ଗାଙ୍ଗପୁର ଅଞ୍ଚଳକୁ ଫେରିଲେ ପ୍ରବାସୀ ଓଡ଼ିଆ ; ୪ଟି ପଞ୍ଚାୟତର ସଙ୍ଗରୋଧ ଗୃହରେ ଆଜି ସୁଦ୍ଧା ୫୦୫ ଜଣ ସୁରତ ଫେରନ୍ତା 

ଗାଙ୍ଗପୁର/ବେଲଗୁଣ୍ଠI,(ଶିବରାମ ଚୌଧୁରୀ):ମହାମାରୀ କରୋନା ସମୟରେ ଲକ୍ ଡ଼ାଉନ୍ ଯୋଗୁଁ ନିଜର ଜୀବିକା ହରାଇ ଶହ ଶହ ସୁରତ ଶ୍ରମିକ ନିଜ ଭିଟାମାଟିକୁ ବସ୍ ଓ ଟ୍ରେନ୍ ଯୋଗେ ଫେରିବାରେ ଲାଗିଛନ୍ତି l ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ସାହାର୍ଯ୍ୟ ରେ ୧୪ ଦିନିଆ ସଙ୍ଗରୋଧରେ ରଖାଯାଉଛି l ଗତ ୨ ତାରିଖଠାରୁ ଆଜି ସୁଦ୍ଧା ଗାଙ୍ଗପୁର ଥାନା ଅନ୍ତର୍ଗତ ଗାଙ୍ଗପୁର, ଖଇରପୁଟି, କ୍ଷତ୍ରିୟବରପୁର ଏବଂ ଶାସନ ପଞ୍ଚାୟତକୁ ୫୦୫ ଜଣ ସୁରତ ଫେରନ୍ତା ଆସିଥିବାବେଳେ ସେମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ସଙ୍ଗରୋଧ ଗୃହରେ ରଖାଯାଇଛି l ଆଜି ଫେରିଥିବା ୭୪ ଜଣ ସୁରତ ଫେରନ୍ତାକୁ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଙ୍ଗରୋଧରେ ରଖାଯାଇଥିବା ବେଳେ ସେଥିରେ ଜଣେ ୪ମାସର ଶିଶୁ, ଜଣେ ୬ ବର୍ଷର ଶିଶୁ ଓ ୨ ଜଣ ମହିଳା ଥିବା ଜଣା ପଡ଼ିଛି l ସେହିପରି ଖଇରପୁଟି ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୦ ଜଣଙ୍କୁ ରଖାଯାଇଥିବା ବେଳେ ସୁରତରୁ ବାଇକ୍ ଯୋଗେ ଫେରିଥିବା ୬ ଜଣଙ୍କୁ ପଞ୍ଚାୟତ ହାଇସ୍କୁଲ୍ ରେ ସଙ୍ଗରୋଧ ଗୃହରେ ରଖାଯାଇଛି l ଏହି ପଞ୍ଚାୟତ ଅନ୍ତର୍ଗତ ଇନ୍ଧନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪ ଜଣ ମହିଳା ସମେତ ୨୩ ଜଣ ସୁରତ ଫେରନ୍ତାକୁ ସଙ୍ଗରୋଧ ଗୃହରେ ରଖାଯାଇଛି l ୪ ଜଣ ମହିଳାଙ୍କ ମଧ୍ୟରୁ ୨ ଜଣ ଗର୍ଭବତୀ ମହିଳା ଥିବା ଜଣା ପଡ଼ିଛି l କ୍ଷତ୍ରିୟବରପୁରସ୍ଥିତ ସନ୍ଧାନ ପବ୍ଲିକ ସ୍କୁଲ୍ ରେ ଗତ କାଲି ୫୭ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଥିବା ବେଳେ ଆଜି ୨୫ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି l ସେଥି ମଧ୍ୟରେ ୪ ଜଣ ମହିଳା ଓ ୨ଜଣ ଶିଶୁ ଥିବା ଜଣା ପଡ଼ିଛି l ସେହିପରି ଶାସନ ପଞ୍ଚାୟତର ସଙ୍ଗରୋଧ ଗୃହରେ ଗତ କାଲି ଫେରିଥିବା ୫୮ ଜଣ ଓ ଆଜି ଫେରିଥିବା ୨୬ ଜଣଙ୍କୁ ରଖାଯାଇଛି l ଗତ ୨ ତାରିଖରେ ପ୍ରତାପ ଲକ୍ଷ୍ମଣପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସଙ୍ଗରୋଧରେ ରଖାଯାଇଥିବା ୧୬୮ ଜଣ ସୁରତ ଫେରନ୍ତାଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କର ସ୍ଵାମୀଙ୍କୁ କୋଦଳା ସଙ୍ଗରୋଧ ଗୃହକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି l ଏହି ସମସ୍ତ ସୁରତ ଫେରନ୍ତା ବୁଗୁଡା, ଆସ୍କା, ସୋରଡା, ଧରାକୋଟ, ବେଲଗୁଣ୍ଠI, ଭଞ୍ଜନଗର, ଗଞ୍ଜାମ ଏବଂ ଶେରଗଡ ବ୍ଲକର ବୋଲି ଜଣାପଡ଼ିଛି l ସଙ୍ଗରୋଧରେ ରଖିବା ପୂର୍ବରୁ ସମସ୍ତ ସୁରତ ଫେରନ୍ତାଙ୍କ ସ୍ଵାସ୍ଥ୍ୟ ଯାଞ୍ଚ ସ୍ଥାନୀୟ ସ୍ଵାସ୍ଥ୍ୟ ବିଭାଗ ଦ୍ଵାରା କରାଯାଉଛି l ସ୍ଵାସ୍ଥ୍ୟ ଅବସ୍ଥା ଯାଞ୍ଚ ସମୟରେ ଗାଙ୍ଗପୁର ସଙ୍ଗରୋଧ ଗୃହରେ ଥିବା ୨ ଜଣଙ୍କୁ ସାମାନ୍ୟ ଜ୍ଵର ଏବଂ ଥଣ୍ଡା ହୋଇଥିବାରୁ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯିବା ସହ ସେମାନଙ୍କ ଉପରେ କଡା ନଜର ରଖାଯାଇଛି l ଚିକିତ୍ସା ଅଧିକାରୀ ଡକ୍ଟର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ, ଡକ୍ଟର ସରୋଜ ପ୍ରଧାନ, ଡକ୍ଟର ଜ୍ଞାନ ରଞ୍ଜନ ମହାପାତ୍ର, ଡକ୍ଟର ଜୟ ନାଥ ପତି, ଡକ୍ଟର ଶ୍ରୁତୀ ବିଜିତା ରଥ ସୁରତ ଫେରନ୍ତାଙ୍କ ସ୍ଵାସ୍ଥ୍ୟ ଯାଞ୍ଚ କରୁଥିବା ବେଳେ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସ, ଡି ଏସ୍ ପି ସଞ୍ଜୟ କୁମାର ମହାପାତ୍ର ନିଜର ଟିମ୍ ସହ ସଙ୍ଗରୋଧ ଗୃହର ଶୃଙ୍ଖଳା ପ୍ରତି ନଜର ରଖିଛନ୍ତି l ସଙ୍ଗରୋଧ ଗୃହରେ ସମସ୍ତ ବ୍ୟବସ୍ଥାକୁ ବେଲଗୁଣ୍ଠI ତହସିଲଦାର ସରୋଜ କୁମାର ବେହେରା, ଗାଙ୍ଗପୁର ରାଜସ୍ଵ ନିରୀକ୍ଷକ ଭେଙ୍କଟ ରାଓ, ସମସ୍ତ ୪ ଟି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ତଥା ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ , ଖଇରପୁଟି ପଞ୍ଚାୟତ ସରପଞ୍ଚ, ସମିତି ସଭ୍ୟ ପ୍ରଭାତ କୁମାର ସ୍ଵାଇଁ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ଶାସନ ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ପ୍ରଧାନ ତଦାରଖ କରିବା ସହ ସଙ୍ଗରୋଧରେ ଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ଯୋଗାଇ ଦେଇଛନ୍ତି l ସଙ୍ଗରୋଧ କେନ୍ଦ୍ର ହୋଇଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ