ଗାଁର ନାଁ ଗାଲୁଆପୁର ଅଡିଓ ରିଲିଜ୍
ଭୁବନେଶ୍ୱର : ଏମ୍ପାୟାର୍ସ ହୋଟେଲ ପରିସରରେ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଗାଁର ନାଁ ଗାଲୁଆପୁର’ର ମ୍ୟୁଜିକ ରିଲିଜ୍ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଭିନେତା ମିହିର ଦାସ ଏବଂ ସମ୍ମାନିତ ଅତିଥି ଭାବେ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ପ୍ରତିମା ପ୍ରଡ଼କ୍ସନର ଦିଗ୍ଦର୍ଶକ ସନ୍ତୋଷ ଶତପଥୀ ପ୍ରମୁଖ ଯୋଗଦେଇ ଉପସ୍ଥିତ କଳାକାରଙ୍କୁ ଉତ୍ସାହିତ କରିଥିଲେ । ସମ୍ପତ ଶତପଥୀ ଏହି ସିନେମାର ପ୍ରଯୋଜନା କରିଥିବା ବେଳେ ଏହାର କାହାଣୀ ପରିକଳ୍ପନା ସହ ସଂଳାପ ରଚନା କରିଛନ୍ତି ନନ୍ଦଲାଲ ମହାପାତ୍ର । ଚିତ୍ରନାଟ୍ୟ ପ୍ରସ୍ତୁତ ସହ ନିର୍ଦ୍ଦେଶନା ଦେଇଛନ୍ତି ଜିତେନ୍ଦ୍ର ମହାପାତ୍ର । ଚଳଚ୍ଚିତ୍ରର ସହ ପ୍ରଯୋଜକ ସମ୍ବିତ ସ୍ୱରୂପ ଶତପଥୀ ଓ ଦିପ୍ତୀରଞ୍ଜନ ସାହୁ, ସବ୍ୟସାଚୀ ଜେନା ଓ ଦିବ୍ୟଲୋଚନ ସାହୁଙ୍କ ସମେତ ଚଳଚ୍ଚିତ୍ରର ନାୟକ ପପୁ ପମ୍ପମ୍, ନବାଗତା ନାୟିକା ମନୀଷା ଏବଂ ଅଭିନେତା ସୁୁଜିତ ଓ ଅନ୍ୟ କଳାକାରମାନେ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ସମେତ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ସତ୍ୟଜିତ, ପପୁ ପମ୍ପମ୍ ଓ ଟି. ସୌରୀ ପ୍ରମୁଖ ଯୋଗ ଦେଇଥିଲେ । ଓଲିଉଡ଼ କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ଏହି ଉତ୍ସବର ପରିଚାଳନା କରିଥିଲେ ।