ଗାଡି ଚଲା ଶିଖୁଥିବା ବେଳେ ଦେଲେ ଧକ୍କା, ସରପଞ୍ଚଙ୍କ ସ୍ବାମୀ ମୃତ
ତିର୍ତ୍ତୋଲ,( ଅଭିଷେକ ତ୍ରିପାଠୀ ): ତିର୍ତ୍ତୋଲ ବ୍ଲକ ମଣିଜଙ୍ଗା ପଞ୍ଚାୟତର ସରପଞ୍ଚ ମମତା ସାହୁଙ୍କ ସ୍ବାମୀ ରଶ୍ମି ରଞ୍ଜନ ସାହୁଙ୍କର ବୁଧବାର ଗାଡି ଧକ୍କାରେ ମୃତ୍ୟୁ ହୋଇଛି। ତାଙ୍କ ଗାଁର ମନୋଜ ସାହୁ ନାମକ ଜଣେ ଯୁବକ ଏକ ଟାଟା ଏସି ଗାଡି ଚାଳନା ଶିଖୁଥିବା ବେଳେ ନିୟନ୍ତ୍ରଣ ହରାଇ ତାଙ୍କୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଘଟଣାରୁ ଜଣାଯାଏ ଗାଁ ଦାଣ୍ଡରେ ସରପଞ୍ଚଙ୍କ ସ୍ବାମୀ ରଶ୍ମି ୪ଜଣ ଲୋକଙ୍କ ସହ ଠିଆ ହୋଇ କଥା ହେଉଥିଲେ। ଏହି ସମୟରେ ଏକ ଟାଟା ଏସି ( ଓଡି ୦୨-ଡିକେ-୨୮୦୩ ) ଚଲାଉଥିବା ଉକ୍ତ ଗ୍ରାମର ମନୋଜ ଦ୍ରୁତ ଗତିରେ ନେଇ ଧକ୍କା ଦେଇଥିଲେ। ଏଥିରେ ରଶ୍ମିରଞ୍ଜନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ନିମନ୍ତେ ମଣିଜଙ୍ଗା ଗୋଷ୍ଠି ସ୍ବାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଖବର ଜଣା ପଡିବା ପରେ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ତାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ମଣିଜଙ୍ଗା ବଜାର ବନ୍ଦ ରହିଥିଲା। ଖବର ଲଖାହେବା ଯାଏ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି।