ଗରିବ ଓ ଭୂମିହୀନଙ୍କ ଅଧିକାର ପାଇଁ ପ୍ରହ୍ଲାଦ ମଲିକଙ୍କ ଭୂମିକା ଉଲ୍ଲେଖନୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶାର ବିଶିଷ୍ଟ ଜନନେତା ପ୍ରହ୍ଲାଦ ମଲିକଙ୍କ ୯୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ, ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦ ଓ ପ୍ରହ୍ଲାଦ ମଲିକ ଚାରିଟେବୁଲ ଟ୍ରଷ୍ଟ, ଓଡ଼ିଶା ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ କୋଭିଡ଼ ନିୟମ ପାଳନ ପୂର୍ବକ ପାଳିତ ହୋଇଯାଇଛି । ରାଜ୍ୟର ସାମଗ୍ରିକ ବିକାଶ ପାଇଁ ପ୍ରହ୍ଲାଦ ମଲିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ବେଳେ ଗରିବ ଓ ଭୂମିହୀନମାନଙ୍କ ଭୂମି ଅଧିକାର ପାଇଁ ଅଭିପ୍ରେତ ଜମି ସିଲିଂ ବିଲ୍‌କୁ ସରକାରୀ ଦଳରେ ଥାଇ ମଧ୍ୟ ସେ ବିରୋଧ କରିଥିଲେ ଓ ୧୫ ଏକର ସିଲିଂ ସ୍ଥିର କରାଯାଇଥିଲା । ରାଜ୍ୟର କୃଷି, ଜଳସେଚନ, ବନ୍ୟା ନିୟନ୍ତ୍ରଣ, ପାରାଦ୍ୱୀପ ବନ୍ଦର ନିର୍ମାଣ, ଅର୍ଥନୈତିକ ଭିତ୍ତିଭୂମିର ବିକାଶ ଆଦି ଦିଗରେ ଶ୍ରୀ ମଲିକଙ୍କ ଅବଦାନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଦିବଂଗତ ଜନନେତାଙ୍କ ସ୍ମୃତିଚାରଣ ସହିତ ତାଙ୍କ ରାଜନୈତିକ ଜୀବନର ବିଶିଷ୍ଟ ଘଟଣାଗୁଡ଼ିକ ପରିଷଦର କାର୍ଯ୍ୟକାରୀ ସଭାପତି ଡକ୍ଟର ସିପ୍ରା ମଲ୍ଲିକ ସ୍ମରଣ କରାଇଥିଲେ । ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ବସନ୍ତ କୁମାର ମଲ୍ଲିକ ପ୍ରହ୍ଲାଦ ମଲିକ ସ୍ମୃତି ପରିଷଦର ବିବରଣୀ ପ୍ରଦାନ କରିଥିଲେ ଏବଂ ସାମାଜିକ ନ୍ୟାୟ ଓ ଅଧିକାର ସମ୍ପର୍କରେ ଜନନେତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଆସୁଛନ୍ତି ବୋଲି ଉଦ୍‌ଘୋଷଣ କରିଥିଲେ । ଜନନେତାଙ୍କ ଜଳ ଯୋଜନା ଆଜି କେନ୍ଦ୍ରାପଡ଼ା ଅଞ୍ଚଳରେ ସ୍ମରଣୀୟ ଏବଂ ସେ ଅଞ୍ଚଳର ‘ବାଇମୁଣ୍ଡି’ ବୋଲି ପରିଚିତ ଏକଥା ଡଃ ପ୍ରଫେସର ମଲ୍ଲିକ ଉଲ୍ଲେଖ କରିଥିଲେ । ଜନନେତା ପ୍ରହ୍ଲାଦ ମଲିିକଙ୍କ ଜୟନ୍ତୀ ସମାରୋହରେ ବିଶିଷ୍ଟ କୃଷି ବୈଜ୍ଞାନିକ ଡ଼କ୍ଟର ସୁଷମା ସୁଧାଶ୍ରୀଙ୍କୁ ‘ପ୍ରହ୍ଲାଦ ମଲିକ ସମ୍ମାନ-୨୦୨୧’ ପ୍ରଦାନ କରାଯାଇଥିଲା ଏବଂ ସତ୍ୟନଗରର ଶବଦାହିକା ଶ୍ରୀମତୀ ରଞ୍ଜନା ନାୟକଙ୍କୁ ‘ପ୍ରହ୍ଲାଦ ମଲିକ ସ୍ମାରକୀ ସମ୍ବର୍ଦ୍ଧନା-୨୦୨୧’ ପ୍ରଦାନ କରାଯାଇ ସେମାନଙ୍କର ସୁଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଉକ୍ତ ଉତ୍ସବରେ ସମ୍ମାନନୀୟ ସୂଚନା କମିଶନର ଶ୍ରୀଯୁକ୍ତ ଦିଲୀପ କୁମାର ବିଷୋୟୀ ପ୍ରହ୍ଲାଦ ମଲିକଙ୍କ ଆଦର୍ଶ, ଲୋକପ୍ରିୟତା, ଲୋକସେବା ବୃଦ୍ଧି ଓ ଜନ ସମସ୍ୟାର ସମାଧାନ ସିଦ୍ଧାନ୍ତ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟବକ୍ତା ଭାବରେ ବାଗ୍ମୀ ଦାଶ ବେନହୁର ପ୍ରହ୍ଲାଦ ମଲିକଙ୍କ ରାଜନୈତିକ ଜୀବନ ଅବତାରଣା କରି ‘ସଂସ୍କୃତି, ଗଣତନ୍ତ୍ର ଓ ପ୍ରହ୍ଲାଦ ମଲିକ’ ଶୀର୍ଷକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ପ୍ରହ୍ଲାଦ ମଲିକ ଜୀବନାଦର୍ଶ ଓ ଓଡ଼ିଶାର ଅର୍ଥନୈତିକ ବିକାଶରେ ସ୍ୱର୍ଗତ ପ୍ରହ୍ଲାଦ ମଲିକଙ୍କ ଅବଦାନକୁ ସ୍ମରଣ କରିଥିଲେ । ଏହି ପବିତ୍ର ସମାରୋହରେ ପ୍ରହ୍ଲାଦ ମଲିକଙ୍କ କନ୍ୟା ସୁପ୍ରିୟା ମଲ୍ଲିକଙ୍କ ଦ୍ୱାରା ରଚିତ ପୁସ୍ତକ ‘ବୈଷମ୍ୟ ବିରୋଧୀ ସଂଗ୍ରାମରୁ ଦଳିତ ସାହିତ୍ୟ’ ଲୋକାର୍ପିତ ହୋଇଥିଲା । ପରିଷଦର ସଭାପତି ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ ସଭା ପରିଚାଳନା କରିଥିଲେ ଏବଂ ପ୍ରଫେସର କୁଞ୍ଜବିହାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଡ଼କ୍ଟର ରମେଶ ଚନ୍ଦ୍ର ମଲ୍ଲିକ, ସୁମିତ୍ରା ମହାନ୍ତି, ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀ, ଶ୍ରୀଯୁକ୍ତ ଶେଷଦେବ ମଲ୍ଲିକ, ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମଲିକ ଓ ବହୁ ପ୍ରହ୍ଲାଦପ୍ରେମୀ ଏହି ସଭାରେ ଯୋଗଦାନ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ