ଗଳଦାରୀ-ଅରଖକୁଦ ମତ୍ସଦିଆ ବିବାଦ
ନାଉଗାଁ:ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀନଦୀର ଗଳଦାରୀ-ଅରଖକୁଦ ଓ ଏରେଡା ମତ୍ସଦିଆ ସୈରାତକୁ ନେଇ ଲାଗିଥିବା ବିବାଦ କାରଣରୁ ସ୍ଥାନୀୟ କ୍ଷତିଗ୍ରସ୍ତ ପାରମ୍ପରିକ ମତ୍ସଜୀବିମାନେ ଶନିବାର ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଦେବୀନଦୀରେ ଗଳଦାରୀ-ଅରକକୁଦ ଓ ଏରେଡା ମତ୍ସଦିଆ ସୈରାତ ଉପରେ ସ୍ଥାନୀୟ ଗଳଦାରୀ, ଅରଖକୁଦ,ଏରେଡା, ଗଜରାଜପୁର ଓ ରୋହିଆ ପ୍ରଭୃତି ଗ୍ରାମର ମତ୍ସଜୀବମାନେ ଆବାହମାନ କାଳରୁ ନିର୍ଭର କରି ଚଳିଆସୁଛନ୍ତି । ଏଥିରେ ଶୃଙ୍ଖଳିତ ଭାବେ ମାଛ ଧରିବା ତଥା କୈବର୍ତ ମାନଙ୍କ ସାମୁହିକ ଉନ୍ନତି ପାଇଁ ୨୦୦୫ ମସିହାରେ ଏକ ମଣ୍ଡଳ ସ୍ତରୀୟ ସମବାୟ ସମିତି ଗଠନ କରାଯାଇଥିଲା । ଯାହାକୁ ମା ମଙ୍ଗଳା ପ୍ରାଥମିକ ସମବାୟ ସମିତ ଭାବେ ପଂଜୀକୃତ କରାଯାଇଥିଲା । ୨୦୧୫-୧୬ ଆର୍ଥିକ ବର୍ଷରେ ଏହି ସମବାୟ ସମିତି ଜିଲ୍ଲା ମତ୍ସ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନାଉଗାଁ ତହସିଲଦାରଙ୍କ ନିକଟରେ ବାର୍ଷିକ ଲିଜ ଅର୍ଥ ପୈଠ କରି ସଭ୍ୟଭୁକ୍ତ ମତ୍ସଜୀବିମାନଙ୍କୁ ମାଛ ଧରିବା ପାଇଁ ସୁଯୋଗ ଦେଇ ଆସୁଥିଲେ । କିନ୍ତୁ ପରବର୍ତି ସମୟରେ କିଛି ନ୍ୟର୍ଥସ୍ୱାର୍ଥ ବ୍ୟକ୍ତି ଓ ନିକଟସ୍ଥ ବାଲି ମାଫିଆଙ୍କ ପ୍ରରୋଚନାରେ ଉକ୍ତ ସମିତିରେ ସଭ୍ୟ ଭୁକ୍ତ ହୋଇ ନଥିବା ସ୍ଥାନୀୟ ଅଂଚଳର କେତେକ ମତ୍ସଜୀବିମାନଙ୍କୁ ନେଇ ମା କୁତାମଚଣ୍ଡୀ ପ୍ରାଥମିକ ମତ୍ସଜୀବି ସମବାୟ ସମିତି ଗଠନ କରାଯାଉଛି । ଅନ୍ୟପଟରେ ମା ମଙ୍ଗଳା ପ୍ରାଥମିକ ସମବାୟ ସମିତି ଲିଜ ଆକାରରେ ସୈରାତକୁ ନେଇ ନିଜର ଜିବିକା ନିର୍ବାହ କରୁଥିବା ବେଳେ ବର୍ତମାନ ଉକ୍ତ ସମବାୟ ସମିତିକୁ ଅଣଦେଖା କରାଯାଇ ନୂତନ ଭାବେ ଗଠନ ହୋଇଥିବା ମା କୁତାମଚଣ୍ଡୀ ସମବାୟ ସମିତିକୁ ସୈରାତ ପରିଚାଳନା ଭାର ଦେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଯାହାଫଳରେ ମା ମଙ୍ଗଳା ସମବାୟ ସମିତିରେ ଥିବା ସଦସ୍ୟମାନେ ଉଦବେଗ ପ୍ରକାଶ କରିବା ସହିତ ତାଙ୍କ କୁଳ ବେଉସାକୁ ଛାଡିବାକୁ ବାଧ୍ୟ ହୋଇଛନ୍ତି । ତେଣୁ ମା ମଙ୍ଗଳା ସମବାୟ ସମିତି ନ୍ୟାୟ ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏବେ ମାମଲା ନ୍ୟାୟାଳୟରେ ବିଚାରଧିନ ରହିଥିବା ବେଳେ ନାଉଗାଁ ତହସିଲଦାର ନୂତନ ଭାବେ ଗଠିତ ମା’କୁତାମଚଣ୍ଡୀ ସମବାୟ ସମିତି ଠାରୁ ୨୦୧୯-୨୦ ଆର୍ଥୀକ ବର୍ଷରେ ସୈରାତ ଲିଜ ଦେବା ପାଇଁ ଲିଜ ଅର୍ଥ ଗ୍ରହଣ କରିଛନ୍ତି । ଉକ୍ତ ଲିଜ ପ୍ରଦାନକୁ ବିରୋଧ କରି ୫୦ରୁ ଉର୍ଦ୍ଧ ମତ୍ସଜୀବି ପରିବାର ଯଥା ଶ୍ରୀଚରଣ ସୁର, ରବିନ୍ଦ୍ର ସୁର, ସୁରେନ୍ଦ୍ର ନାଥ ବେହେରା, ନିରଞନ ବେହେରା, ଜୟନ୍ତୀ ସୁର, ପୁଷ୍ପାଞଳି ବେହେରା ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଉକ୍ତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଏହାକୁ ଗୁରୁତର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ ପ୍ରତିଶୃତି ଦେଇଥିବା ଜଣାଯାଇଛି ।


