ଗାଁସାଥୀଙ୍କ ଦାବି ପୂରଣ ନହେଲେ ପଦ୍ମପୁରରେ ଭୋଟ ବର୍ଜନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗାଁସାଥୀ (ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡ଼ିଶା ପ୍ରଦେଶର ସଂଯୋଜକ ଶ୍ରୀ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ସଭାକକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସକାଳେ ଶତାଧିକ ଗାଁସାଥୀ (ମେଟ୍) ସଂଗଠକଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ଶ୍ରୀ ବଶ୍ୱାଳ ଅପରାହ୍ନରେ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ସଂଘର ନିଷ୍ପତ୍ତି ଅନୁସାରେ ଗତ ତା ୦୭.୦୯.୨୦୨୧ ଓ ୩୦.୧୧.୨୦୨୧ରିଖରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ସମସ୍ତ ଗାଁସାଥୀ (ମେଟ୍)ଙ୍କ ଲାଗି ୮୦୦୦ (ଆଠ ହଜାର) ଟଙ୍କା ମାସିକ ପ୍ରୋତ୍ସାହନ ରାଶି ଏହି ନଭେମ୍ବର ଶେଷ ସୁଦ୍ଧା ଘୋଷଣା କରିବା ଲାଗି ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଗାଁସାଥୀଙ୍କ ତରଫରୁ ମିଳିତ ନିବେଦନ କରାଯାଇଅଛି । ଯଦି ସଂଘର ଏହି ନିବେଦନକୁ ସରକାର ରକ୍ଷା ନ କରନ୍ତି, ତେବେ ଚଳିତବର୍ଷ ଡିସେମ୍ବର ୫ ତାରିଖରେ ବରଗଡ଼ ଜିଲ୍ଲା ପଦ୍ମପୁରଠାରେ ହେବାକୁ ଥିବା ଉପନିର୍ବାଚନରେ ୬୦୦ରୁ ଉର୍ଦ୍ଧ୍ୱ ଗାଁସାଥୀ ପରିବାର ଓ ତାଙ୍କ ବନ୍ଧୁବାନ୍ଧବ ଆତ୍ମୀୟ ସ୍ୱଜନମାନେ ମିଶି ଭୋଟ ବର୍ଜନ କରିବେ ବୋଲି ସଂଘ ନିଷ୍ପତ୍ତି ନେଇଛି । ଏହା ସହିତ ଜନଜାଗରଣ କାର୍ଯ୍ୟକ୍ରମ ଜରିଆରେ ପଦ୍ମପୁର ଭୋଟରଙ୍କୁ ଭେଟି ସଂଘ ପ୍ରତି ହୋଇଥିବା ଅବିଚାର ବାବଦରେ ଅବଗତ କରାଇବେ ବୋଲି ଶ୍ରୀ ବିଶ୍ୱାଳ ଜଣାଇଛନ୍ତି । ଏହା ବାଦ୍ ଚଳିତ ଡିସେମ୍ବର ୫ ତାରିଖ ଦିନ ରାଜ୍ୟର ସମସ୍ତ ଗାଁସାଥୀ (ମେଟ୍)ମାନେ ଭୁବନେଶ୍ୱର ଆସି ନିଜ ନିଜର ବିଧାୟକମାନଙ୍କ ସରକାରୀ ବାସଭବନରେ ଦାବି ଜଣାଇବେ । ତାର ପରଦିନ ଅର୍ଥାତ୍ ୬ ତାରିଖ ସକାଳ ୮ ଘଟିକାରେ ଭୁବନେଶ୍ୱର ରାମ ମନ୍ଦିର ଆଗରେ ଏକତ୍ରିତ ହୋଇ ସେଠାରୁ ନବୀନ ନିବାସ ଯାଏ ଦଣ୍ଡବତ ଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ନ୍ୟାୟ ଆଶା କରିବାର ଯୋଜନା ସ୍ଥିର ହୋଇଛି ବୋଲି ଶ୍ରୀ ବିଶ୍ୱାଳ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ (ମେଟ୍) ସଂଗଠକ ଭାବରେ ଶ୍ରୀ ବିବେକାନନ୍ଦ ଠାକୁର, ବିଶ୍ୱନାଥ ରାଉତ, ପ୍ରଫୁଲ୍ଲ ସ୍ୱାଇଁ, ଶୁଶିଳା ନାୟକ, ରଶ୍ମିତା ଜେନା, ସୁରେଶ ସାମଲ, ନନ୍ଦିନୀ ପ୍ରଧାନ, ନୟନା ବେହେରା, ରାମଚନ୍ଦ୍ର ଭୋଇ, କ୍ଷୀତିଶ ଜେନା, ଅନିଲ ଜେନା, ଆନ୍ତା ମୁର୍ମୁ, ମନୋଜ ପାଢୀ, ଗଗନ ସାହୁ, ବିଦ୍ୟାଧର ଭୋଇ, ପ୍ରଦୀପ୍ତ ମହାନ୍ତି, ଦିଲ୍ଲୀପ ପ୍ରଧାନ, ବିପିନ ଦିଗାଲ, କେଶବ ପ୍ରଧାନ, ମହିମାବତୀ ଭୋଇ, ଶଶଧର ସେଠୀ, କୃଷ୍ଣଚନ୍ଦ୍ର କିଷାନ, ସନ୍ତୋଷ ମାଣିଆ, ଉପେନ୍ଦ୍ର ସାମନ୍ତସିଂହହାର ଓ ଅନ୍ୟ ଶତାଧିକ ରାଜ୍ୟ, ଜିଲ୍ଲା ଓ ବ୍ଲକ ସଂଗଠକ ଉପସ୍ଥିତ ଥିଲେ ।