ଗର୍ଭପାତ ମାମଲା, ଡାକ୍ତର ଗିରଫ
ଭୁବନେଶ୍ୱର: ବୀରମିତ୍ରପୁର ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ବୀରମିତ୍ରପୁର ସରକାରୀ ହସ୍ପିଟାଲର ଡାକ୍ତରଙ୍କୁ ଗିରଫ କରାଯାଇଛି । ଡାକ୍ତର ଦେବାଶିଷ ଘୋଷଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । କ୍ରାଇମବ୍ରାଞ୍ଚ ପ୍ରଥମେ ଡାକ୍ତର ଘୋଷଙ୍କୁ ବୀରମିତ୍ରପୁର ଥାନାକୁ ଡାକି ମାମଲା ସମ୍ପର୍କରେ ପଚରାଉଚୁରା କରିଥିଲା । ପରେ ବେଆଇନ ଗର୍ଭପାତ କରିଥିବା ଅଭିଯୋଗରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୀରମିତ୍ରପୁରର ବହିଷ୍କୃତ ପୂର୍ବତନ ଥାନା ଅଧିକାରୀ ଆନନ୍ଦ ମାଝି ପୂର୍ବରୁ ଗିରଫ ହୋଇ ଜେଲ୍ରେ ଅଛନ୍ତି। ତାଙ୍କୁ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ଅନୁଗୁଳ ବଇଣ୍ଡା ଅଞ୍ଚଳର ଏକ ଜଙ୍ଗଲରୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଜଣେ ଅସହାୟ ନାବାଳିକାକୁ ବଳାତ୍କାର ଓ ଗର୍ଭପାତ ମାମଲାରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୪ ଜଣ ଏବେ ବି ଫେରାର ଅଛନ୍ତି।


