ଗରିବଙ୍କ ସହାୟତା ଲାଗି ୧.୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ
ନୂଆଦିଲ୍ଲୀ : 1, କୋଭିଡ–୧୯ ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ବୀମା ସୁବିଧା, 2, ଆସନ୍ତା ୩ ମାସ ପର୍ଯ୍ୟନ୍ତ ୮୦ କୋଟି ଗରିବ ଲୋକଙ୍କୁ ମୁଣ୍ଡପିଛା ୫ କେଜି ଲେଖାଏଁ ଗହମ କିମ୍ବା ଚାଉଳ ଏବଂ ନିଜ ଇଚ୍ଛା ମୁତାବକ ୧ କିଗ୍ରା ଡାଲି ଯୋଗାଇ ଦିଆଯିବ, 3, ଆସନ୍ତା ତିନି ମାସ ପର୍ଯ୍ୟନ୍ତ ୮ କୋଟି ଗରିବ ପରିବାରକୁ ମାଗଣାରେ ଗ୍ୟାସ ସିଲିଣ୍ଡର, 4, ଆସନ୍ତା ତିନି ମାସ ପର୍ଯ୍ୟନ୍ତ ୨୦ କୋଟି ଗରିବ ମହିଳା ଜନଧନ ଆକାଉଣ୍ଟଧାରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା, 5, ମନରେଗା ଶ୍ରମିକଙ୍କ ଦୈନିକ ମଜୁରି ୧୮୨ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି, ଏହାଦ୍ୱାରା ଉପକୃତ ହେବେ ୧୩.୬୨ କୋଟି ପରିବାର, 6, ୩କୋଟି ଗରିବ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ୧ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା, 7, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଚାଷୀଙ୍କୁ ୨ହଜାର ଟଙ୍କା ଲେଖାଏଁ ସହାୟତା, ଉପକୃତ ହେବେ ୮.୭ କୋଟି ଚାଷୀ, 8, ନିର୍ମାଣ ଶ୍ରମିକଙ୍କୁ ସହାୟତା ଲାଗି କୋଠାବାଡ଼ି ଶ୍ରମିକ କଲ୍ୟାଣ ପାଣ୍ଠି ଅର୍ଥ ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଗରିବଙ୍କ ସହାୟତା ଲାଗି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୧.୭୦ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୀତାରମଣ କହିଥିଲେ ଯେ, “ଦରିଦ୍ରରୁ ଦରିଦ୍ରତମ ଲୋକଙ୍କ ନିକଟରେ ଖାଦ୍ୟ ଓ ଅର୍ଥ ପହଞ୍ଚାଇବା ଉଦ୍ଦେଶ୍ୟରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି । ଏହାଦ୍ୱାରା ଏହି ଜଟିଳ ପରିସ୍ଥିତିରେ ସେମାନେ ଜରୁରି ସାମଗ୍ରୀ କିଣିବା ଏବଂ ସେମାନଙ୍କ ଆବଶ୍ୟକତା ମେଣ୍ଟାଇବାରେ ସକ୍ଷମ ହୋଇପାରିବେ ।
ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁ, ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତୀ, ଅର୍ଥ ସେବା ବିଭାଗ ସଚିବ ଦେବାଶିଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜରେ ନିମ୍ନୋକ୍ତ ସହାୟତା ଘୋଷଣା କରାଯାଇଛି ।
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ
- କୋଭିଡ-୧୯ ଲଢ଼େଇରେ ସାମିଲ ହୋଇଥିବା ସରକାରୀ ଡାକ୍ତରଖାନା ଏବଂ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୀମା ଯୋଜନା
- ସଫେଇ କର୍ମଚାରୀ, ୱାର୍ଡ ବୟ, ନର୍ସ, ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ଟେକ୍ନିସିଆନ, ଡାକ୍ତର ଓ ବିଶେଷଜ୍ଞଙ୍କ ସମେତ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସ୍ୱତନ୍ତ୍ର ବୀମା ଯୋଜନାରେ ସାମିଲ କରାଯିବ ।
- କୋଭିଡ-୧୯ ରୋଗୀଙ୍କୁ ଚିକିତ୍ସା କରୁଥିବା ଯେକୌଣସି ସ୍ୱାସ୍ଥ୍ୟ ପେସାଦାରଙ୍କ ସହିତ କୌଣସି ଅଘଟଣ ଘଟିଲେ ଏହି ବୀମା ଯୋଜନା ଅନ୍ତର୍ଗତ ୫୦ ଲକ୍ଷ ଟଙ୍କାର ଅର୍ଥରାଶି କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ।
- ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ଆରୋଗ୍ୟ କେନ୍ଦ୍ର ଏବଂ ଡାକ୍ତରଖାନା ସମେତ ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯିବ । ମହାମାରୀ ବିରୋଧରେ ଲଢ଼େଇ କରୁଥିବା ୨୨ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଏହି ବୀମା ଯୋଜନା ଅଧୀନରେ ସାମିଲ ହେବେ ।
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା
- ବନ୍ଦ ପାଳନ ଯୋଗୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଦେଶର କେହି ଜଣେ ହେଲେ, ବିଶେଷ କରି କୌଣସି ଗରିବ ପରିବାର ଯେପରି ଖାଦ୍ୟାନ୍ନ ଅଭାବ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଭାରତ ସରକାର ଦୃଷ୍ଟି ଦେବେ ।
- ଏହି ଯୋଜନାରେ ଭାରତର ଜନସଂଖ୍ୟାର ପାଖାପାଖି ଦୁଇ ତୃତୀୟାଂଶ ଅର୍ଥାତ ୮୦ କୋଟି ଲୋକଙ୍କୁ ସାମିଲ କରାଯିବ ।
- ପ୍ରତ୍ୟେକଙ୍କୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ସେମାନଙ୍କ କୋଟାଠାରୁ ଦୁଇଗୁଣା ଅଧିକ ଖାଦ୍ୟଶସ୍ୟ ମିଳିବ ।
- ଏହି ଅତିରିକ୍ତ ସହାୟତା ସେମାନଙ୍କୁ ମାଗଣାରେ ଦିଆଯିବ ।
ଡାଲି :
- ଗରିବ ଲୋକମାନଙ୍କୁ ଯଥେଷ୍ଟ ପୁଷ୍ଟିସାରଯୁକ୍ତ ଖାଦ୍ୟ ଯୋଗାଇ ଦେବା ଉଦ୍ଦେଶ୍ୟରେ, ଆଂଚଳିକତା ଭିତିରେ ଆସନ୍ତା ତିନି ମାସ ପାଇଁ ପରିବାର ପିଛା ୧କିଗ୍ରା ଲେଖାଏଁ ଡାଲି ଯୋଗାଇ ଦିଆଯିବ ।
- ଭାରତ ସରକାର ସମ୍ପୂର୍ଣ୍ଣ ମାଗଣାରେ ଏହି ଡାଲି ଯୋଗାଇ ଦେବେ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା
କୃଷକମାନଙ୍କୁ ଲାଭ :
- ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅନ୍ତର୍ଗତ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ କିସ୍ତି ସ୍ୱରୂପ ୨ହଜାର ଟଙ୍କା ଏପ୍ରିଲ ୨୦୨୦ରେ ଅଗ୍ରୀମ ଆକାରରେ ଚାଷୀମାନଙ୍କୁ ଯୋଗାଇ ଦିଆଯିବ ।
- ଏହାଦ୍ୱାରା ୮.୭ କୋଟି କୃଷକ ଲାଭବାନ ହେବେ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲାଭ ନଗଦ ହସ୍ତାନ୍ତର :
ଗରିବଙ୍କୁ ସହାୟତା
- ଆସନ୍ତା ତିନି ମାସ ପର୍ଯ୍ୟନ୍ତ ୨୦.୪୦ କୋଟି ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆକାଉଂଟଧାରୀ ମହିଳାମାନଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ।
ଗ୍ୟାସ ସିଲିଣ୍ଡର :
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୮ କୋଟି ଗରିବ ପରିବାରକୁ ମାଗଣାରେ ଗ୍ୟାସ ସିଲିଣ୍ଡର ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ।
ସଂଗଠିତ କ୍ଷେତ୍ରର କମ ପାରିଶ୍ରମିକ ପାଉଥିବା କର୍ମଜୀବୀଙ୍କୁ ସହାୟତା
- ୧୦୦ ଜଣଙ୍କ ଠାରୁ କମ କର୍ମଚାରୀ ଥିବା ବ୍ୟବସାୟିକ ସଂସ୍ଥାରେ ୧୫ହଜାର ଟଙ୍କାରୁ କମ ଦରମା ପାଉଥିବା କର୍ମଚାରୀମାନେ ସେମାନଙ୍କ ଚାକିରି ହରାଇବାର ଆଶଙ୍କା ସୃଷ୍ଟି ହୋଇଛି ।
- ଏହି ଯୋଜନା ଅନ୍ତର୍ଗତ, ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଭାରତ ସରକାର ସେମାନଙ୍କ ମାସିକ ଦରମାର ୨୪ ପ୍ରତିଶତ ସେମାନଙ୍କ ପିଏଫ ଆକାଉଂଟରେ ଜମା କରିବାକୁ ପ୍ରସ୍ତାବ ରଖିଛନ୍ତି ।
- ଏହାଦ୍ୱାରା ସେମାନଙ୍କ ଚାକିରି ସୁରକ୍ଷିତ ରହିବ ।
୬୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ, ବିଧବା ଓ ଦିବ୍ୟାଙ୍ଗଙ୍କୁ ସହାୟତା
- କୋଭିଡ-୧୯ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟ ଫଳରେ ୩ କୋଟି ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗ ଜନ ପ୍ରଭାବିତ ହେବାର ଆଶଙ୍କା ରହିଛି ।
- ଏହି କଷ୍ଟକର ସମୟରେ ସରକାର ଆସନ୍ତା ୩ ମାସ ପର୍ଯ୍ୟନ୍ତ ସେମାନଙ୍କୁ ୧ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବେ ।
ମନରେଗା
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅର୍ନ୍ତଗତ ମନରେଗା ଯୋଜନା ଅଧୀନରେ ଦୈନିକ ମଜୁରି ୧ ଏପ୍ରିଲ, ୨୦୨୦ ପରଠାରୁ ୨୦ ଟଙ୍କା ବୃଦ୍ଧି କରି ଦିଆଯାଇଛି । ମନରେଗା ଯୋଜନା ଅଧୀନରେ ମଜୁରି ବୃଦ୍ଧି ଫଳରେ ଜଣେ ଶ୍ରମିକ ବାର୍ଷିକ ଅତିରିକ୍ତ ୨ ହଜାର ଟଙ୍କାର ଲାଭ ପାଇବେ ।
- ଏହାଦ୍ୱାରା ୧୩.୬୨ କୋଟି ପରିବାର ଉପକୃତ ହେବେ ।
ସ୍ୱୟଂ ସହାୟକ ଗୋଷ୍ଠୀ :
- ୬୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଜରିଆରେ ସଂଗଠିତ ହୋଇଥିବା ମହିଳାଙ୍କ ଦ୍ୱାରା ୬.୮୫ କୋଟି ପରିବାର ଉପକୃତ ହୋଇଥାନ୍ତି ।
- ଏମାନଙ୍କ ପାଇଁ ବନ୍ଧକମୁକ୍ତ ଋଣ ପ୍ରଦାନ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଦିଆଯାଇଛି ।
- ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଅନ୍ୟାନ୍ୟ ସହାୟତା
ସଂଗଠିତ କ୍ଷେତ୍ର
- କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନ ଅଣାଯାଇ ଏଥିରେ ମହାମାରୀକୁ ଏକ କାରଣ ଭାବେ ସାମିଲ କରାଯିବ । ଯାହାଫଳରେ କର୍ମଚାରୀଙ୍କୁ ସେମାନଙ୍କ ଆକାଉଂଟ ଜରିଆରେ ୭୫ ପ୍ରତିଶତ ଅଣଫେରସ୍ତଯୋଗ୍ୟ ଅଗ୍ରୀମ କିମ୍ବା ତିନି ମାସର ପାରିଶ୍ରମିକ, ଯାହା କମ ହୋଇଥିବ, ଯୋଗାଇ ଦିଆଯିବ ।
- ଏହି ସୁବିଧା ଦ୍ୱାରା ଇପିଏଫରେ ପଞ୍ଜିକୃତ ହୋଇଥିବା ୪ କୋଟି କର୍ମଚାରୀଙ୍କ ପରିବାର ଉପକୃତ ହୋଇପାରିବେ ।
କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି :
- କେନ୍ଦ୍ର ସରକାର ଆଇନ ଅଧୀନରେ କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିରେ ପାଖାପାଖି ୩.୫ କୋଟି ପଞ୍ଜିକୃତ ଶ୍ରମିକ ରହିଛନ୍ତି ।
- ଆର୍ଥିକ ସଂକଟ ସମୟରେ ଏସବୁ ଶ୍ରମିକଙ୍କୁ ସହାୟତା ଲାଗି ଏହି ପାଣ୍ଠିର ଉପଯୋଗ ନିମନ୍ତେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ ।
ଜିଲ୍ଲା ଖଣିଜ ପାଣ୍ଠି
- କୋଭିଡ-୧୯ ସଂକ୍ରମଣ ପ୍ରତିରୋଧ ଏବଂ ନିରାକରଣ ଏବଂ ଏହି ମହାମାରୀ ଦ୍ୱାରା ପୀଡ଼ିତ ରୋଗୀଙ୍କ ଚିକିତ୍ସା ଲାଗି ଡାକ୍ତରଖାନା ସୁବିଧା, ସ୍ୱାସ୍ଥ୍ୟ ପରୀକ୍ଷା ତଥା ଅନ୍ୟାନ୍ୟ ଆବଶ୍ୟକତା ପୂରଣ ଲାଗି ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ଖର୍ଚ୍ଚ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯିବ ।


