ଗାଁ ଡାକୁଛି ଆ
ବାପା ଚୈତନ୍ୟ ଯେବେ ଝିଅ ଉପରେ ଚିଡ଼ିଯାଏ କାଁହିରୁ କଣ ଗାଳିଦିଏ. ନାଗସାପ ମୋରି ବେକରେ ଓହଳିବାକୁ ଥିଲୁ. କୋଉଜନ୍ମରେ କି ପାପ କରିଥିଲା ମଣିଷ ତୋ ପରି ଝିଅକୁ କୋଳରେ ଧରିବାକୁ ପଡୁଛି କହି ଲେଙ୍ଗେଡ଼ା ଝିଅ ଯେତେ ବାପା ବାପା ଡାକି ଆସିଲେ ବି ଛାତିଦିଏ ଦୂରକୁ. ମାଆ କାନ୍ଦୁଥାଏ ମୁହଁମାଡି ତ ଜେଜେମାକୁ ଦେଖି ହାତ ଟେକି ଦିଏ ପରମ ଭାରସାରେ ଝିଅ ପିଙ୍କି. କୋଳକୁ ଉଠାଇ ନେଇ ଲୁହ ପୋଛେ, ମୁହଁ ଆଖି ନାକ ସଫା କରି ଡାକୁଥାଏ ହେ ଗଜାନନ ମୋ ନାତୁଣୀକୁ ଭଲ କରିଦିଅ ପ୍ରଭୁ,ତୁମ ପାଖରେ ନଡ଼ିଆ ବାଡେଇବି. ଝିଅ ପାଇଁ ଡାକ୍ତରଖାନାଠୁ ଆରମ୍ଭ କରି ସରପଞ୍ଚ ଓ ଗାଁରେ ଥିବା ଏନଜିଓ ସଂସ୍ଥା ଓ ସରକାରୀ ଅଫିସକୁ ଦଉଡି ଦଉଡି ଚୈତନ୍ୟ ଥକି ପଡିଲାଣି. ଦିନମଜୁରିଆ ବାପା ଚୈତନ୍ୟ କାମ ବନ୍ଦ କରି ଝିଅକୁ ଭଲ କରିବାକୁ କରଜଦାମରେ ବୁଡି ଥଳକୂଳ ପାଉନଥିଲା ବେଳେ ମାଆ ତାର ଚକି ପେଷା କଳରେ କାମ କରି ଯେଉଁ ଦରମା ଆଣେ ତାହା କୋଉଠିକ ପାଏନା. ଜେଜେମା ମଧ୍ୟ ପରଦୁଆରେ କାମ ପାଇଟି କରି କିଛି ସାହାଯ୍ୟ କରୁଥାଏ. ଏବେ ବାପା ମାଆ ଦିଇଟା କୁଆଡେ ଚାଲିଗଲେ ଯେ ତାଙ୍କର ପତ୍ତା ନାହିଁ. ଏତେ ଦୁଃଖ ଓ ବୟସ ଭାରରେ ମଧ୍ୟ ଜେଜେମା ହାରିଯାଆଇନାହାଁନ୍ତି. ନାତୁଣୀକୁ କୋଳକୁ ନେଇ ବାବୁଘରମାନଙ୍କରୁ ମାଗିଯାଚି ଆଣିଥିବା ଖାଦ୍ୟ ଦେଇ ପୋଷାକ ପିନ୍ଧାଇ ବହେ ଗେଲ କରନ୍ତି. ତାଙ୍କ ଗାଁ ଧୋବୀ ବୁଢ଼ୀ କହେ ଆଲୋ ପାର ନାନୀ ମାଆ ବାପା ଯୋଉଠି ଛାଡ଼ିଦେଇ ଚାଲିଗଲେ ଲେଙ୍ଗଡ଼ା ପୋଲିଓ ଆକ୍ରାନ୍ତ ପିଲାଟାକୁ ତୁମେ କେତେଦିନ ତାର ସହାୟ ହେବ? ପାର ବୁଢ଼ୀ କହୁଥାଏ ସେହି ତ ମୋର ସାହା ଭରସା ମୁଁ ମଧ୍ୟ ତାର ସାହା ଭରସା ତ ଧୋବୀ ବୁଢ଼ୀ କହୁଥାଏ ହଉ ଦେଖିବା କେତେଦିନ ଦୁହେଁ ଦୁହିଁଙ୍କର ସାହା ଭରସା ହେବ! ଆଲୋ ନାନୀ ଆମ ଗାଁ ପଣ୍ଡିତ କହୁନଥିଲେ କି କିଏ ଜଣେ ବଡ଼ ଔପନ୍ୟାସିକ ଫକୀର ମୋହନ ସେନାପତି ଲେଖିଥିଲେ ରେବତୀ ପାଠ ପଢିବା ଯୋଗୁଁ ତା ବାପା, ମା, ଓ ପ୍ରସ୍ତାବିତ ବରପାତ୍ର ସବୁ ଜଣଙ୍କ ପରେ ଜଣେ ମରିଗଲା ପରେ ବୁଢ଼ୀ ଜେଜେମା ନାତୁଣୀକୁ ଗାଳି ଦେଉଥାଏ ଲୋ ରେବୀ… ଲୋ ନିଆଁ… ଲୋ ଚୁଲି କହି. ଆଉ ତୁମେ ଏ ଲେଙ୍ଗଡ଼ା ଝିଅକୁ କେତେ ଦିନ ସମ୍ଭାଳିବ ବରଂ ସେହି ପଣ୍ଡିତଙ୍କୁ ପଚାରି ତୁରନ୍ତ ସହରରେ ତା ପାଇଁ କୋଉଠି ରଖିବାର ବନ୍ଦୋବସ୍ତ କର. ଗଣେଷ ଭଗବାନଙ୍କ ପିତା ମାତା ସହାୟ ହେବାରୁ ତାଙ୍କର ସିନା ହାତୀମୁଣ୍ଡ ଲାଗିପାରିଲା ଆଉ ତୁମ ନାତୁଣୀ ପିଙ୍କି ପିଠିରେ ପଡିବାକୁ ବାପା ମାଆ ତ ଦୂରେଇ ଗଲେ ନାନୀ, ବେଳ ଥାଉ ଥାଉ ସୁଵିଚାର କର. ପାର ବୁଢ଼ୀ କିନ୍ତୁ ନଡ଼ିଆ ମାଗିଆଣିଥାଏ ପିଙ୍କି ମାଆ କାଳୀଙ୍କ ପାଖେ ବାଡେ଼ଇଲେ ସେ ଭଲ ହୋଇଯିବ ଓ ତା ପିତା ମାତା ଗାଁକୁ ଫେରିଆସିବେ.ଏକମାତ୍ର ସାହାରା ଜେଜେମା ଚାଲିଗଲା ପରେ ପିଙ୍କିର ସମସ୍ତ ଭଲ ମନ୍ଦ ବୁଝୁଥିଲେ ଆଈ. ଆଈଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ପଡୋଶୀ. ପାଠ ଶାଠ ସହିତ ପିଙ୍କି ଥିଲା ସୁନ୍ଦର ଓ ଗାଁ ସ୍କୁଲରେ ଚାକିରୀ କରିଥିଲା ତ ପ୍ରସ୍ତାବର ଅଭାବ ନଥିଲା ତାପାଇଁ କିନ୍ତୁ ପିଙ୍କିର ଇଛା ଥିଲା ଯୋଉ ପୁଅ ପିଙ୍କି ସଙ୍ଗେ ତା ଆଈ ଘରେ ବା ଜେଜେମାଙ୍କ ରହିବାକୁ ରାଜି ହେବେ ସେ ତାଙ୍କୁହିଁ ବିବାହ କରିବ. ସେମିତି ପୁଅ କେହି ମିଳୁନଥିଲେ କାରଣ ଘରଜୋଇଁ ହେବାକୁ ସମସ୍ତଙ୍କ ମନରେ କେମିତି ଗୋଟେ ଅନିଚ୍ଛା ଥାଏ ତ ପିଙ୍କି ଗାଁ ସ୍କୁଲରେ ପିଲାମାନଙ୍କୁ ପାଠ ପଢେଇବା ସହିତ ଝିଅ ବୋହୂ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ ପଢେଇବାରେ ସମୟ ଦିଏ.ପାଠ ଦି ଅକ୍ଷର ପଢି ଲେଖି ଶିଖିଲେ ମଣିଷକୁ କେହି ଠକି ପାରିବେନି ବୋଲି ସମସ୍ତେ ବୁଝିବା ସହ ଅନ୍ଧବିଶ୍ୱାସର ବଶବର୍ତ୍ତୀ ନହୋଇ ପର ବୁଦ୍ଧିରେ ଘୋଡା ଚଢିବା ଅପେକ୍ଷା ନିଜ ବୁଦ୍ଧିରେ ଘାସ କାଟିବା ଭଲ ବୋଲି ବୁଝି ସାରିଥିଲେ. ତେଣୁ ଆଜିକାର ଇଣ୍ଟରନେଟ ଯୁଗରେ କେହି ପିଙ୍କି ଗାଁର ପୁରୁଷ କି ମହିଳାଙ୍କୁ ଯେମିତି ଠକିପାରିବ ନାହିଁ ବରଂ ତାଙ୍କଠାରୁ କିଛି ଶିକ୍ଷା ପାଇ ଆଗକୁ ବଢ଼ି ପାରିବ ଏହିଭଳି ପିଙ୍କି ଗାଁ ଲୋକଙ୍କ ସେବାରେ ଥିବା ସହିତ କୃଷକମାନଙ୍କ ଜୀଵନ ରକ୍ଷା ପାଇଁ ତାଳଗଛ ଲଗେଇ ବିଭିର୍ନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ଓ ପ୍ରସାର କରିଚାଲିଥିଲା ବେଳେ ସମସ୍ତେ ପିଙ୍କିର ବାହାଘରକୁ ନେଇ ଚିନ୍ତିତ ଥିଲେ.ପିଙ୍କି ଅନ୍ୟ କେଉଁ ଗାଁ ବା ସହରରେ ବାହା ନହୋଇ ଘରଜୋଇଁ ବରକୁ ବିବାହ କରି ନିଜ ଆଈ ବା ଜେଜେମାଙ୍କ ଘରେ ସବୁଦିନ ରହିବାକୁ ସମସ୍ତଙ୍କର ନୀରବ ସମ୍ମତି ଥିଲେ ମଧ୍ୟ ପିଙ୍କି ପାଇଁ ଯୋଗ୍ୟ ପାତ୍ର ନମିଳୁଥିବାରୁ ମନ ଊଣା କରୁଥାନ୍ତି.ପିଙ୍କିର ଲେଙ୍ଗଡ଼ା ଗୋଡ଼ ମଧ୍ୟ ବାହାଘର ପାଇଁ ବାଧକ ସାଜିଥାଏ.ପିଙ୍କି ପାଇଁ ସମସ୍ତଙ୍କ ମନ ଊଣା ହେଉଛି ଜାଣି ପିଙ୍କି ସେଦିନ ଗୋଟିଏ ଗପ କହି ଚାଲିଥିଲା. ସେ କହୁଥିଲା ଯେ ଟାଇଟାନିକ ଯାହାଜରେ ଜଳାଯାତ୍ରା କରିବା ପାଇଁ କ୍ଲାର୍କ ନାମକ ଏକ ଚାଷୀ ଜୀବନର ସମସ୍ତ ପୁଞ୍ଜି ବିନିଯୋଗ କରି ନିଜର ପାଞ୍ଚ ପିଲା ଓ ସ୍ୱାମୀ ସ୍ତ୍ରୀ ମିଶି ସତଜଣଙ୍କ ପାଇଁ ଟିକେଟ କାଟି ଉଦବିଗ୍ନର ସହ ଅପେକ୍ଷା କରିଥାନ୍ତି ଉଣେଇଶଶହ ବାର ମସିହାର ସେଇ ବୁଧବାରକୁ. ଯୋଉ ଜାହାଜରେ ଜଳାଯାତ୍ରା ତାଙ୍କୁ ଆଣିଦେବ ନୂତନ ଉନ୍ମାଦନା, ନୂତନ ପୁଲକ ଓ ଅନେକ ଅଭିଜ୍ଞତା ତଥା ଅଭିଜ୍ଞ ଅନୁଭୂତି. ଜଳାଯାତ୍ରାର ଠିକ ସାତ ଦିନ ପୂର୍ବରୁ ଦୁର୍ଘଟଣାଟିଏ ଘଟିଗଲା କ୍ଳାର୍କଙ୍କ ଘରେ. ତାଙ୍କ ନିଜ ପୋଷା କୁକୁର ତାଙ୍କ ତୃତୀୟ ପୁଅକୁ କାମୁଡି ଦେଇଥିଲା ତ କ୍ଳାର୍କଙ୍କ ସ୍ତ୍ରୀ ପୁତ୍ରର ଅସୁସ୍ଥ ଶରୀରକୁ ନେଇ ଜଳଯାତ୍ରାରେ ଯିବାକୁ ସ୍ୱାମୀଙ୍କୁ ମନା କରିବା ସହ କହିଥିଲେ ସ୍ୱାମୀଙ୍କୁ ତୁମେ ବରଂ ପାଞ୍ଚଜଣ ଚାଲିଯାଅ କିନ୍ତୁ ପତ୍ନୀଙ୍କ ବିନା ତଥା ପୁତ୍ରର ଆରୋଗ୍ୟରେ ତାଙ୍କର ମଧ୍ୟ କିଛି ଭୂମିକା ରହିବା ଉଚିତ ଭାବି କ୍ଲାର୍କ ଯାଇନଥିଲେ କିନ୍ତୁ ଦୀର୍ଘନିଶ୍ୱାସଟିଏ ବାହାରି ଆସୁଥିଲା ଛାତି ଥରାଇ ଯେ ସମସ୍ତ ପୁଞ୍ଜି ବିନିମୟରେ ସେ କିଣିଥିବା ସାତଗୋଟି ଟିକେଟର ପଇସା ଫେରସ୍ତ ମିଳିନଥିଲା କି ଜୀବନରେ ଟାଇଟାନିକ ପରି ଯାହାଜରେ ବସିବାର ସୁଯୋଗ ଆଉ ଆସିବନି କେବେ ଭାବି ଦୁଃଖରେ ଅଧୀର ହୋଇଉଠୁଥିବା ବେଳେ ଟାଇଟାନିକ ଯାହାଜ ଦୁର୍ଘଟଣାର ଶୀକାର ହୋଇଥଲା. ବରଫ ପାହାଡ଼ ଦେହରେ ଧକ୍କା ଖାଇ ଧ୍ବଂସ ହୋଇଯାଇଥିଲା ଯାହାଜ ତ ସେ ତାଙ୍କ କୁକୁରକୁ ପ୍ରଥମ ଥର ଛାତିଲଗା କରି ଚୁମ୍ବନ ଦେଉ ଦେଉ କହିଥିଲେ ହେ ଇଶ୍ଵର ତୁମ ଇଛା ବିନା ଗଛରୁ ପତ୍ର ହଲେନା. କାହାଣୀଟିକୁ ଶୁଣି ଗ୍ରାମବାସୀ କହୁଥିଲଲେ ରଖେ ହରି ତ ମାରେ କିଏ. ହଁ ମୁଁ ମଧ୍ୟ ସେଇକଥା କହୁଛି କହି ପିଙ୍କି କହୁଥିଲା ମୋର ବାହାଘର ଡେରି ହେବାର କାରଣ ମଧ୍ୟ ଇଶ୍ୱରଙ୍କ ହାତରେ. ସମସ୍ତେ ବୁଝିଯାଇଥିଲେ. ସତକୁ ସତ କୃଷି ଗବେଷଣା ପାଇଁ ପିଙ୍କିକୁ ଆମେରିକା ଯିବାକୁ ଚିଠି ମିଳିବା ଶୁଣି ସମସ୍ତେ କହୁଥିଲେ ଇଶ୍ୱର ଏକ ତାଳଗଛ ପରି ଆର୍ଥିଙ୍ଗ ଅଟନ୍ତି.ମଣିଷ ସିନା ରଥର ଦଉଡି ଟାଣି ଭାବୁଛି ତା ଯୋଗୁଁ ଇଶ୍ୱରଙ୍କ ରଥଟଣାହେଉଛି କିନ୍ତୁ ପ୍ରକୃତରେ ମଣିଷ ଜୀଵନ ରଥର ଦଉଡିକୁ ଇଶ୍ୱର ଟାଣନ୍ତି ଠିକ କୂଅରୁ ପୁଲି ସାହାଯ୍ୟରେ ପାଣି ବାଲ୍ଟିକୁ ଟାଣିଲା ଭଳି ପ୍ରଥମଥର ଫ୍ଲାଇଟରେ ବସିଲା ବେଳେ ଓଡିଶାରୁ ଯେଉଁ ସହସାଥି ବୈଜ୍ଞାନିକ ପିଙ୍କି ସାଙ୍ଗରେ ପାଖ ସିଟରେ ବସିଥିଲେ ସେ ଥିଲେ ପିଙ୍କି ଘର ଗାଁର ଓ ସବୁଠୁ ଆଶ୍ଚର୍ଯ୍ୟ କଥା ପିଙ୍କିର ବାପା ମାଆ ରହୁଥିବା ଘରର କେହି ଉତ୍ତରାଧିକାରୀ ବା ଦାଵୀଦାର ନଥିବାରୁ ସରକାରୀ ସ୍ତରରୁ ସେହି ଯୁବ ବୈଜ୍ଞାନିକଙ୍କୁ ସେହି ଘରଟିକୁ ଗବେଷଣା କରିବାକୁ ଦିଆଯାଇଥିଲା. ପିଙ୍କି ଦୁଇକୂଲର ଏକମାତ୍ର ଝିଅ କିନ୍ତୁ ଜେଜେମାଙ୍କ ପରେ ପରେ ଏକମାତ୍ର ସାହାରା ଆଈ ଚାଲିଗଲା ପରେ ସେ ଆଉ ନିଜ ପୈତୃକ ଘରକୁ କେଵେ ଯିବା ଦୂର କଥା ନିଜର ପୈତୃଜ ଘର ଅଛି ବୋଲି ଭୁଲିଯାଇଥିଲା. କେବଳ ଆଈଙ୍କ ଠାରୁ ତା ଗାଁ ନାମ, ପିତା ମାତାଙ୍କ ନାମ ଯୁବକଙ୍କ ଠାରୁ ଶୁଣି ସେ ମନେପକେଇଥିଲା ପ୍ରଥମ କରି ଯେ ତାର ନିଜ ପୈତୃକ ଘରଟିଏ ଏବେ ବି ଅଛି. ଯୁବକଙ୍କ ସହ ମିଶିବା ପରେ ସେ ଜାଣିଥିଲା ତାଙ୍କର ମଧ୍ୟ ପିଙ୍କି ପରି ଏ ଦୁନିଆଁରେ କେହି ନାହାଁନ୍ତି. ପୁଣି ଆମେରିକାରେ ଓଡ଼ିଆ ଯୁବକଙ୍କ ସହିତ ଘନିଷ୍ଠତା ବଢିଥିଲା ପିଙ୍କିର ଏଇଥି ପାଇଁକି ଭାଷା ଓ ଉଦେଶ୍ୟ ଥିଲା ଦୁହିଁଙ୍କର ଏକ ଓ ଲକ୍ଷ ମଧ୍ୟ ଥିଲା ଏକ. ଓଡିଶାର କୃଷକମାନେ ସେମାନଙ୍କ ଧନ ଜୀଵନ କିପରି ସୁରକ୍ଷା ରଖିପାରିବେ ଓ ଉର୍ନ୍ନତମାନର ଧାନ ଶସ୍ୟ ସହିତ ମିଲେଟ ବା ମାଣ୍ଡିଆ ଉତ୍ପାଦନ ହୋଇପାରିବ ସେଥିପାଇଁ ଏ ଦୁହେଁ କାମ କରିଆସୁଥିବାରୁ ପିଙ୍କିକୁ ବର୍ଷା ବେଳେ ଘଡଘଡ଼ି ଚଡଚଡି ବେଳେ କୃଷକ ମାନଙ୍କ ଜୀଵନ ରକ୍ଷା ପାଇଁ ତାଳଗଛ ଲଗେଇ ପ୍ରେରଣା ଦେବା ପାଇଁ ପୁରସ୍କୃତ କରାଯିବା ସହ ଭଲ ବିହନ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଆବିଷ୍କାର ପାଇଁ ଯୁବ ବୈଜ୍ଞାନିକ ସୁରଥଙ୍କୁ ମଧ୍ୟ ପୁରସ୍କୃତ କରା଼ଯାଇଥିଲା.ନବଦିନବ୍ୟାପୀ କର୍ମଶାଳା ଶେଷ ହେବା ପରେ ସେମାନେ ପୁଣି ଫେରିଥିଲେ ଫ୍ଲାଇଟରେ ଏକାଠି କିନ୍ତୁ ପିଙ୍କିର ଅସ୍ତ୍ରୋ ପଚାର ହୋଇ ଗୋଡ଼ ଠିକ ହେଲା ପରେ.
ଭୁବନେଶ୍ୱର ବିମାନ ବନ୍ଦରରେ ଓଲ୍ହାଇ ପିଙ୍କି ଓ ସୁରଥ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ କାରଣ ଦୁଇ ଗାଁ ର ଆବାଳ ବୃଦ୍ଧ ବନିତା ସେମାନଙ୍କୁ ଖାଲି ସ୍ୱାଗତ କରିନଥିଲେ ବରଂ ଦୁହିଁଙ୍କୁ ବରଣମାଳା ଦେଇ ପରସ୍ପର ପରସ୍ପରକୁ ପିନ୍ଧାଇ ସାମାଜିକ କର୍ତ୍ତବ୍ୟ ସମ୍ପାଦାନ କରିବାକୁ କହୁଥିଲେ. ପିଙ୍କି ଟିକେ ଭାବିଚିନ୍ତି ହୋଇ କହିଲା ବାହାଘର ପରେ ମତେ ଗାଁ ଛାଡିବାକୁ ପଡିବ ଜାଣି ମଧ୍ୟ ତୁମେ ଖୁସି ତ? ଗ୍ରାମବାସୀ କହିଥିଲେ ହଁ ଖୁସି କାରଣ ଏ ଘର ପିଇସୀ ଯିଏ ସେଘର ମାଉସୀ ମଧ୍ୟ ସିଏ. ପିଙ୍କି ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା ତ ବୟୋଜ୍ୟେଷ୍ଠ ମୁରବୀମାନେ କହୁଥିଲେ ଆରେ ତୋ ଇଛା ମୁତାବକ ତୁ ଘରଜୋଇଁ ପାଇଲୁ ପୁଣି ଦୁହିଁଙ୍କ ଲକ୍ଷ ଏକା. ତାଛଡା ଦୁହେଁ କେତେବେଳେ ସେଠି ରହିବତ କେତେବେଳେ ଏଠି. ହେଲେ ତୁମେ ସବୁ ଏତେକଥା କେମିତି ଜାଣିଲ ବୋଲି ପିଙ୍କି ପଚାରୁଥିଲା ତ ସେମାନେ କହିଲେ ଆରେ ଏଇଟା ଡିଜିଟାଲ ଯୁଗର କରାମତି.ଏଥର ପିଙ୍କି ହାରିଯାଇଥିଲା. ବେଦୀରେ ବସିବା ବେଳେ ପିଙ୍କି ଆଈ ଘର ଦୁଇପଡ଼ୋଶୀ ଦୁହିଁଙ୍କର ପିତା ମାତାଙ୍କ ଭୂମିକା ନିର୍ବାହ କରି ଖୁବ ଖୁସି ହୋଇଥିଲେ.ମଆ କାଳୀ ସହାୟ ହେଲେ କି କଣ ବାପା ଓ ମାଆ ଫେରିଆସି କୁଣ୍ଢେଇ ପକେଇ ଥିଲେ ପିଙ୍କିକୁ. କହୁଥିଲେ ଝିଅ ରୂପେ ପିଙ୍କି ଆମର ମହାକାଳୀ.
ସୁନନ୍ଦା ମହାନ୍ତି
ସାକ୍ଷିଗୋପାଳ
ପୁରୀ


