ଗାଁ ଭିତରେ ଜେଲ୍‌

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ମୋତିପୁରା ଗ୍ରାମରେ ଦେଖିବାକୁ ମିଳୁଛି ଏକ ନିଆରା କଥା । ଗ୍ରାମବାସୀମାନେ ମିଳିମିଶି ଏକ ସ୍ୱତନ୍ତ୍ର ଜେଲ୍ ତିଆରି କରିଛନ୍ତି । ଗାଁର ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନଙ୍କୁ ସେହି ଜେଲ୍ ଭିତରେ ରଖାଯାଉଛି । କେବଳ ସେତିକି ନୁହେଁ, ଥରେ ମଦ୍ୟପାନ କଲେ ୧୨୦୦ ଟଙ୍କା ଜରିମାନା ବି ଦେବାକୁ ପଡୁଛି । ସେହି ଟଙ୍କା ସବୁକୁ ଗ୍ରାମର ବିକାଶମୂଳକ କାର୍ଯ୍ୟରେ ଲଗାଯାଉଛି । “ମୋତିପୁରା ଜେଲ୍‌’ ନାମରେ ଏହା ପ୍ରସିଦ୍ଧ ହେବାରେ ଲାଗିଛି । ଜେଲରେ ଚକା ଲଗାଯାଇଛି । ଅପରାଧୀଙ୍କୁ ସେଠାରେ ରଖାଯିବା ପରେ ଜେଲକୁ ଗାଁ ବାହାରକୁ ନିଆଯାଉଛି । ସେଠାରେ ଲୋକମାନଙ୍କୁ ପୂରା ଜେଲରେ ରଖିବା ପରି ରଖାଯାଉଛି । ଖାଦ୍ୟପେୟରୁ ନେଇ ଜେଲ୍ ପରି ସମସ୍ତ କଟକଣାକୁ ମାନୁଛନ୍ତି ଅପରାଧୀମାନେ । ଏହି ଗ୍ରାମରେ ପ୍ରାୟ ୩,୫୦୦ ଗ୍ରାମବାସୀ ବସବାସ କରନ୍ତି । ଗ୍ରାମର ପ୍ରାୟ ୧୫୦ ଜଣ ଲୋକଙ୍କର ମଦପାନ ହେତୁ ଜୀବନ ଯିବା ପରେ ଗ୍ରାମବାସୀ ଏପରି ଅଭିନବ ଉପାୟ ଚିନ୍ତା କରିଛନ୍ତି । ଗ୍ରାମରେ ମଦ୍ୟପାନ ହେତୁ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ିଚାଲିବା ପରେ ଗାଁର ବୟୌଜ୍ୟୋଷ୍ଠ ଲୋକମାନେ “ମୋତିପୁରା ଜେଲ୍‌’ କଥା ଚିନ୍ତା କଲେ । ତେବେ ଏହି ଜେଲ୍ ସମସ୍ତ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଗଠନ କରାଯାଇଛି । ଏହା ଦ୍ୱାରା ଗାଁରେ ମଦ୍ୟପଙ୍କ ସଂଖ୍ୟା ମଧ୍ୟ କମୁଥିବାର ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ