ଗାଙ୍ଗପୁରରେ ଐତିହାସିକ ନଳ ଯାତ୍ରା ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପାରମ୍ପରିକ ତଥା ଐତିହାସିକ ପର୍ବ କଥା ଆସିଲେ ଓଡ଼ିଆ ମାନେ ସର୍ବଦା ଅଗ୍ରଣୀ ରହିବାର ନଜିର ରହିଛି I ବିଶେଷ କରି ଓଡିଶା କୃଷକ ମାନେ ନିଜ ଅଞ୍ଚଳର ଆରାଧ୍ୟ ଦେବାଦେବୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖି ଅନେକ କୃଷି ଭିତ୍ତିକ ଏବଂ ସାମାଜିକ ପର୍ବ ପାଳନ କରିଥାନ୍ତି I ସେହିପରି ଏକ ବିଶ୍ୱାସର ପର୍ବ ହେଉଛି ଘୁମୁସର ଅଞ୍ଚଳର ଗାଙ୍ଗପୁର,ବୋରି, ପାଲକଷଣ୍ଢା ଏବଂ ନିମିନା ଗ୍ରାମରେ ପାଳନ କରାଯାଉଥିବା ଐତିହାସିକ ନଳଯାତ୍ରା I ଚଳିତବର୍ଷ ବୋରି, ପାଲକଷଣ୍ଢା ଏବଂ ନିମିନା ଗ୍ରାମରେ ପୂର୍ବରୁ ଏହି ନଳଯାତ୍ରା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ଗାଙ୍ଗପୁରରେ ଏହି ଐତିହାସିକ ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଏହି ଯାତ୍ରା ଫିକା ପଡ଼ିଯାଇଥିବା ବେଳେ ଚଳିତବର୍ଷ ଗାଙ୍ଗପୁର ଗ୍ରାମବାସୀ ଏହାକୁ ଧୁମଧାମରେ ପାଳନ କରିଥିଲେ I ଆଜି ପରମ୍ପରା ମୁତାବକ ଜଙ୍ଗଲରୁ ୧୨ ଫୁଟ ଉଚ୍ଚତାର ତିନିଗୋଟି ବାଉଁଶ ଆଣି ଗ୍ରାମ ମଣ୍ଡପରେ ସେଗୁଡ଼ିକୁ ଗଙ୍ଗା ଜଳରେ ଶୋଧନ କରାଯିବା ସହିତ ନଳ ଗୁଡ଼ିକୁ ଗ୍ରାମର ଆରାଧ୍ୟା ଦେବୀ କନ୍ଧୁଣୀ ଦେବୀ, ମାଆ ରତ୍ନେଇ ଏବଂ ମାଆ କାଳୀ ରୂପରେ ରଙ୍ଗବେରଙ୍ଗ କପଡ଼ା ଏବଂ ଫୁଲରେ ସଜାଇ ଦିଆଯାଇଥିଲା I ଏହା ପରେ ସାରା ଗ୍ରାମରେ ଗଙ୍ଗା ଜଳ ସିଞ୍ଚନ କରାଯାଇ ମଣ୍ଡପ ନିକଟରେ ହୋମ ଅନୁଷ୍ଠିତ ହୋଇଥିଲା I ଗ୍ରାମର ଦେବ ଗୌଡ଼ଙ୍କ ଘରୁ ଦେବୀଙ୍କୁ ଆବାହନ କରାଯାଇଥିଲା I ବିଶ୍ୱାସ ଅଛି ଦେବ ଗୌଡ଼ଙ୍କ ଗୃହରେ ଏକ ଦଣ୍ଡ ମଧ୍ୟରେ ଦେବୀ ଅବସ୍ଥାନ କରିଥାନ୍ତି I ଆବାହନ ସମୟରେ ଏହି ଦଣ୍ଡଟି ପୂଜକ ହାତକୁ ଆପେ ଆପେ ଡେ଼ଇଁ ଚାଲିଆସେ I ଦେବୀଙ୍କ ଆବାହନ ପରେ ସକାଳୁ ଲଟେରୀ ମାଧ୍ୟମରେ ମନୋନୀତ ହୋଇଥିବା ଗ୍ରାମର ବାଲ୍ମୀକି ବିଷୋୟୀ , ପ୍ରସନ୍ନ ବିଷୋୟୀ ଏବଂ ମିଥୁନ୍ ବିଷୋୟୀ ତିନି ଦେବୀ ରୂପୀ ନଳ ଗୁଡ଼ିକୁ ଧାରଣ କରି ଜଙ୍ଗଲରେ ଥିବା ରତ୍ନେଇ ଏବଂ କନ୍ଧୁଣୀ ଦେବୀ ପୀଠ ଅଭିମୁଖେ ଯାତ୍ରା କରିଥିଲେ I ସେଠାରେ ବିଧିମୁତାବକ ପୂଜା ସରିବା ପରେ ତିନି ଦେବୀ ବାଦ୍ୟ ବାଜଣା ସହ ଗ୍ରାମକୁ ଫେରି ପ୍ରତି ଘର ଆଗରେ ଭୋଗ ଗ୍ରହଣ କରିଥିଲେ I ଏହି ପର୍ବରେ ଗ୍ରାମର କୃଷି, ପଶୁସମ୍ପଦ ଏବଂ ଜନ ସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ଦେବୀଙ୍କ ନିକଟରେ ପ୍ରାର୍ଥନା କରାଯାଇଥାଏ I ଦୁଇ ବର୍ଷ ଧରି ଏହି ପର୍ବ ଅଳ୍ପ ଲୋକଙ୍କୁ ନେଇ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ଏହି ପର୍ବରେ ସାମିଲ୍ ହୋଇଥିଲେ I ଏହା ସହ ପାଖାପାଖି ବିଭିନ୍ନ ଗ୍ରାମରୁ ହଜାର ହଜାର ଲୋକ ଏହି ପର୍ବରେ ସାମିଲ୍ ହୋଇଥିଲେ I ଆଜିର କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସନ୍ତୋଷ ବିଷୋୟୀ ଏବଂ ପୁରୋହିତ ଭାବେ ହରିହର ତ୍ରିପାଠି,ଆଶୋକ ରଥ,ବସନ୍ତ ପୁରୋହିତ କାର୍ଯ୍ୟ ତୁଲାଇଥିଲେ I କାର୍ଯ୍ୟକ୍ରମରେ ଗାଙ୍ଗପୁର ଭଣ୍ଡାରି, ଜାନୀ, ଶିବ ମନ୍ଦିର ପୂଜକ, ଗ୍ରାମ୍ୟ ପରିଚାଳନା କମିଟି,ଶିଶୁ ସଂକୀର୍ତ୍ତନ ମଣ୍ଡଳୀ, ଗ୍ରାମବାସୀ ଏବଂ ଯୁବକ ସଂଘ ସହଯୋଗ କରିଥିଲେ I ଗାଙ୍ଗପୁର ପୋଲିସ୍ ଶାନ୍ତି ଶୃଙ୍ଖଳା ପ୍ରତି ନଜର ରଖିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ