ଗରିବ ଓଡିଆ ପିଲାର ବୁଦ୍ଧିର ପ୍ରୟୋଗଶାଳା ହେଉ ଉତ୍କଳ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, – ଦାରିଦ୍ର‌୍ୟରୁ ସମ୍ପନ୍ନତାକୁ ଯିବାର ଚାବିକାଠି ଶିକ୍ଷାରେ ଅଛି । ତେଣୁ ଆଜିର ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ଗରିବ ଘରର ପିଲାକୁ ଉଚ୍ଚଶିକ୍ଷିତ କରିବାରେ ଏକ ପ୍ରୟୋଗଶାଳା ହେଉ ବୋଲି ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଆଗାମୀ ଶତାବ୍ଦୀର ଯାତ୍ରାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଉପଲବ୍ଧି କେବଳ ଓଡିଶା କିମ୍ବା ଦେଶକୁ ନୁହେଁ ବିଶ୍ୱ ସାମ୍ନାରେ ଥିବା ଜଟିଳ ସମସ୍ୟାକୁ ସମାଧାନ କରିବାରେ ବଡ ଭୂମିକା ନେବ ବୋଲି ସେ କହିଛନ୍ତି । ୭୫ ବର୍ଷର ଲମ୍ବା ଯାତ୍ରାରେ ଓଡିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଅନେକ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ହେଉଛି ଏହି ବିଶ୍ୱବିଦ୍ୟାଳୟ । ପ୍ରଶାସନ, ସାହିତ୍ୟ, କଳା, ସମାଜ ସେବା, ରାଜନୀତି ସବୁ କ୍ଷେତ୍ରରେ ରାଜ୍ୟର ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କର ଲମ୍ବା ସଫଳତାର ଯାତ୍ରାର ଆଦିଭୂମି ହେଉଛି ଏହି କ୍ୟାମ୍ପସ । ସେହିପରି ଓଡିଆ ଜାତି, ପ୍ରାଚୀନ ସଂସ୍କୃତି ଓ ପରମ୍ପରା ବିଶ୍ୱର ଅନ୍ୟ ଜାତିରୁ ଅନ୍ୟତମ ।
ଏହିଭଳି ଅନେକ ସଂସ୍କାର, ପରମ୍ପରା, ଜୀବନଶୈଳି ବିଶ୍ୱବିଦ୍ୟାଳୟ ୭୫ ବର୍ଷରେ ଦେଇଛି ବୋଲି ସେ କହିଛନ୍ତି । ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତାର ସ୍ୱପ୍ନ ଦେଖିଥିଲେ, ଓଡିଶା ପାଇଁ ନୂଆ କଳ୍ପନା କରିଥିଲେ, ଓଡିଶାକୁ ଜାତୀୟ ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ସେହିଭଳି ମହାନୁଭବଙ୍କ ନେତୃତ୍ୱରେ ଉତ୍କଳ ବିଶ୍ୱବିଦ୍ୟାଳୟର ମଞ୍ଜି ବୁଣାଯାଇଥିଲା ଏବଂ ଆଜି ସେହି ମଞ୍ଜି ବିଶାଳ ବଟ ବୃକ୍ଷର ରୂପ ନେଇଛି । ତେଣୁ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କରିବାର ଆବଶ୍ୟକତା ରହିଛି । ଏଠାରେ ଅଶୋକ ଯୁଦ୍ଧରେ ଲକ୍ଷ ଲକ୍ଷ ଓଡିଆ ଲୋକଙ୍କୁ ମାରିବା ପରେ ଚଣ୍ଡା ଶୋକରୁ ଧର୍ମାଶୋକକୁ ପରିବର୍ତିତ ହୋଇଥିଲେ । ଓଡିଆ ଲୋକଙ୍କୁ ଅଶୋକ ହରେଇନଥିଲେ ବରଂ ଅଶୋକାଙ୍କର ଅହଁଙ୍କାରକୁ ଓଡିଆ ଲୋକମାନେ ହରାଇଥିଲେ । ଅପରପକ୍ଷରେ ଗୋଟିଏ ସମୟରେ ଇସ୍ରାଏଲ ପୃଥିବୀର ନକ୍ସାରୁ ବିଲୁପ୍ତ ହୋଇଯାଇଥିଲା । ମାତ୍ର ଆଜି ଏକବିଂଶ ଶତାବ୍ଦୀରେ ଇସ୍ରାଏଲକୁ ଜ୍ଞାନ କୌଶଳର ଏକ ଶକ୍ତିଶାଳୀ ଦେଶ ଭାବେ ତିଆରି କରବାରେ
ଇସ୍ରାଏଲର ବୁଦ୍ଧୀଜୀବୀ ମାନଙ୍କର ତଥା ଇସ୍ରାଏଲର ବୁଦ୍ଧୀଜୀବୀ ମାନଙ୍କ ଦ୍ୱାରା ପରିକଳ୍ପିତ ବିଶ୍ୱବିଦ୍ୟାଳୟର ପାଠ୍ୟପୁସ୍ତକର ବଡ ଅବଦାନ ରହିଛି ବୋଲି କହିଛନ୍ତି । ବିଶ୍ୱବିଦ୍ୟାଳୟ ଇତିହାସର ପୁନଃରଚନା କଥା ନଭାବିବ । ଯାହାର ଶକ୍ତି ଅଛି ତାକୁ ସମାଜକୁ ଦିଗବିଜୟ ହେବାର ଶ୍ରେୟ ମିଳିଛି । ଓଡିଆ ଲୋକ ଚାହିଁଲେ ଉତ୍କଳ ବିଶ୍ୱବିଦ୍ୟାଳୟ ବିଶ୍ୱସ୍ତରର ହୋଇପାରିବ ବୋଲି ସେ କହିଛନ୍ତି । ସେହିଭଳି ଏକବିଂଶ ଶତାବ୍ଦୀ ଏକ ଜ୍ଞାନର ଶତାବ୍ଦୀ । ଆଗାମୀ ୨୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ ପୃଥିବୀର ଏକ ଜ୍ଞାନ କେନ୍ଦ୍ର ଭାବେ ଗଢି ଉଠୁ । ଏଥିପାଇଁ ସମସ୍ତଙ୍କୁ ସଂକଳ୍ପ ନେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ