ଗାଇ ମାଲିକଙ୍କ ଉପରେ କେବେ ହେବ କାର୍ଯ୍ୟାନୁଷ୍ଠାନ
ବ୍ରହ୍ମପୁର,(ଅନିଲ କୁମାର): ଗତ ୨୧ତାରିଖ ଅପରାହ୍ନରେ ବ୍ରହ୍ମପୁର ଜେଲ ରୋଡ଼ ରେଳବାଇ ଲାଇନରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଏକ ଗାଇ ର ଚିକିତ୍ସା ପାଇଁ ତା’ର ମାଲିକ ଧରାଛୁଆଁ ନ ଦେବା ଅତ୍ୟନ୍ତ ସ୍ପର୍ଶ କାତର ଘଟଣା ହୋଇଛି l ସହରରେ ଏହି ଭଳି ଘଟଣା ବାରମ୍ବାର ହେଉଥିଲେ ବି ମହାନଗର ନିଗମ ପକ୍ଷରୁ ସବୁବେଳେ ଅଣଦେଖା କରାଯାଉଛି l ଉକ୍ତ ଗାଇଟିର କାନରେ ଲାଗିଥିବା ଟ୍ୟାଗରେ ଥିବା ଗାଇ ମାଲିକଙ୍କ ଆଧାର ନମ୍ବରରୁ ଫୋନ ନମ୍ବର ଅନୁସନ୍ଧାନ କରି ଯୋଗାଯୋଗ କରିବାରୁ ଗାଇ ମାଲିକ ସିଧା ସଳଖ ଗାଇ ଟିର ଚିକିତ୍ସା ପାଇଁ ମନାକରିଦେଇଥିଲେ l ଏହି ଭଳି ଅମାନବିୟ ଗାଇ ମାଲିକଙ୍କ ପ୍ରତି ବିଏମସି କତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନେବାର ଆଗରୁ ନଜିର ନାହିଁ l ଗାଇ କାନରେ କେବଳ ନାମକୁ ମାତ୍ର ଟ୍ୟାଗ ଲାଗିଛି l ସହରରେ ଅଧିକାଂଶ ଗାଇ ମାଲିକ କ୍ଷୀର ବାହାର କରି ଗାଇ ଗୁଡିକୁ ରାସ୍ତାକୁ ଛାଡି ଦେଉଛନ୍ତି ଏବଂ ସେଥିରୁ ଅନେକଙ୍କ ଗୁହାଳ ମଧ୍ୟ ନାହିଁ l ଖରା, ବର୍ଷା, ଶୀତ କଷ୍ଟରେ ବର୍ଷ ସାରା ବୁଲି ବୁଲି ଜୀବନ କାଟୁଥିବା ଗାଇ ମାନଙ୍କ ଅବସ୍ଥା ପ୍ରକୃତରେ ଅତ୍ୟଧିକ କଷ୍ଟ ଦାୟକ l ସ୍ଥାନୀୟ ପଶୁ ପ୍ରେମୀ ତଥା ସାମାଜିକ କର୍ମୀ ମନୋଜ ତରାଇ ବ୍ୟକ୍ତିଗତ ଉଦ୍ୟମ ନେଇ ଜିଲ୍ଲା ପଶୁ ଚିକିତ୍ସାଳୟର ସହଯୋଗରେ ବର୍ତମାନ ପର୍ଯ୍ୟନ୍ତ ଗାଇ ଟିର ସମସ୍ତ ଚିକିତ୍ସା ଦାୟିତ୍ୱ ସହ ଖାଇବା ଖର୍ଚ୍ଚ ତୁଲାଉଛନ୍ତି l ଉକ୍ତ ଗାଇ ମାଲିକ ଜଣକ ବିଜିପୁର ବଡ଼ ସାହି ଅଂଚଳର ବୋଲି ଜଣା ପଡିଛି l ଅନ୍ୟ ପକ୍ଷରେ ଏହି ଭଳି ଦୁର୍ଘଟଣାଗ୍ରସ୍ତ ଗାଇ, ଷଣ୍ଢ ମାନଙ୍କୁ ରଖି ସେମାନଙ୍କ ଚିକିତ୍ସା କରିବା ପାଇଁ ଆଶ୍ରୟ ସ୍ଥଳ ମଧ୍ୟ ସହରରେ ନ ଥିବାରୁ ଅନେକ ସମସ୍ୟା ଦେଖାଯାଉଛି l ଆଜି ସାମାଜିକ କର୍ମୀ ଶ୍ରୀ ତରାଇ ସ୍ଥାନୀୟ ବିଧାୟକ କେ. ଅନିଲ କୁମାରଙ୍କୁ ଫୋନ ଯୋଗେ ପଶୁ ଆଶ୍ରୟ ଓ ଚିକିତ୍ସା କେନ୍ଦ୍ର ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି l