ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରି ଜେଲ ଗଲେ ଡାକ୍ତର ଏବଂ କ୍ଲିନିକ ମାଲିକ

କେନ୍ଦ୍ରାପଡା – ବେଆଇନ ଭାବେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରି ଜଣେ କ୍ଲିନିକ ମାଲିକ ସମେତ ସଂପୃକ୍ତ ଡାକ୍ତର ଜଣକ ଦଣ୍ଡିତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଆଳି ବଜାରରେ ଥିବା କିୱର ଡାଇଗ୍ନୋଷ୍ଟିକର ମାଲିକ ଏବଂ ଡାକ୍ତର ସଞ୍ଜୟ କୁମାର ସାହୁଙ୍କୁ ଆଳି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟ ଦଣ୍ଡିତ କରିଛନ୍ତି । ସରକାରଙ୍କ ପ୍ରଣିତ ପିିସି ଆଣ୍ଡ ପିଏନଡିଟି ଆକ୍ଟରେ ଏକ ମାମଲା ଦାୟର କରାଯାଇଥିଲା । ଏକଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ ତଥା ପଟ୍ଟାମୁଣ୍ଡାଇ ବିଡିଓ ରମେଶ ଚନ୍ଦ୍ର ଜେନାଙ୍କ ଏତଲା କ୍ରମେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଯୁଗ୍ମ ନିର୍ଦ୍ଦେଶକ ଡା. ଅଜିତ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସତ୍ୟବ୍ରତ ଛୋଟରାୟ, ପିସିପିଏନଡିଟି ରାଜ୍ୟ ଆଇନ ପରାମର୍ଶଦାତା ମନୋରଞ୍ଜନ ପ୍ରଧାନ, ଶ୍ରାବଣୀ ଦାସ ଏବଂ ରାଜ୍ୟ ଡେମୋଗ୍ରାଫି ବିଭୁତି ଭୂଷଣ ପ୍ରଧାନଙ୍କୁ ନେଇ ଗତ ୨୦୧୪ ମସିହା ସେପ୍ଟେମ୍ବର ୧୨ ତାରିଖ ଦିନ ଆଳି ଡାକ୍ତରଖାନା ନିକଟସ୍ଥ କିୱର ଡାଇଗ୍ନୋଷ୍ଟିକ କେନ୍ଦ୍ରରେ ଅଚାନକ ଚଢାଉ କରି ତଦନ୍ତ ଆରମ୍ଭ କରିଥିଲେ । କିୱର ଡାଇଗ୍ନୋଷ୍ଟିକ ମାଲିକ ଜମିଲ ଅହମଦ ଜଣେ ଯୋଗ୍ୟତା ହୀନ ଅଲଟ୍ରାସାଉଣ୍ଡ ମେସିନ ଚଳାଉ ଥିବା ଡାକ୍ତର ସଞ୍ଜୟ କୁମାର ସାହୁଙ୍କୁ ଅଲଟ୍ରାସାଉଣ୍ଡ ମେସିନ ଚଳାଇବାପାଇଁ ନିୟୋଜିତ କରିବାର ଦୃଷ୍ଟି ଗୋଚର ହୋଇଥିଲା । ତଦନ୍ତ ଟିମ୍ ଅଲଟ୍ରାସାଉଣ୍ଡ କ୍ଲିନକର କାଗଜପତ୍ର ଏବଂ ମେସିନ ଜବତ କରି ମାଲିକ ଜମିଲ ଅହମ୍ମଦ ଏବଂ ଡାକ୍ତର ସଞ୍ଜୟ କୁମାର ସାହୁଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଥିଲେ । ସେହି ମୋକଦ୍ଦମା ନଂ-୩୫୭/୨୦୧୪କୁ ବିଚାର କରି ଆଳି ଜେ.ଏମ.ଏଫ.ସି. କୋର୍ଟ ଚଳିତ ୨୨ ତାରିଖରେ ରାୟ ଶୁଣାଇଥିଲେ । କ୍ଲିନିକର ମାଲିକ ଏବଂ ଡାକ୍ତର ସଞ୍ଜୟ କୁମାର ସାହୁଙ୍କୁ ପିସିପିଏନଟଡିଟି ଆକ୍ଟରେ ୧ ବର୍ଷ ଜେଲ ଦଣ୍ଡାଦେଶ ସହିତ ୧୦ ହଜାର ଟଙ୍କାର ଜୋରିମାନା ଆଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ