ଗରିବ ଅସହାୟଙ୍କୁ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ରାସନ କିଟ୍ ପ୍ରଦାନ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ସଂକ୍ରମଣ ରୋକିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ରବିବାରଠାରୁ ଲକଡାଉନ ଜାରି କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ଅନୁମତି ପ୍ରଦାନ କରିଛି । ଏହି ପରିପ୍ରେକ୍ଷୀରେ ଶ୍ରମିକଙ୍କଠାରୁ ଆରମ୍ଭ କରି ନିହାତି ଗରିବ, ଅସହାୟ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇ ନିଜ ପରିବାର ଚଳାଇବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡ଼ ଓ ନିର୍ମାଣ ଶ୍ରମିକ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରଯାଇଥିଲେ ମଧ୍ୟ ଅନ୍ୟ ଗରିବ ଶ୍ରେଣୀ ହିତାଧିକାରୀମାନେ ଏଥିରୁ ବାଦ୍ ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ସହାୟତାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଜିଲ୍ଲାର ଗରିବ ଓ ଅସହାୟ ଲୋକମାନଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଉ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଜିଲ୍ଲାବାସୀଙ୍କ ସହାୟତା ନିମନ୍ତେ ହାତ ବଢ଼ାଇଛି । ଗଞ୍ଜାମ ଜିଲ୍ଲାର ୬ଟି ବ୍ଲକର ନିହାତି ଗରିବ ଅସହାୟ ପରିବାରମାନଙ୍କୁ ସହାୟତା ପ୍ରଦାନ ନିମନ୍ତେ ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ବ୍ଲକ କଣମଣା ପଂଚାୟତ ଅନ୍ତର୍ଗତ ଟାକିରିଆ ବ୍ରହ୍ମପୁର ଗ୍ରାମଠାରେ ସଂସ୍ଥା ପକ୍ଷରୁ ନିହାତି ଅସହାୟ ଗରିବ ଶ୍ରେଣୀର ପରିବାରମାନଙ୍କୁ ରାସନ କିଟ୍ ପ୍ରଦାନ କରାଯାଇଛି । ଏଥିରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି ମୁଖ୍ୟଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ । ଏହାସହ ସଂସ୍ଥାକୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଣମଣା ସରପଂଚ ଏସ୍‌.ଚକ୍ରପାଣି ରେଡ୍ଡି, ସମିତିସଭ୍ୟା ରଶ୍ମିତା ବେହେରା, ଜିପିଇଓ ସହଦେବ ମହାରଣା, ବିଏଲଡବ୍ଲୁ ସନ୍ତୋଷ କୁମାର ବେହେରା, ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ବୈଦ୍ୟନାଥ ବେହେରା, ସଂଜୟ ବିଶ୍ୱାଳ, ସୋମନାଥ ବେହେରା, କଣମଣା ନାଏବ ସରପଂଚ ଉଷାରାଣୀ ବେହେରା, ୱାର୍ଡ଼ମେମ୍ବର ରବୀନ୍ଦ୍ରନାଥ ବେହେରା, କେ.ସତ୍ୟନାରାୟଣ ରେଡ୍ଡି, ଏମବିକେ ଭି .ପଦ୍ମାଙ୍କ ସମେତ ବହୁ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ରହି ସାମାଜିକ ଦୂରତା ଅବଲମ୍ବନ କରି ହିତାଧିକାରୀମାନଙ୍କୁ ରାସନ କିଟ୍ ପ୍ରଦାନ କରିଥିଲେ । ଏହାସହ କରୋନା ମୁକାବିଲା ଉପରେ ଲୋକମାନଙ୍କୁ ସଚେତନ କରି ଘରେ କିପରି ସୁରକ୍ଷିତ ରହିବେ, ସେଥିନିମନ୍ତେ ଆମେରିକାନ ଇଣ୍ଡିଆ ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ବୈଦ୍ୟନାଥ ବେହେରା ସମସ୍ତଙ୍କୁ ସଚେତନତା କରାଇଥିଲେ । ସେହିପରି ଛତ୍ରପୁର ବ୍ଲକର ସମସ୍ତ ପଂଚାୟତରେ ୫୦୦ରୁ ଉର୍ଦ୍ଧ୍ୱ ରାସନ କିଟ୍ ବଂଟନ କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହାସହ ଜିଲ୍ଲାରେ ୨୫୦୦ କିଟ୍ ମଧ୍ୟ ପ୍ରଦାନ କରାଯିବ ବୋଲି ସ୍ଥିର କରାଯାଇଛି । ଏପରି କାର୍ଯ୍ୟକୁ ଜନସାଧାରଣ ସଂସ୍ଥାକୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ