୍ନ କୋଣ ଅନୁକୋଣରେ କିଛିନା କିଛି ଅଘଟଣ ଓ ଦୁର୍ଘଟଣା ମାନ ଦେଖିବାକୁ ମିଳୁଛି ବୋଲି ପୂର୍ବତନ ବିଧାୟିକା ଡଃ. ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଥିଲେ । ଆଜିର ଦିନରେ ନାରୀମାନଙ୍କ ପାଇଁ ଭାରତ ସରକାର ୪୦ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଥିଲେ ମଧ୍ୟ ନାରୀଟିଏ ଦିନକୁ ଦିନ ଘର କୋଣରୁ ବାହାରି ଆଗକୁ ବଢିବା ପାଇଁ ଏବଂ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହେବାରେ ବିଭିନ୍ନ ପ୍ରତିବନ୍ଧକ ସୃଷ୍ଟି ହେଉଥିବା ସମାଜସେବୀ ଶ୍ରୀମତୀ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ୩ଦିନ ଧରି ଆଶ୍ରମ ପରିସରରେ ମହିଳାମାନଙ୍କ ମଧ୍ୟରେ ଅନୁଷ୍ଠିତ ଯୋଗ, ସଙ୍ଗୀତ ଓ ତର୍କ ପ୍ରତିଯୋଗିତାର କୃତ୍ତି ମହିଳାମାନଙ୍କୁ ଅତିଥିମାନେ ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଶିବାନନ୍ଦ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ଏହି ଅବସରରେ ଉପସ୍ଥିତ ମହିଳାମାନେ ପରସ୍ପର ମଧ୍ୟରେ ରଙ୍ଗଖେଳି ହୋଲି ଉତ୍ସବ ପାଳନକରିଥିଲେ । ଏହି କାର୍ଯ୍ୟକ୍ରମରେ ମାଳତୀ ଶତପଥୀ, କୁମୁଦିନୀ ମହାନ୍ତି, ଭାରତୀ ସିଂ, ଅନିମା ପଢିହାରୀଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।


