ଗଲୱାନ ନଦୀ ଉପରେ ସେତୁ ନିର୍ମାଣ ଶେଷ କଲା ଭାରତ
ନୂଆଦିଲ୍ଲୀ: ଗଲୱାନକୁ ଚୀନ ବାରମ୍ବାର ନିଜ ଅଞ୍ଚଳ ବୋଲି ଦାବି କରିବାରୁ ଭାରତ ଓ ଚୀନ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ଉତ୍ତେଜନା ହ୍ରାସ ପାଇଁ ଯେଉଁ ପ୍ରୟାସ ଜାରି ରହିଛି ସେଥିରେ ବାଧା ଉପୁଜିଛି । ତେବେ ଇତି ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ମିଳିଛି । ସେନା ଇଞ୍ଜିନିୟରଙ୍କ ସୂତ୍ରରୁ ଖବର ମିଳିଛି ଯେ ସେମାନେ ପୂର୍ବ ଲଦାଖରେ ଗଲୱାନ ନଦୀ ଉପରେ ୬୦ ମିଟର ଲମ୍ବର ଏକ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ଏହା ଦ୍ୱାରା ସମ୍ପୂର୍ଣ୍ଣ ସମ୍ବେଦନଶୀଳ ସେକ୍ଟରରେ ଭାରତର ଦଖଲ ଅଧିକ ମଜବୁତ ହୋଇପାରିବ । ଭାରତୀୟ ସୈନ୍ୟ ଦଳ ମଧ୍ୟ ଏହି ଶୀତଳ ପାର୍ବତ୍ୟ ନଦୀ ଅଞ୍ଚଳରେ ଅତି ସହଜରେ ପାଟ୍ରୋଲ କରିପାରିବେ ଏବଂ ଦାବ୍ରୁକଠାରୁ ଦୌଲତ ବେଗ ଓଲଡି ପର୍ଯ୍ୟନ୍ତ ପ୍ରାୟ ୨୨୫ କିମି ରଣନୀତିକ ସଡ଼କକୁ ସୁରକ୍ଷା ଦେଇପାରିବେ । ସମ୍ପୃକ୍ତ ଅଞ୍ଚଳରେ ପିଏଲଏ ସୈନିକ ଭାରତୀୟ ସେନାବାହିନୀରେ ଏହି ପ୍ରକଳ୍ପକୁ ଲଗାତାର ବିରୋଧ କରିଥିବା ସତ୍ତ୍ୱେ ଭାରତ ପକ୍ଷରୁ ଏହି ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତେବେ କୁହାଯାଇଛି ଯେ ଏହି ରଣନୀତିକ ପୋଲର ନିର୍ମାଣ ଯୋଗୁଁ ଚୀନର ପିପୁଲ୍ସ ଲିବରେସନ ଆର୍ମି ଅତି ଆକ୍ରମଣାତ୍ମକ ହୋଇଯାଇଥିଲା । ଏହା ଦ୍ୱାରା ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଉପୁଜିଛି । ସମଗ୍ର ଗଲୱାନ ନଦୀ ଘାଟିକୁ ଚୀନ ସେନା ଅତି ବେପରୁଆ ଭାବେ ନିଜର ବୋଲି ଦାବି କରୁଛି । ସୀମା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଏବଂ ବର୍ଡର ରୋଡସ ଅର୍ଗାନାଇଜେସନ କାର୍ଯ୍ୟ ମଧ୍ୟ ପିଏଲଏର ବିରୋଧ ସତ୍ତ୍ୱେ ଜାରି ରହିବ ବୋଲି ଜଣାପଡ଼ିଛି ।