ଗରିବଙ୍କୁ ବାର୍ଷିକ ୨ଲକ୍ଷ ଟଙ୍କା ଦେବ ଟିଡିପି
ହାଇଦ୍ରାବାଦ(ଏଜେନ୍ସି): ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଏକ ବଡ ଘୋଷଣା କରିଛନ୍ତି । ଚନ୍ଦ୍ରବାବୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ରାଜ୍ୟରେ ଟିଡିପି ପୁନଃ କ୍ଷମତାକୁ ଫେରିଲେ ଗରିବଙ୍କୁ ବାର୍ଷିକ ୨ଲକ୍ଷ ଟଙ୍କା ଦିଆଯିବ । ଦଳୀୟ ଘୋଷଣା ପତ୍ର ଜାରି କରବା ଅବସରରେ ଚନ୍ଦ୍ରବାବୁ ଏହି ପ୍ରତିଶ୍ରୁତି ଦେଇଛନ୍ତି । ଚନ୍ଦ୍ରବାବୁ ଏହା ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଶୈଳୀରେ କୃଷକମାନଙ୍କୁ ବାର୍ଷିକ ୧୫ ହଜାର ଟଙ୍କା ସହାୟତା ଦିଆଯିବ । ଟିଡିପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବୋଲି କୁହାଯାଉଥିବା ୱାଇଏସ୍ଆର୍ କଂଗ୍ରେସ ନିଜର ଘୋଷଣା ପତ୍ର ଜାରି କରିବାର କିଛି ସମୟ ପରେ ଟିଡିପି ପକ୍ଷରୁ ଏହି ପ୍ରତିଶ୍ରୁତି ଦିଆଯାଇଛି । ପ୍ରକାଶ ଯେ, ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଓ ୧୭୫ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୧୧ରେ ମତଦାନ ପ୍ର୍ରକିୟା ଅନୁଷ୍ଠିତ ହେବାକୁ ଯାଉଛି । ଚନ୍ଦ୍ରବାବୁଙ୍କ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଗରିବଙ୍କୁ ପ୍ରତିବର୍ଷ ୭୨ହଜାର ଟଙ୍କା ଦେବାର ଘୋଷଣା କରିଥିଲେ ।


