ଗାଁ ଗାଁରେ ଚାଲିଛି ବାଲି ଚୋରା ଚାଲାଣ : ରୋକ ଲଗାଇବାକୁ ପ୍ରଶାସନ ପଛଘୁଞ୍ଚା କାହିଁକି
ହାଟଡିହି (ବିକାଶ ବିଶ୍ୱାଳ): ଗାଁ ଗାଁରେ ଚାଲିଛି ବାଲି ଚୋରା ଚାଲାଣ । ଏଥିରେ ମୋଟା ଅଙ୍କର ଲାଭ ହେଉଥିବାରୁ ଯେ ଯେଉଁଠି ପାରିଲା ତାଡିଲା । ରୋକିବାକୁ କେହି ନାହିଁ । ଯଦିବା କିଏ ପ୍ରତିବାଦ କରୁଛି ତାକୁ ନାଲି ଆଖି ଦେଖାଇ ବାଲି ମାଫିଆ ମାନେ ଭୟଭୀତ କରାଉଛନ୍ତି । ପ୍ରଶାସନ ସବୁ ଜାଣି ମଧ୍ୟ ନଜାଣିବାର ଅଭିନୟ କରିଚାଲିଛି । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲ ଅଧିନରେ ଥିବା ସମଣା, ତରଭା ବୈତରଣୀ ନଦୀର ବାଲିଘାଟ ମାନଙ୍କରେ । ବାଲିମାଫିଆ ମାନେ ପ୍ରତିଦିନ ଶହଶହ ଟ୍ରିପ ବାଲି ଉତ୍ତୋଳନ କରୁଛନ୍ତି । ତରଭା ବୈତରଣୀ ନଦୀଘାଟରୁ ବେଆଇନ ବାଲି ଚାଲାଣକୁ ନେଇ ଗ୍ରାମବାସୀଙ୍କ ଭିତରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖା ଦେଇଛି । କିଛି ବାଲିମାଫିଆ ସନ୍ଧ୍ୟାପରେ ନଦୀଘାଟରୁ ଶହଶହ ଟ୍ରାକ୍ଟର ବାଲି ଉଠାଇ ଚୋରା ଚାଲାଣ କରୁଥିଲେ । ଏହାକୁନେଇ ପୁଲିସ ପ୍ରଶାସନ ପହଞ୍ଚି ବାଲି ବନ୍ଦ କରିବାପରେ କିଛିଦିନ ପାଇଁ ବାଲି ଉତ୍ତୋଳନ ବନ୍ଦ ହୋଇଯିବାପରେ ଏବେ ପୁନର୍ବାର ଦିନରେ ବାଲି ଉତ୍ତୋଳନ କରାଯାଉଛି । ଶହଶହ ଟ୍ରାକ୍ଟର ଚଳପ୍ରଚଳ ଦ୍ୱାରା ଲୋକମାନେ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି । ଏନେଇ ତରଭା ଓ ବରେଶ୍ୱର ଗ୍ରାମର ଗ୍ରାମବାସୀ ମାନେ ବାରମ୍ବାର ପ୍ରଶାସନକୁ ଅନୁରୋଧ କରୁଥିଲେବି କୌଣସି ସୁଫଳ ମିଳୁନଥିବା କହିଛନ୍ତି । ଏପରିକି ଏନେଇ ଯିଏ ମୁହଁ ଖୋଲୁଛି ବାଲିମାଫିଆ ମାନେ ସେମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ସେହିପରି ସମଣା ଘାଟରେ ମଧ୍ୟ ସମାନ ଅବସ୍ଥା । କିଛି ମାଫିଆ ପ୍ରଶାସନର କିଛି କର୍ମଚାରୀଙ୍କୁ ହାତକରି ନିୟମିତ ବାଲି ଚୋରାଚାଲାଣ କରିବାରେ ଲାଗିଛନ୍ତି । ବିଶେଷକରି ଛୁଟି ଦିନ ମାନଙ୍କରେ ପ୍ରଶାସନର ଚଢ଼ାଉ ଭୟ ନଥିବାରୁ ଏହାକୁ ସୁବର୍ଣ୍ଣ ସୁଯୋଗ ଭାବି ବାଲି ଚୋରାଚାଲାଣ କରୁଛନ୍ତି । ଅନେକ ସ୍ଥାନରେ ବାଲିକୁ ଗଚ୍ଛିତ କରି ରଖିବାପରେ ହାଇୱା ଯୋଗେ ବାହାରକୁ ବିକ୍ରୀ କରାଯାଉଛି । ଗତ କିଛିଦିନ ତଳେ ଇଶଳା ନିକଟରେ ହାଟଡିହି ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ଗଚ୍ଛିତ ଥିବା ୮୦/୯୦ଟ୍ରାକ୍ଟର ବାଲିକୁ ଜବଦ କରାଯାଇଥିଲା । ବାରମ୍ବାର ଏନେଇ ଗଣମାଦ୍ୟମରେ ଖବର ପ୍ରକାଶ ପାଉଥିଲେବି ତହସିଲ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଯାହାଦ୍ୱାରାକି ବାଲିମାଫିଆମାନେ ନିଦ୍ୱନ୍ଦରେ ବାଲି ଚୋରା ଚାଲାଣ କରୁଛନ୍ତି । ଯାହାଦ୍ୱାରାକି ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟୁଛି । ପ୍ରଶାସନ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି ହେଉଛି ।