ଗହଣା ଓ ଟଙ୍କା ଧରି ବିବାହିତା ମହିଳା ଫେରାର, ଥାନାରେ ଏତାଲା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ବାପା ଘରକୁ ବୁଲି ଯିବାକୁ କହି ସ୍ୱାମୀ ଘରୁ ଗହଣା ଓ ଟଙ୍କା ନେଇ ଜଣେ ବିବାହିତା ମହିଳା ଫେରାର ହେବା ଘଟଣା ଅଂଚଳରେ ଚର୍ଚ୍ଚା ଜୋର ଧରିଛି ଏଭଳି ଏକ ଘଟଣା ହିଂଜିଳି ଥାନା ଆଲପୁର ଗ୍ରମରେ ଘଟିଛି । ଫେରାର ମହିଳା ଜଣକ ହିଂଜିଳି ବ୍ଳକ ତଥା ପୁରୁଷୋତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ଆରତି ରାଉତ । ଏ ନେଇ ମହିଳାଙ୍କ ସ୍ୱାମି କୃଷ୍ଣ ଦଳାଇ ହିଂଜିଳି ଥାନାରେ ଅଭିଯୋଗ କରିଛନ୍ତି । ଏ ନେଇ ନଂ- ୩୨/୧୯ ରେ ଏକ ନିଖୋଜ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ହିଂଜିଳି ଥାନା ଆଲପୁର ଗ୍ରାମର କୃଷ୍ଣଙ୍କ ସହ ହିଂଜିଳି ବ୍ଳକ ତଥା ପୁରୁଷୋତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ଆରତିଙ୍କ ସହ ଗତ ୨୦୧୬ ମସିହାରେ ବାହାଘର ହୋଇଥିଲା । ବାହାଘର ପରେ କୃଷ୍ଣ ବ୍ୟବସାୟ କରୁଥିବା ବଲାଙ୍ଗିର ଜିଲ୍ଲାକୁ ଚାଲି ଯାଇଥିଲେ । ଚଳିତ ମାସ ୧୯ ତାରିଖରେ ମହିଳା ଜଣକ ସ୍ୱାମୀଙ୍କ ସହ ଶାଶୁ ଘର ଆଲପୁର ଗ୍ରାମକୁ ଆସିଥିଲେ । ୨୨ ତାରିଖରେ ବାପାଘର ଗ୍ରାମକୁ ଯିବା ପାଇଁ ସ୍ୱାମୀଙ୍କୁ କହିଥିଲେ । ମହିଳା ଓ ତାଙ୍କ ଦିଅର ଏକ ଅଟୋ ଯୋଗେ ଆଲପୁର ଠାରୁ ବାଳକୃଷ୍ଣପୁର ଯିବା ବାଟରେ ସିକିରି ଠାରେ ସର୍ମ୍ପକୀୟ ମାମୁଁ ଘରକୁ ଯିବା ପାଇଁ ମହିଳା ଜଣକ ଦିଅରଙ୍କୁ କହିଥିଲେ । ସିକିରି ଠାରେ ଅଟୋରୁ ଓହ୍ଲାଇ ମାମୁଁ ଘରକୁ ଯାଇ ଘରର ବାରିପଟ ଦେଇ କେଉଁଆଡ଼େ ଚାଲି ଯାଇଥିଲେ । ଘଟଣା ନେଇ ଦିଅର ଜଣକ ଭାଉଜଙ୍କ ପରିବାର ଓ ବଡ଼ଭାଇ କୃଷ୍ଣଙ୍କୁ କହିବା ପରେ ପରିବାର ସଦସ୍ୟ ବହୁ ଖୋଜାଖୋଜି କରିଥିଲେ । ଏପରିକି ବଲାଙ୍ଗିର ଜିଲ୍ଲାକୁ ଚାଲି ଯାଇଥିବା ସନ୍ଦେହ କରି ମହିଳାଙ୍କ ବାପା ବାଉରିବନ୍ଦୁ ରାଉତ ବଲାଙ୍ଗିର ପୋଲିସ ସହାୟତାରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନଥିଲା । ପରେ ମହିଳାଙ୍କ ସ୍ୱାମୀ ଏ ନେଇ ହିଂଜିଳି ଥାନାରେ ନିଖୋଜ ନେଇ ଥାନାରେ ଏତାଲା ଦେଇଥିଲେ ।