ଗାଁ ରାସ୍ତାରେ ଆଣ୍ଠୁଏ ପାଣି, ପ୍ରଶାସନର ଦୃଷ୍ଟି ପଡିବ କେବେ?
ବନ୍ତ,(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନ ବନ୍ତ ପଞ୍ଚାୟତ ଅନ୍ତର୍ଗତ ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ରାଜପଥ ଠାରୁ ବନ୍ତ ଗାଁର ହାଟସାହି ପର୍ଯ୍ୟନ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଥିବା ଦେଖାଯାଇଛି । ସ୍ୱାଧୀନତାର ୭୬ ବର୍ଷ ପରେ ମଧ୍ୟ ଏହି ରାସ୍ତା ପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ । କେବେ ଏହି ରାସ୍ତା ନିର୍ମାଣ ହେବ ତାହା ସାହି ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରକାଶ ଯେ, ବନ୍ତ ବ୍ଲକର ସଦର ମହକୁମାରେ ବନ୍ତ ପଞ୍ଚାୟତର ୮ନଂ.ୱାର୍ଡଟି ଭଦ୍ରକ-ଆନନ୍ଦପୁର ୫୩ନଂ.ରାଜ୍ୟ ପଥ ଠାରୁ ବନ୍ତ ହାଟସାହି ଗ୍ରାମର ପ୍ରାୟ ୧୦୦ ମିଟରରୁ ଉର୍ଦ୍ଧ୍ୱ ରାସ୍ତାଟି ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି । ଉକ୍ତ ରାସ୍ତା ଦେଇ ଦୈନନ୍ଦିନ ୫୦ରୁ ଉର୍ଦ୍ଧ୍ୱ ପରିବାର ଯାତାୟତ କରିଥାନ୍ତି । ଏହି ରାସ୍ତାଟି ସଂପୂର୍ଣ୍ଣ ଭାବରେ ପ୍ରଶାସନିକ ଅବହେଳାର ଶୀକାର ହୋଇଛି । ଫଳରେ ଲୋକ ମାନେ ଆଣ୍ଠୁଏ ପାଣିରେ ଯାତାୟତ କରୁଛନ୍ତି । ଉକ୍ତ ରାସ୍ତାରେ ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ପାଣିରେ ଲୋକମାନେ ଯାତାୟତ କରିବା ଫଳରେ ନାନାଦି ପ୍ରକାର ରୋଗର ଶୀକାର ହେଉଥିବା ଜଣାଯାଇଛିି । ତେବେ ବ୍ଲକ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।