ଗହ୍ମା ପୂର୍ଣ୍ଣିମାର ତାତ୍ପର୍ଯ୍ୟ
ବିପିନ ବିହାରୀ ମହାନ୍ତି
ଶ୍ରାବଣ ପୂର୍ଣ୍ଣମୀ ଦିନ ଏକ ସମୟରେ ଏକାଧିକ ପର୍ବ ପାଳିତ ହୁଏ । ଏମାନେ ହେଲେ ଝୁଲଣ, ଗହ୍ମା, ରାକ୍ଷୀ ଏବଂ ଗୁରୁପୂର୍ଣ୍ଣିମା ତଥା ବଳଭଦ୍ରଙ୍କ ଜନ୍ମଦିବସ । ଗହ୍ମା ପର୍ବଟି ଏହା ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ ।
‘ଗହ୍ମା’ ଏକ ଦେଶଜ ଶବ୍ଦ ଯାହାର ଅର୍ଥ ଏକ ଖେଳ ବା ଖେଳର ମେଳକୁ ବୁଝାଯାଏ । ଦୋଳ, ହୋଲି ଏବଂ ଦଶହରା ଇତ୍ୟାଦିରେ ଆମେ ଯେଉଁ ମଉଜ ମଜଲିସ୍କରୁ, ତାହା ଏହି ଅବସରରେ ଆମୋଦପ୍ରମୋଦ ପାଇଁ ଖେଳ । ହୋଲିର ପିଚକାରୀ, ରଜର ଦୋଳି ଏବଂ ପଶା, ଦଶହରାରେ ପାଇକମାନଙ୍କର ଅସ୍ତ୍ର ଅନୁକୂଳ ଇତ୍ୟାଦି ଖେଳର ଅନ୍ତର୍ଗତ । ସେହିପରି ଗହ୍ମା ଏକ ଖେଳ ।
ଆବର କେହୁ ଖେଳଇପଶା ନ୍ୟାୟବଳ
ଗହ୍ମା ସାତ ପହଣ୍ଡି ଫୋପଡ଼ା ଗୁଣ୍ଡିମାଳ । (ନୃ,ପୁ.ତୃ.ତ)
ଗହ୍ମା ପୂର୍ଣ୍ଣମୀରେ କେହି କେହି ମାଟିର ସ୍ତୁପ କରି ପୂଜା କରନ୍ତି ପରେ ତାକୁ ବିସର୍ଜନ କରନ୍ତି । ଏଣୁ ଗହ୍ମାର ଅନ୍ୟନାମଟି ହେଉଛି ଭଲ୍ଲମ୍ପନାର୍ଥେ ନିର୍ମିତ ମାଟିର ସ୍ତୁପ ।
‘ନୀଳାଦ୍ରୀ ମହୋଦୟ’ର ଉନବିଂଶ ଅଧ୍ୟାୟରେ ଶ୍ରାବଣ ପୂର୍ଣ୍ଣମୀ ଦିବସଟି ଶ୍ରୀ ବଳଭଦ୍ର ଦେବଙ୍କ ଜନ୍ମ ଦିବସ ରୂପେ ବର୍ଣ୍ଣିତ ହୋଇଅଛି । ଶ୍ରୀ ମନ୍ଦିରର ନୀତି ଅନୁସାରେ ବଳଭଦ୍ରଙ୍କର ଏକ ମୃଣ୍ମାୟ ପିତୁଳାର ସମ୍ମୁଖରେ କଳସ ସ୍ଥାପନ ପୂର୍ବକ ଷଷ୍ଠୀ ଦେବୀ, ସପ୍ତରଥୀଜୀବୀ : ଅଶ୍ୱତ୍ଥାମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃଷ୍ଣ ଓ ପରଶୁରାମ, ତିଥି, ରାଶି ନକ୍ଷତ୍ର ଓ ସପ୍ର୍ଷିପ୍ରଭୁତିଙ୍କ ପୂଜା କରାଯାଏ । ପୂଜା ପରେ ସେ ମୃଣୟ ମୂର୍ତ୍ତିଟିକୁ ଜଳରେ ବିସର୍ଜନ କରାଯାଏ । ଏହାହିଁ ଗହ୍ମା ଉଲ୍ଲମ୍ପନାର୍ଥେ ପୂଜା ଓ ବିସର୍ଜନ ।
ଭାଇ ବଳରାମ, ଏବେର ବଳଭଦ୍ର, ଶ୍ରୀକୃଷ୍ଣ ଅବତାରରେ ଥିଲେ ଶ୍ରୀ କୃଷ୍ଣଙ୍କର ଭାଇ କୃଷିର ପ୍ରତୀକ । କୃଷି ପାଇଁଁ ଗୋ-ଖତ ଓ ମୂତ୍ର ନିତାନ୍ତ ଜରୁରୀ ।
ଏଣୁ ଗୋ-ପାଳନ ବିନା କୃଷି ଅସମ୍ଭବ । ପୁନଶ୍ଚ ଗୋ-କ୍ଷୀର ଅମୃତଲେଖା । ଏହାସବୁ ବୟସ ଓ ସମୟରେ ସୁଷମଖାଦ୍ୟ : ସର୍ବଶ୍ରେଷ୍ଠ ଖାଦ୍ୟ । ଏଥିପାଇଁ ଗାଈକୁ ଗୋମାତା କୁହନ୍ତି । ଭାରତୀୟ ଶାସ୍ତ୍ର କୁହେଯେ ଗୋମାତାଠାରେ ୩୩କୋଟି ଦେବତା ବାସ କରନ୍ତି । ତା’ ପିଠିରେ ବ୍ରହ୍ମା, ଗଳାରେ ବିଷ୍ଣୁ, ମୁଖରେ ରୁଦ୍ର, ମଳ ଓ ମୂତ୍ରରେ ମହାଲକ୍ଷ୍ମୀ ବାସକରନ୍ତି । ଗୋମାତା ଏକ ସର୍ବଶ୍ରେଷ୍ଠ ପ୍ରାଣୀ ବୋଲି ବର୍ଣ୍ଣିତ ହୋଇଛି :
ଦେଖୁଚ ଯା’ର ମଳମୂତ୍ର / ଜାହ୍ନବୀ ସମାନ ପବିତ୍ର /ଯାହାର ଲୋମେ ଦେବଗଣ/ବସି ହୁଅନ୍ତି ନିଜେ ଧନ୍ୟ ।ା
ଦ୍ୱାପର ଯୁଗରେ କୃଷ୍ଣ-ବଳରାମ ଥିଲେ ଯାଦବ । ଗୋପଳନ ଥିଲା ଏମାନଙ୍କର ପ୍ରଧାନ ବେଉଷା । ବଳରାମ ଥିଲେ ଗୋ’ ରକ୍ଷକ । କୃଷ୍ଣ ଜ୍ୟେଷ୍ଠ ଭ୍ରାତା ବଳରାମଙ୍କୁ ଯେତିକି ଭଲ ପାଉନଥିଲେ, ତା’ଠୁ ଅଧିକ ସମ୍ମାନ ଦେଉଥିଲେ ଗୋ-ମାତାକୁ । କୃଷ୍ଣ, ବଳରାମକ, ଓ ଗୋମାତା ମଧ୍ୟରେ ନିବିଡ଼ ସଂପର୍କ ଥିଲା । ଏଥିପାଇଁ ଗହ୍ମା ପୂର୍ଣ୍ଣିମା ଅବକାଶେ ଆମେ ବଳଭଦ୍ରଙ୍କ ଜନ୍ମଦିନ ପାଳନ ସହିତ ଗୋ-ପୂଜା ମଧ୍ୟ କରୁ । ସେଦିନ ସକାଳୁ ଗୋରୁମାନଙ୍କୁ ଗାଧୋଇ ପାଧୋଇ ଅଗୁର ଚନ୍ଦନ ତାଙ୍କ ମଥାରେ ଦେଉ । ଗୋଡ଼କୁ ହଳଦି ପାଣିରେ ଧୋଉ; ବେକରେ ଫଲମାଳ ପକାଉ; ଧୂପ-ଦୀପ ଦେଇ ପୂଜାକରୁ ଏବଂ ପିଠାପଣା ଓ ସବୁଜ ଘାସରେ ତାଙ୍କୁ ଆପ୍ୟାୟିତ କରୁ । ସେଦିନ କୃଷି ସର୍ମ୍ପର୍କିତ ଚାଷବନ୍ଦୀ କି ଶଗଡ଼ାବୁହା ସବୁବନ୍ଦ । ଗୋ-ସେବା ଆମ ସଂସ୍କୃତି ପ୍ରତି ଏକ ସମ୍ମାନ ।
ଓଡ଼ିଶାର ପାଇକମାନଙ୍କ ପାଇଁ ଗହ୍ମା ପର୍ବ ଏକ ସ୍ମୃତି ପର୍ବ । ସେମାନେ ଏହାକୁ ପାରମ୍ପରିକ ରୀତିରେ ପାଳନ୍ତି । ଏହିଦିନ ସେମାନେ ପାଇକ ଆଖଡ଼ାଘରେ ଅଥବା ଗହ୍ମା ପଡ଼ିଆରେ ପାଇକ ଖେଳ ବା ସମରଅଭ୍ୟାସ ଅନୁକୂଳ କରି ଦଶହରା, ଦିନ ଉଦ୍ଯାପନ କରନ୍ତି । ଏଥିରେ ସବୁବର୍ଣ୍ଣର ଏବଂ ସବୁ ବୟସର ଲୋକମାନେ ଯୋଗ ଦିଅନ୍ତି । ବୀରବାଜା ସହ ଖେଳକୁଦ ଆରମ୍ଭ ହୁଏ । ଏ ସମରକଳା ବାସ୍ତବିକ ବେଶ ଉପଭୋଗ୍ୟ ।
ଧୋବା ଭଣ୍ଡାରୀ ପରି ସେବକମାନଙ୍କ ପାଇଁ ଏହା ଗୋଟିଏ ଭଲଦିନ । ଏମାନେ ଘରକୁ ଘର ବୁଲି ନଡ଼ିଆ, ଚାଉଳ ଏବଂ ଟଙ୍କା ପାଇସା ଆଦାୟ କରନ୍ତି । ମାଳି, ମହାପାତ୍ର ଏବଂ ଅବଧାନମାନେ ଲୋକଙ୍କୁ ଫୁଲଚନ୍ଦନ ଦେଇ ଦକ୍ଷିଣା ଆଦାୟ କରନ୍ତି । ଅସବର୍ଣ୍ଣମାନେ ଦୁଆର ଦୁଆର ବୁଲି ପିଠା ମାଗନ୍ତି । ଏହି ମାଗଣା ଅତୀତରେ ଏତେ ପରିମାଣରେ ଥିଲା ଯେ ପିଠା ଡାଲାବି ଖାଲି ହୋଇ ଯାଉଥିଲା । କାଳେବେଳେ ଦେଖୁନଥିବା ଲୋକ, ସେଦିନ ଆସି ଦୁଆରେ ହାଜର ହୋଇ ଯାଉଥିଲା । ଏଣୁ ପ୍ରବାଦ ଅଛି : ଦିନେ ନାଇଁ କାଳେ ନାଇଁ
ଗହ୍ମା ପୂନେଇକି ମାଇଁ ମାଇଁ ।ା
ସେଦିନ ପ୍ରତି ହିନ୍ଦୁ ଓଡ଼ିଆଘରେ ପିଠାର ମହମହବାସନା, ରଜର ପୋଡ଼, ଚିତାଲାଗି ଅମାବାସ୍ୟାର ଚିତ୍ତଉ ପରି ଗହ୍ମା ମଣ୍ଡା ସ୍ୱତନ୍ତ୍ର । ଗୁଡ଼, ଗୋଲମରିଚ, ନଡ଼ିଆ, ଜୁଆଣି…. ଇତ୍ୟାଦି ଭର୍ତ୍ତି ଏହା ସୁମିଷ୍ଟ ଏବଂ ବେଶ ସୁସ୍ୱାଦୁ । ପିଠାର ମହମହ ବାସନାରେ ଲୋଭେଇ ଆସୁଥାଏ ପାଟି ।
ଶ୍ରାବଣ ପୂର୍ଣ୍ଣିମା, ଗହ୍ମା ଓ ରାକ୍ଷୀ ପୂର୍ଣ୍ଣମା’ର ଏକ ସମାହାର । ଏହା ‘ଭକ୍ତ ଓ ଭଗବାନ’, ‘ଭ୍ରାତା-ଭଗ୍ନୀ’ ଓ ‘ମଣିଷ, ପଶୁମାନଙ୍କ’ର ପ୍ରେମବନ୍ଧନର ଏକତ୍ରୀକରଣର ଏକ ପ୍ରତୀକ । ଆସ ଏ ପରମ୍ପରାକୁ ସମ୍ମାନ ଦେବା ଏବଂ ଏହାକୁ ପାଳନ କରି ମଜା ଉଠାଇବ ।ା
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ


