ଗାଁ ରୁ ସହର ଚାରିଆଡେ ଜମିଲାଣି ଜୁଆ ଆସର, ପୁଲିସ ରଖୁଛି କଡା ନଜର

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ବର୍ତ୍ତମାନ ଚାଲିଛି ପାର୍ବଣ ଋତୁ। ଆଶ୍ଵିନ ମାସର ବଡପର୍ବ ଦଶହରା ବା ଦୁର୍ଗାପୂଜା ଠାରୁ ଆରମ୍ଭ କରି ଆଲୋକର ପର୍ବ ଦୀପାବଳି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଚାଲିଛି ପାରମ୍ପରିକ ଜୁଆ ଖେଳ।‌ ଗାଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠାରେ ଚାଲିଛି ଜୁଆଖେଳର ଆସର। ନିକାଞ୍ଚନ ବିଲମାଳ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଘର ମଧ୍ୟରେ ଜୁଆଡି ମାନେ ଲୁଚିଛପି ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳରେ ମସଗୁଲ ଥିବା ଜଣାପଡିଛି। ତେବେ ପୁଲିସ ମଧ୍ୟ ସୁରାକ ପାଇବା ମାତ୍ରେ ସାଦା ପୋଷାକରେ ଯାଇ ଜୁଆ ଆଡ୍ଡାରେ ଅର୍ତକିତ ଚଢାଇ କରୁଛି । କିଛି ଜୁଆଡିଙ୍କୁ ପୁଲିସ ଗିରଫ କରୁଥିବା ବେଳେ କିଛି ଜୁଆଡି ପୁଲିସ ଆଖିରେ ଧୂଳିଛାଟି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହେଉଥିବା ନଜିର ରହିଛି। ଦଶହରା ଠାରୁ ଆରମ୍ଭ କରି କୁମାରପୂର୍ଣ୍ଣିମା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଚାଲିଛି ବେଆଇନ ଜୁଆ ଆଡ୍ଡା। କୁମାରପୂର୍ଣ୍ଣିମାରେ ସାଙ୍ଗସାଥୀ ଓ ପରିବାର ମିଳିମିଶି ଜୁଆ ଖେଳିବା ପରମ୍ପରା ରହି ଆସିଥିବା ବେଳେ ବର୍ତ୍ତମାନ ପରମ୍ପରା ନାଁ ରେ ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ଜୁଆ ଆଡ୍ଡା। ବାଜି ଲାଗୁଛି ଲକ୍ଷ ଲକ୍ଷ ଟଙ୍କା। କେହି କେହି ଜୁଆ ଖେଳରେ ଲିପ୍ତ ରହି ସର୍ବଶାନ୍ତ ହେଉଥିବା ବେଳେ କିଛି ଜୁଆଡି ରାତାରାତି ଲକ୍ଷାଧିକ ଟଙ୍କା ଉପାର୍ଜନ କରୁଥିବା ନଜିର ରହିଛି। ସ୍ଥାନୀୟ ସହରରେ ନିର୍ଦ୍ଧିଷ୍ଟ କିଛି ଘର ମଧ୍ୟରେ ବଡ ଧରଣର ଜୁଆ ଖେଳ ରୀତିମତ ଚାଲୁଥିବା ଜଣାପଡିଛି। ସେଠାକୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜୁଆଡି ମାନେ ଆସି ଜୁଆଖେଳରେ ଲିପ୍ତ ରହୁଥିବା ସୂଚନା ମିଳିଛି। ଏପରିକି ଜୁଆ ଖେଳ ଆୟୋଜନ କରୁଥିବା କିଛି ବ୍ୟକ୍ତିବିଶେଷ ସୁରକ୍ଷା ଯୋଗାଇଦେବା ବାହାନାରେ ପୋଲିସ କମିଶନ ନାଁ ରେ ହଜାର ହଜାର ଟଙ୍କା ଚାନ୍ଦା ଆଦାୟ କରୁଥିବା ଗୋପନ ସୂତ୍ରରେ ଜଣାପଡିଛି। ଜୁଆଖେଳ ନିଷିଦ୍ଧ ଆଇନ ୧୯୫୪ ଧାରା ୩ ଅନୁଯାୟୀ ଜୁଆଖେଳରେ ସାମିଲ ହେବା ଏକ ଦଣ୍ଡନୀୟ ଅପରାଧ । ଜୁଆଖେଳରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ୩ ମାସ ଜେଲ ଦଣ୍ଡାଦେଶ ସହ ୧ଶହ ଜରିମାନା ଆଦାୟ କରାଯିବା ନିୟମ ରହିଛି। ସହରର ବିଭିନ୍ନ ସ୍ଥାନରେ ବେଆଇନ ଜୁଆ ଆଡ୍ଡା ଚାଲିଥିବା ବେଳେ ପୁଲିସ ଯେ ନିରବ ସାଜିଛି, ତା ନୁହେଁ। ସୁରାକ ପାଇବା ମାତ୍ରେ ଅର୍ତକିତ ଚଢାଇ କରୁଛି। ଚଳିତ ପାର୍ବଣ ଋତୁର ୧ ମାସ ବ୍ୟବଧାନରେ ହିଞ୍ଜିଳି ପୁଲିସ ୫୦ ରୁ ଉର୍ଦ୍ଧ୍ବ ଜୁଆଡିଙ୍କୁ ଗିରଫ କରିଥିବା ବେଳେ ଲକ୍ଷାଧିକ ଟଙ୍କା ଜବତ କରିଥିବା ସୂଚନା ରହିଛି। ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ସାଦା ପୋଷାକଧାରୀ ପୋଲିସ ଟିମ୍ ଗଠନ କରାଯାଇଛି। ଆଗାମୀ ଦିନରେ ବିଭିନ୍ନ ଜୁଆଆଡ୍ଡାରେ ଚଢ଼ାଉ କରାଯାଇ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସେଠି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ