ଗାଧୋଇବା ବେଳେ ହଦଗଡ଼ ଡ୍ୟାମ ରେ ବୁଡିଗଲେ ଦୁଇ ଜଣ ଛାତ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀର ହଦଗଡ ଡ୍ୟାମ୍ରେ ଘଟିଛି ଅଘଟଣ। ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୭ଜଣ ସାଙ୍ଗ ଡ୍ୟାମ ବୁଲିବାକୁ ଆସିଥିବା ବେଳେ ପାଣିରେ ବୁଡ଼ି ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ବିଭିନ୍ନ ଗ୍ରାମରୁ ୭ଜଣ ଛାତ୍ର ଆଜି ସକାଳେ ହଡଗଡ଼ ଡ୍ୟାମ ବୁଲିବାକୁ ଆସିଥିଲେ। ଗେଟ ସମ୍ମୁଖରେ ବାଇକ ରଖିଦେଇ ଦିନ୧୨ଟା ବେଳେ ସେମାନେ ଜିରୋ ପଏଣ୍ଟ ଗାଧୋଉଥିବାବେଳେ ତିହିଡି ଅଞ୍ଚଳର ସୌମ୍ୟାଜିତ ନାୟକ (୧୯) ପ୍ରଥମେ ବୁଡି ଯାଇଥିଲେ। ଏହାଦେଖି ବରପଦା ଅଞ୍ଚଳର ଈଶ୍ୱର ଦାସ (୧୯) ତାକୁ ଉଦ୍ଧାର କରୁଥିବା ବେଳେ ସେ ମଧ୍ୟ ବୁଡିଯାଇଥିଲେ। ଅନ୍ୟ ଛାତ୍ରମାନଙ୍କ ପାଟି ଶୁଣି ସ୍ଥାନୀୟ ଲୋକମାନେ ଖୋଜା ଖୋଜି କରିଥିଲେ ବି ଛାତ୍ର ଦ୍ୱୟଙ୍କ ସନ୍ଧାନ ପାଇ ନଥିଲେ। ଖବର ପାଇ ସୋସୋ ପୁଲିସ ପହଞ୍ଚି ହାଟଡ଼ିହି ଅଗ୍ନିଶମ ବାହିନୀ ସହଯୋଗରେ ଦୀର୍ଘ ଦୁଇଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ପଥମେ ସୌମ୍ୟାଜିତ ଓ ତାର ଘଣ୍ଟାଏ ପରେ ଈଶ୍ୱରର ମୃତଦେହ ଉଦ୍ଧାର କରିଥିଲେ। ଉଭୟ ମୃତଦେହ କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟକୁ ନିଆଯାଇଛି। ସୋସୋ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୌମ୍ୟଜିତ କିଟର ଛାତ୍ର ହୋଇଥିବା ବେଳେ ଈଶ୍ୱର ପଞ୍ଜାବ ର ଏକ ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ କରୁଥିଲେ ବୋଲି ଅନ୍ୟ ସାଙ୍ଗମାନେ କହିଛନ୍ତି।