ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି

ବାଲେଶ୍ୱର, (ସରୋଜ ପଣ୍ଡା) :-ଚଳିତ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି । ସ୍ଥାନୀୟ ରିଜର୍ଭ ପୁଲିସ ପରେଡ୍ ପଡିଆଠାରେ ଏହା ଚାଲିଥିବା ବେଳେ ପୋଲିଂ ପାର୍ଟି ଓ ପୁଲିସର ବ୍ୟବହାର ପାଇଁ ଏହି ଗାଡି ଗୁଡିକୁ ନିୟୋଜିତ କରାଯିବ । ତେବେ ଫେବୃଆରୀ ୧୨ତାରିଖ ଦିନ ରିପୋର୍ଟ କରିବାକୁ ଥିବା କିଛି ଗାଡି ମାଲିକ ପ୍ରଶାସନିକ ଆଦେଶକୁ ଅମାନ୍ୟ କରି ଏଥିରେ ଅନୁପସ୍ଥିତ ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ସେମାନଙ୍କ ବିରୁଦ୍ଧରେ ଲୋକ ପ୍ରତିନିଧିତ୍ୱ ଅଧିନିୟମ-୧୯୫୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ୨୮ଜଣ ଗାଡି ମାଲିକଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରାଯାଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରାୟ ୧୩ଶହ ଗାଡି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆସନ୍ତା ଫେବୃଆରୀ ୧୪ତାରିଖ ସକାଳ ୭ଘଟିକା ସୁଦ୍ଧା ସେମାନଙ୍କୁ ଭୋଗରାଇ ଓ ଜଳେଶ୍ୱର ବିତରଣ କେନ୍ଦ୍ରରେ ରିପୋର୍ଟ କରିବାକୁ କୁହାଯାଇଛି । ସେହିପରି ଯେଉଁ ଗାଡିମାଲିକ ମାନେ ସେମାନଙ୍କ ଗାଡି ବେସରାକାରୀ କାର୍ଯ୍ୟାଳୟ / କମ୍ପାନୀ ଅଥବା ଅନ୍ୟ ଆଡେ ନିୟୋଜିତ ଥିବା ଦର୍ଶାଇ ପଂଚାୟତ ନିର୍ବାଚନ କାର୍ଯ୍ୟରୁ ବାଦ୍ ଦେବା ପାଇଁ ଆବେଦନପତ୍ର ଦେଇଥିଲେ ସେମାନଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଛି । ସେମାନଙ୍କୁ ତୁରନ୍ତ ନିର୍ବାଚନ କାର୍ଯ୍ୟରେ ଯୋଗ ଦେବା ପାଇଁ କୁହାଯାଇଛି । ଯେଉଁମାନେ ଏହି ଆଦେଶକୁ ଅମାନ୍ୟ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ପଂଚାୟତ ନିର୍ବାଚନର ସମସ୍ତ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୨୫ଶହ ଗାଡି ଅଧିଗ୍ରହଣ କରାଯିବ । ତେବେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟ କ୍ରମେ ଗାଡି ଅଧିଗ୍ରହଣ ଜାରି ରହିବ ବୋଲି ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ରଶ୍ମି ରଞ୍ଜିତ ଦଳେବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ