ଗାଁ ରେ ଚୋର ଆତଙ୍କ:ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ସାହି ବାସିନ୍ଦା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଞ୍ଚଳରେ ଚୋର ତସ୍କରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।କେତେବେଳେ ବାଇକ ତ ଆଉ କେବେ ସାଇକେଲ ଚୋରି କରି ନିଜ ପତିଆରା ଦେଖାଉଛନ୍ତି।ଆଉ କେତେବେଳେ ମୁଖ୍ୟ ବଜାରର ଟିଣ ତାଡି ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଲୁଟି ନେବାରେ ସକ୍ଷମ ହେଉଛନ୍ତି।ଏହା ଏବେ ଚୋର ଓ ଅସାମାଜିକ ତତ୍ତ୍ୱଙ୍କ ନିତିଦିନିଆ ଘଟଣାରେ ପରିଣତ ହୋଇଛି।ଏବେ ଆଉ ଏକ ଆତଙ୍କ ହିଞ୍ଜିଳିଥାନା ଇଲାକାରେ ଗତ ୩/୪ଦିନ ଧରି ଦେଖାଦେଇଛି।ହିଞ୍ଜିଳି ଥାନା ଇଲାକାର ଚାନ୍ଦୁଲି,ଖଣ୍ଡରା ଆଦି ଗ୍ରାମ ସହ ନଦୀ ପାଶ୍ୱବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ଏବେ ଚୋରଙ୍କ ନଜର ପଡିଛି।ଗତ ୩/୪ଦିନ ହେଲା ଗ୍ରାମ ଗୁଡିକରେ ଚୋରଙ୍କ ଆତଙ୍କ ଦେଖାଦେଇଛି।ଖବରରୁ ଜଣାପଡିଛି, ମଧ୍ୟରାତ୍ର ପ୍ରାୟ ଗୋଟାଏ ରୁ ତିନିଟା ମଧ୍ୟରେ ଗାଁ ଗୁଡିକରେ ଚୋର ଓ ଦୁର୍ବୃତ୍ତ ସେମାନଙ୍କ କାଣ୍ଡ କାରନାମା ଭିଆଉ ଥିବା ଜଣାପଡିଛି। ପୋଲିସ ଉପରୁ ଭରସା ତୁଟାଇ ଆତଙ୍କିତ ଗ୍ରାମବାସୀ ଏବେ ଚୋରକୁ ସାବାଡ କରିବା ଲକ୍ଷ୍ୟରେ ନିଷ୍ପତ୍ତି ନେଇଛନ୍ତି।ରାତ୍ରିରେ ଗ୍ରାମ୍ୟ ମୂଖ୍ୟ ରାସ୍ତା ଉପରେ ବାଉଁଶ ପକାଇ ଚୋରର ଗାଡି ମୋଟରକୁ ଅବରୋଧ କରିବା ଉଦ୍ୟମ ଆରମ୍ଭ ହୋଇଛି। ଆଉ କେଉଁଠି ସାହି ବାସିନ୍ଦା ମେଳି ହୋଇ ଚୋରକୁ କାବୁ କରିବା ଲକ୍ଷ୍ୟରେ ରାତି ଉଜାଗର ରହି ଲୁଟେରାଙ୍କୁ କାବୁ କରିବା ପାଇଁ ପାଳି କରି ଜଗି ଆସୁଛନ୍ତି।ଚୋରଙ୍କ ଦାଉରୁ ଗ୍ରାମ୍ୟ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସାହି ବାସିନ୍ଦା ଏବେ ରାତି ଉଜାଗର ରହୁଥିବା ଜଣାପଡିଛି।ସୂଚନା ଥାଉକି ସୋମବାର ମଧ୍ୟ ରାତ୍ର ସମୟରେ ଖଣ୍ଡରା ଗ୍ରାମର ଦଳିତ ସାହିର କୌଣସି ଏକ ଘରେ ଚୋର ପଶି ଥିବା ଖବର ପାଇ ଗ୍ରାମବାସୀ ଚୋରର ପିଛା କରିଥିଲେ। କିନ୍ତୁ ଲୁଟେରା ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଗ୍ରାମବାସୀ ଲୁଟେରାଙ୍କ ସନ୍ଧାନ ପାଇବାରେ ବିଫଳ ହୋଇଥିଲେ।ଏବେ କିଛି ଗ୍ରାମରେ ଗ୍ରାମବାସୀଙ୍କୁ ଚୋର ଚିନ୍ତା ଘାରିଛି।ଫଳରେ ଚୋର ଓ ଚୋରି ଘଟଣା ପାଇଁ ଅଭାବନୀୟ ଘଟଣା ସୃଷ୍ଟି କରିବା ବେଶ ସମ୍ଭାବନା ରହିଛି।ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ