ଗାଡି ନମ୍ବର ପ୍ଲେଟ ନିୟମ: ଅଟକିଛି ୩୪୨ ଗାଡ଼ିର ପଂଜିକରଣ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) : ଏପ୍ରିଲ ମାସରୁ ପ୍ରତି ଗାଡ଼ିରେ ଉଚ୍ଚ ନିରାପତା ସଂଯୁକ୍ତ ପଂଜିକରଣ ନମ୍ବର ପ୍ଲେଟ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଏହି ବ୍ୟବସ୍ଥା ଗଂଜାମ ଜିଲ୍ଲାରେ ଆରମ୍ଭ ହୋଇ ନଥିବାରୁ ପଂଜିକରଣ ଠପ ହୋଇଯାଇଛି । ୩୪୨ ଗାଡ଼ିର ପଂଜିକରଣ ହୋଇପାରିନି । ନିୟମ ତୁରନ୍ତ କାର୍ୟ୍ୟକାରୀ କରିବା ଲାଗି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଂଜାମ ଆରଟିଓ ସଂଜୟ କୁମାର ବିଶ୍ୱାଳ ଏଥିରେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବାବେଳେ ଗାଡ଼ି ଗାଡ଼ି ଡିଲର ଏବଂ ଗାଡ଼ି ନିର୍ମାଣକାରୀ ସଂସ୍ଥାର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଉଚ୍ଚ ନିରାପତା ସଂଯୁକ୍ତ ପଂଜିକରଣ ନମ୍ବର ପ୍ଲେଟ (ଏଚଏସଆରପିଏନ ନମ୍ବର ପ୍ଲେଟ) ଏବଂ ବାହାନ ପୋର୍ଟାଲରେ ଅପଲୋଡ଼ ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଥିଲା । ଆରଟିଓ ଶ୍ରୀ ବିଶ୍ୱାଳ କହିଛନ୍ତି, ଗତ ଏପ୍ରିଲ ୧ ତାରିଖ ଠାରୁ ଏଚଏସପିଏନ ନମ୍ବର ପ୍ଲେଟ ବ୍ୟବହାର ନିୟମ ସମଗ୍ର ଦେଶରେ କାର୍ୟ୍ୟକାରୀ ହୋଇଛି । ଏହି ନିୟମାନୁସାରେ ଦୁଇ ଚକିଆଠୁ ଆରମ୍ଭ କରି ବିଭିନ୍ନ ଯାନବାହାନରେ ଏଭଳି ନମ୍ବର ପ୍ଲେଟ ଲଗାଯିବ । ନମ୍ବର ପ୍ଲେଟରେ ୭ ଗୋଟି ସେନସର ରହୁଥିବାବେଳେ ଏହାକୁ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଗ୍ରାହକଙ୍କୁ ଗାଡ଼ି ବିକ୍ରୟ କରିବା ପୂର୍ବରୁ ଗାଡ଼ି ବିକ୍ରେତା ସମ୍ପୃକ୍ତ ଗାଡ଼ିରେ ଏଭଳି ନମ୍ବର ପ୍ଲେଟ ସଂଯୋଗ କରିବା ବାଧ୍ୟତାମୂଳକ । କୌଣସି କାରଣରୁ ଏହି ସଂଯୋଗ ବିଳମ୍ବ ଘଟିଲେ ନିର୍ମାଣକାରୀ ସଂସ୍ଥା ବା ବିକ୍ରି କରୁଥିବା ସଂସ୍ଥା ଗାଡ଼ି ସହିତ ଅସ୍ଥାୟୀ ଉଚ୍ଚ ନିରାପତା ସଂଯୁକ୍ତ ପଂଜିକୃତ ପ୍ଲେଟ ଦେବାର ବ୍ୟବସ୍ଥା କରିବେ । କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ବିଭାଗ ଗତ ଏପ୍ରିଲ ୪ ତାରିଖରେ ବାହନ ପୋର୍ଟାଲ ସହ ଉଚ୍ଚ ନିରାପତା ସଂଯୁକ୍ତ ପଂଜିକରଣ ନମ୍ବର ପ୍ଲେଟ ସଂଯୋଗ କରିବା ନିମନ୍ତେ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଓଡ଼ିଶା ରାଜ୍ୟ ପରିବହନ କର୍ତୃପକ୍ଷଙ୍କୁ ପଠାଇଛନ୍ତି । ସମସ୍ତ ଜିଲ୍ଲାରେ କାର୍ୟ୍ୟକାରୀ କରିବା ନିମନ୍ତେ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି ହୋଇଛି ।


