ଗସ୍ତ ପୂର୍ବରୁ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ଜିଲା କଂଗ୍ରେସର ପ୍ରଶ୍ନ
ବାଲେଶ୍ୱର, (ସରୋଜ ପଣ୍ଡା):ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବଙ୍କ ଦୁଇ ଦିନିଆ ବାଲେଶ୍ୱର ଗସ୍ତକୁ ନେଇ ଜିଲା ମୁଖ୍ୟତଃ ୫ଟି ସମସ୍ୟା ସମ୍ପର୍କରେ ଉତ୍ତର ଦାବି କରିଛି ଜିଲା କଂଗ୍ରେସ କମିଟି । ୫-ଟି ସଚିବ ଭିକେ ପାଣ୍ଡିଆନ ସମ୍ପ୍ରତି ଛାୟା ମୁଖ୍ୟମନ୍ତ୍ରୀ ଭାବେ କ୍ଷମତା ଜାହିର କରି ଚାଲଛନ୍ତି ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆରୋପ ଉଠାଇଛନ୍ତି ଜିଲା କଂଗ୍ରେସ ସଭାପତି ସଂଜୀବ ଗିରି । ଜଣେ ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଜେଡ଼ି ବିଧାୟକଙ୍କ ସମେତ ଜିଲା ପ୍ରଶାସନ ଦିନରାତି ଏକ କରି ପ୍ରସ୍ତୁତିରେ ଲାଗି ରହିବା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ସେ କହିଛନ୍ତି । ସମଗ୍ର ଦେଶରେ ଏଭଳି ଅଭାବନୀୟ ଘଟଣା ପୂର୍ବରୁ କେବେ ଦେଖା ଯାଇନଥିଲା । ବିଜେଡି ସରକାରଙ୍କ ଏଭଳି କାର୍ଯ୍ୟକଳାପ ଗଣତନ୍ତ୍ରର ଘୋର ବିରୋଧୀ ହୋଇଥିବା ବେଳେ ଆଗାମୀ ଦିନରେ ଏହା ବିପଦଜନକ ପରିସ୍ଥିତି ସୃଷ୍ଟି କରିବ ବୋଲି ଶ୍ରୀ ଗିରି ଆଶଙ୍କା ପ୍ରକାଶ କରିଥିଲେ । ତେବେ ବାଲେଶ୍ୱର ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଆସିବ ଓ କଟକୁ ରୋଗୀ ରେଫର ବନ୍ଦ ହେବ ସେ ସମ୍ପର୍କରେ ଶ୍ରୀ ଗିରି ଛାୟା ମୁଖ୍ୟମନ୍ତ୍ରୀଙ୍କ ପାଇଁ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ରାଜ୍ୟ ସରକାର ସୁପର ସ୍ପେଶାଲିଟି ହସ୍ପିଟାଲ ପ୍ରତିଷ୍ଠା କରିଥିବା ବେଳେ ବାଲେଶ୍ୱରବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ତତ୍କାଳୀନ ୟୁପିଏ ସରକାରଙ୍କ ଦ୍ୱାରା ମଞ୍ଜୁର ୩୫୦ ଶଯ୍ୟା ବିଶିଷ୍ଟ ଏମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲ ଏବଂ ନର୍ସିଂ କଲେଜ୍ ପ୍ରତିଷ୍ଠା ନିମନ୍ତେ ମୁଖ୍ୟମନ୍ତ୍ରୀ କ’ଣ ପଦକ୍ଷେପ ନେଇଚନ୍ତି । ସେହିଭଳି କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିବା ସୁବର୍ଣ୍ଣରେଖା ବନ୍ୟା ନିୟନ୍ତ୍ରଣ ଯୋଜନା ୨୩ବର୍ଷରେ ବି ରାଜ୍ୟ ସରକାର କାର୍ଯ୍ୟକାରୀ କରିନାହାନ୍ତି । କଂଗ୍ରେସ ସରକାରଙ୍କ ‘ହଜାରେ ଦିନରେ ହଜାରେ ଶିଳ୍ପ’ ଯୋଜନାରେ ବାଲେଶ୍ୱର ଜିଲାରେ ଖୋଲିଥିବା ହଜାର ହଜାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପରେ ଏବେ ତାଲା ଝୁଲିବା ନବୀନ ସରକାରଙ୍କ ବଡ଼ ଉପଲବ୍ଧି କି ବୋଲି ଶ୍ରୀ ଗିରି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର କଟକ, ଭୁବନେଶ୍ୱର, ରାଉରକେଲା ଓ ସମ୍ବଲପୁର ସମେତ ବ୍ରହ୍ମପୁରକୁ ମହାନଗର ନିଗମର ମାନ୍ୟତା ଦେଇଥିବା ବେଳେ କ’ଣ ପାଇଁ ବାଲେଶ୍ୱର ପୌରପାଳିକାକୁ ମହାନଗର ନିଗମର ମାନ୍ୟତା ଦେବାକୁ କୁଣ୍ଠାବୋଧ କରୁଛନ୍ତି, ତାହାର ଉତ୍ତର ରଖିବାକୁ ଶ୍ରୀ ଗିରି ଦାବି କରିଛନ୍ତି । ଅନ୍ୟପକ୍ଷରେ ନିଶା କାରବାର ଶୀର୍ଷକୁ ଯାଉଥିବା ଏହି ଜିଲାକୁ ସମ୍ପ୍ରତି ‘ଉଡ଼ତା ବାଲେଶ୍ୱର’ର ପରିଚୟ ମିଳିଛି । ପଶ୍ଚିମବଙ୍ଗରୁ ପ୍ରତିଦିନ କିଲୋ କିଲୋ ବ୍ରାଉନସୁଗାର ଜଳେଶ୍ୱର ଦେଇ ସାରା ରାଜ୍ୟକୁ ଚାଲାଣ ହେଉଛି । ମାତ୍ର ଏହାକୁ ରୋକିବାରେ କ’ଣ ପାଇଁ ରାଜ୍ୟ ସରକାର ଉଦାସୀନତା ଦେଖାଉଛନ୍ତି ବୋଲି ଶ୍ରୀ ଗିରି ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଉଚିତ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଜିଲା କଂଗ୍ରେସ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାକୁ ବାଧ୍ୟ ହେବ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅର୍ଚ୍ଚନା ନନ୍ଦୀ, ଗୋପୀନାଥ ପାଢ଼ୀ, ଶ୍ରମିକ ନେତା ବିକାଶ ଦାସ ଓ ଗୌତମ ସାହୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।


