ଗାନ୍ଧିଙ୍କ ଜୀବନ କାହାଣୀ

ସାରା ପୃଥିବୀରେ ହଜାର ହଜାର ବ୍ୟକ୍ତି ଗାନ୍ଧିଙ୍କ ଜୀବନି ଲେଖିଥିଲେ ମଧ୍ୟ ପ୍ରଥମ ଜୀବନି ଲେଖକର ସମ୍ମାନ ଦକ୍ଷିଣ ଆଫ୍ରିକାର ଜଣେ ଧର୍ମ ଯାଜକ ଯୋସେଫ ଡୋକ୍ଙ୍କୁ ହିଁ ମିଳିଅଛି । ଗାନ୍ଧିଙ୍କୁ ଯେତେବେଳେ ୩୯ ବର୍ଷ ଓ ସେ ଦକ୍ଷିଣ ଆଫ୍ରିକାରେ ତାଙ୍କର ସତ୍ୟାଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିଥାନ୍ତି ତାଙ୍କର ଜଣେ ବନ୍ଧୁ ଯୋସେଫ ଡୋକ୍ ୧୯୦୯ ମସିହାରେ ଆନ୍ ଇଣ୍ଡିଆନ ପାଟ୍ରିଅଟ ଇନ ସାଉଥ ଆଫ୍ରିକା ନାମରେ ଗାନ୍ଧିଙ୍କର ଜୀବନି ପୁସ୍ତକ ଲେଖିଥିଲେ । ଏହି ପୁସ୍ତକରେ ମୁଖବନ୍ଧ ଦେଇଥିଲେ , ଭାରତର ଏକ ସମୟରେ ଭାଇସ ରାୟ ଥିବା ଲର୍ଡଆମ୍ପ ଥ୍ରୀଲ ଓ ୧୯୧୯ ମସିହାରେ ଏହାର ଭାରତୀୟ ସଂସ୍କରଣ ମାଡ୍ରାସର ଜଣେ ପ୍ରକାଶକ ଜି.ଏ.ନାର୍ସନ ପ୍ରକାଶ କରିଥିଲେ । ଯୋସେଫ ଡୋକ୍ ୦୫/୧୧/୧୮୬୧ ରେ ଇଂଲଣ୍ଡରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଜଣେ ବାପ୍ପଟିଷ୍ଟ ଧର୍ମ ଯାଜକ ଥିଲେ । ଡୋକ୍ ନିଜେ ଧର୍ମ ଯାଜକ ହୋଇ ନ୍ୟୁଜିଲାଣ୍ଡ ଓ ପରେ ଦକ୍ଷିଣ ଆଫ୍ରିକାରେ ଆସି ଧର୍ମ ଯାଜକ କାର୍ଯ୍ୟ କରୁଥିଲେ । ସେ ଜଣେ ଦକ୍ଷ ଚିତ୍ରକର ଫଟୋଗ୍ରାଫର ଓ କାର୍ଟୁନ ପ୍ରସ୍ତୁତ କାରି ଥିଲେ । ଗାନ୍ଧିଙ୍କର ଇଣ୍ଡିଆନ ଓପିନିଅନ ପତ୍ରୀକାରେ ସେ ଲେଖା ମାନ ପ୍ରକାଶ କରୁଥିଲେ ଓ ଗାନ୍ଧିଙ୍କ ସଙ୍ଗେ ତାଙ୍କର ବନ୍ଧୁତା ସ୍ଥାପିତ ହେଲା । ସେମାନେ ଯୋହେନ୍ସ ବର୍ଗ ଠାରେ ନିରାମିଷ ହୋଟେଲରେ ଧର୍ମ ବିଷୟରେ ଆଲୋଚନା କରୁଥିଲେ । ୧୯୦୮ ମସିହାରେ ସତ୍ୟାଗ୍ରହ ଆନ୍ଦୋଳନ ବେଳେ ଗାନ୍ଧିଙ୍କୁ ଜଣେ ଆଫଗାନ୍ ଫଠାଣ ମାଡ ମାରି ଗୁରୁତର ଭାବେ ଆହତ କରିଥିଲା । ବନ୍ଧୁ ମାନେ ଗାନ୍ଧିଙ୍କୁ ହସପିଟାଲ ନେବାକୁ ଚାହିଁଲେ ମଧ୍ୟ ଯୋସେଫ ଡୋକ୍ ତାଙ୍କୁ ନିଜ ଘରକୁ ନେଇଗଲେ । ଗାନ୍ଧି ଆରାମରେ ରହିବା ପାଇଁ ତାଙ୍କ ପୁଅର ରୁମକୁ ଛାଡିଦେଲେ ଓ ନିଜେ ଦିର୍ଘଦିନ ଧରି ଗାନ୍ଧିଙ୍କର ସେବା କଲେ, ତାଙ୍କ ଘା ଧୋଇଲେ । ପ୍ରତିଦିନ ଗାନ୍ଧିଙ୍କ ମନୋରଂଜନ ପାଇଁ ଖ୍ରୀଷ୍ଟିଆନ ଭଜନ ମାନ ଗାନ କଲେ । ଗାନ୍ଧିଙ୍କ ପାଖକୁ ଆସୁଥିବା ପ୍ରତିଦିନ ଅନେକ ବନ୍ଧୁ ତାଙ୍କ ଘରେ ସାକ୍ଷାତ କରୁଥିଲେ । ପରବ³ିର୍ ସମୟରେ ୧୯୧୧ ମସିହାରେ ଗାନ୍ଧିଙ୍କ ଅନୁରୋଧରେ ସେ ଇଣ୍ଡିଆନ ଓପିନିଅନ ପ୍ରତ୍ରୀକାର ସଂପାଦନା କାର୍ଯ୍ୟ ଚଳାଇଥିଲେ । ତାଙ୍କର ଏହି କାର୍ଯ୍ୟ ପାଇଁ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟ ଓ ଚିନ ଲୋକମାନେ ତାଙ୍କୁ ବିଶେଷ ଭାବରେ ସମ୍ମାନିତ କରିଥିଲେ । ୧୫/୦୮/୧୯୧୩ ମସିହାରେ ରୋଡେସିଆକୁ ମିସନାରୀ କାର୍ଯ୍ୟରେ ଯାଇଥିଲା ବେଳେ ହୃଦଘାତରେ ତାଙ୍କର ହଠାତ ମୃତ୍ୟୁ ଘଟିଲା । ତାଙ୍କର ମୃତ୍ୟୁ କଥା ସୁଣି ଗାନ୍ଧି ମର୍ମାହତ ହୋଇଯାଇଥିଲେ ଓ କହିଥିଲେ ସେ କାହାକୁ ଭୟ କରୁନଥିଲେ । କାରଣ ସେ ଏକ ମାତ୍ର ଇଶ୍ୱରଙ୍କୁ ଡରୁଥିଲେ । ମୁଁ ସବୁଦିନ ପାଇଁ ତାଙ୍କୁ ମନେରଖିଥିବି ।
ଗାନ୍ଧିଙ୍କର ବା କସ୍ତୁରବା ଗାନ୍ଧି ,ଗାନ୍ଧିଙ୍କର ସମସ୍ତ ଅନୁଗତଙ୍କ ପାଇଁ ସେ ଥିଲେ ସତେ ଯେମିତି ଜନମ କଲା ମା ସମସ୍ତେ ତାଙ୍କୁ ସମ୍ମାନର ସହ ବା ଓ ଗାନ୍ଧିଙ୍କୁ ବାପୁ ବୋଲି ଡାକୁଥିଲେ । ସେହି ମହିୟସୀ ମହିଳା କସ୍ତୁରବା ଗାନ୍ଧିି ୧୧/୦୪/୧୮୬୯ ମସିହାରେ ପୋର ବନ୍ଦରର ଗୋକୁଳ ଦାସ ମାଖନଜୀ କାପାଡିଆ ଏବଂ ବ୍ରଜ କୁମାରୀଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ । ସେ କୈାଣସି ବିଦ୍ୟାଳୟ ଶିକ୍ଷା ଲାଭ କରିନଥିଲେ । ୧୮୮୩ ମସିହାରେ ସେ ମୋହନଦାସ କରମଚାନ୍ଦ ଗାନ୍ଧିଙ୍କୁ ମାତ୍ର ୧୩ ବର୍ଷ ବୟସରେ ବିବାହ କରିଥିଲେ । ଗାନ୍ଧିଙ୍କ ଭାଷାରେ ସେତେବେଳେ ବିବାହର ଅର୍ଥ ନୂଆ ପୋଷାକ ପିନ୍ଧିବା ଭୋଜି ଖାଇବା ଓ ସାଙ୍ଗ ମାନଙ୍କ ସାଙ୍ଗରେ ନାଚକୁଦ କରିବା ବୋଲି ସେମାନେ ବୁଝିଥିଲେ । ବିବାହ ପରେ ଗାନ୍ଧିଜୀ ତାଙ୍କ ଉପରେ ସମ୍ପୁର୍ଣ୍ଣ ହୁକୁମ ଜାହିର କରୁଥିଲେ । ମାତ୍ର କସ୍ତୁରବା ତାଙ୍କୁ ନମାନି ଖେଳିବାକୁ ଚାଲିଯାଉଥିଲେ । ଏଥି ପାଇଁ ସେମାନଙ୍କ ମଧ୍ୟରେ ବେଳେ ବେଳେ ମନାନ୍ତର ହେଉଥିଲା । ଗାନ୍ଧି କସ୍ତୁରବାଙ୍କ ପ୍ରତି ଅତ୍ୟକ୍ତ ଆଶକ୍ତ ଥିଲେ । ସବୁବେଳେ ତାଙ୍କ କଥା ଭାବୁଥିଲେ । ଏପରିକି ତାଙ୍କ ପିତା ମୃତ୍ୟୁ ଶଯ୍ୟାରେ ଥିଲାବେଳେ ସେ କସ୍ତୁରବାଙ୍କ କୋଠରିରେ ଥିଲେ । ମାତ୍ର ୧୫ ବର୍ଷ ବୟସରେ କସ୍ତୁରବା ମାଁ ହେଲେ ମଧ୍ୟ ପ୍ରଥମ ସନ୍ତାନଟି ଅଳ୍ପ ଦିନ ପରେ ମରିଗଲା । ୧୮୯୬ ମସିହାରେ ତାଙ୍କର ଦୁଇ ପୁଅ ହରିଲାଲ ଓ ମଣିଲାଲକୁ ଧରି ସ୍ୱାମିଙ୍କ ସହ ସେ ଦକ୍ଷିଣ ଆଫ୍ରିକା ଗଲେ ଓ ସେଠାରେ ଆଡମ୍ବର ସହ ଯୋହେନ୍ସ ବର୍ଗରେ ରହିଲେ । ଏହି ସମୟରେ ଗାନ୍ଧିଙ୍କ ବାସ ଗୃହରେ ତାଙ୍କର ଅନେକ ବନ୍ଧୁ ସପରିବାର ସହ ବାସ କରୁଥିଲେ । ସେମାନଙ୍କ ପାଇଖାନା ହାଣ୍ଡିକୁ ସଫା କରିବାପାଇଁ ଗାନ୍ଧି କସ୍ତୁରବାଙ୍କୁ ଆଦେଶ ଦେଲେ ଓ କସ୍ତୁରବା ଏଥିରେ ପ୍ରତିବାଦ କରିବାରୁ ଗାନ୍ଧି ରାଗରେ ତାଙ୍କୁ ଘରୁ ବାହାରି ଯିବାକୁ କହିଲେ । କସ୍ତୁରବା ତାଙ୍କୁ କହିଲେ ଏ ହେଉଛି ବିଦେଶି ଜାଗା । ମୋର ବାପା ମା ଏଠାରେ ନାହାନ୍ତି । ଏକଥା ସୁଣି ଗାନ୍ଧି ଅନୁତପ୍ତ ହେଲେ ଓ ଭବିଷ୍ୟତରେ ଆଉ କବେ ରୁକ୍ଷ ବ୍ୟବହାର କଲେନାହିଁ ।
୧୯୦୬ ମସିହାରେ ଗାନ୍ଧିଜୀ କସ୍ତୁରବାଙ୍କ ଅନୁମତି ନେଇ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କଲେ ଓ ଆଡମ୍ବର ପୂର୍ଣ୍ଣ ଘର ଛାଡି ଆଶ୍ରମରେ ବାସ କରିବାକୁ ଲାଗିଲେ । ଆଶ୍ରମର ପରିଚାଳନା ଦାୟିତ୍ୱ କସ୍ତୁରବା ଗ୍ରହଣ କରିଥିଲେ ଓ ବିଭିନ୍ନ ଆନ୍ଦୋଳନ କାର୍ଯ୍ୟକ୍ରମରେ କସ୍ତୁରବା ମଧ୍ୟ ସାଙ୍ଗରେ ଯାଉଥିଲେ । ୧୯୧୩-୧୪ ରେ ଗାନ୍ଧିଙ୍କର ଲଙ୍ଗମାର୍ଚ୍ଚରେ ସେ ଅଂଶ ଗ୍ରହଣ କରିଥିଲେ । ଗାନ୍ଧି ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲା ବେଳେ ତାଙ୍କୁ ଅନେକ ମୂଲ୍ୟବାନ ଉପହାର ଦିଆ ଯାଇଥିଲା । ସେ ଗୁଡିକ ମଧ୍ୟରେ ୫୦ ତୋଳାର ଏକ ସୁନା ହାର ଓ ହିରା ଓ ମୁକ୍ତା ଥିଲା । କସ୍ତୁରବା ଅନ୍ୟ ସ୍ତ୍ରୀ ଲୋକଙ୍କ ଭଳି ସେଗୁଡିକୁ ପାଖରେ ରଖିବାକୁ ଚାହିଁଲେ । ମାତ୍ର ଗାନ୍ଧିଜୀ ସେଗୁଡିକୁ ଲୋକମାନଙ୍କ କଲ୍ୟାଣ ପାଇଁ ଏକ ଟ୍ରଷ୍ଟରେ ରଖିବାପାଇଁ ଇଚ୍ଛା ପ୍ରକାଶ କଲେ । ଲୋକ ସେବା ପାଇଁ କାର୍ଯ୍ୟ କରି ଉପହାର ଗ୍ରହଣ କଲେ ସେବାର ମହାନତା କମିଯିବ । ଶେଷରେ ବାଧ୍ୟ ହୋଇ କସ୍ତୁରବା ସ୍ୱାମିଙ୍କ କଥାରେ ରାଜି ହେଲେ । ୧୯୧୪-୧୫ ରେ କସ୍ତୁରବା ଗାନ୍ଧିଙ୍କ ସହ ଭାରତ ଫେରି ଆସିଲେ ଓ ସାବରମତୀ ଆଶ୍ରମରେ ରହିଲେ । ସାବରମତି ଆଶ୍ରମରେ ସମସ୍ତ ଅନ୍ତେବାସୀଙ୍କର ଭଲମନ୍ଦ ଖବର ତାଙ୍କୁ ହିଁ ବୁଝିବାକୁ ପଡିଲା । ଗାନ୍ଧିଙ୍କ ପାଖକୁ ଅସୁଥିବା ଶହ ଶହ ପରିଦର୍ଶକଙ୍କ କଥା ସେ ହିଁ ବୁଝୁଥିଲେ । ସମସ୍ତଙ୍କର ସେ ହୋଇଗଲେ ମାଁ ଭଳି । ୧୯୧୭ ମସିହାରେ ଚମ୍ପାରଣ ଆନ୍ଦୋଳନ ବେଳେ ସେ ଗାନ୍ଧିଙ୍କ ସାଥିରେ ଥିଲେ । ୧୯୨୨ ମସିହାରେ ବୋର୍ଦଳି ଆନ୍ଦୋଳନ ବେଳେ ସେ ମଧ୍ୟ ଯୋଗଦେଇଥିଲେ । ୧୯୩୦ ମସିହାରେ ଦାଣ୍ଡି ଯାତ୍ରା ବେଳେ ସେ ଗାନ୍ଧିଙ୍କ ସାଙ୍ଗରେ ଥିଲେ । ୧୯୩୬ ମସିହାରେ ରାଜକୋଟ ଆନ୍ଦୋଳନରେ ସେ ଭାଗ ନେଇଥିଲେ । ୧୯୪୨ ମସିହାରେ ଭାରତ ଛାଡ ଆନ୍ଦୋଳନ ବେଳେ ସେ ଗାନ୍ଧିଙ୍କ ସହ ଗିରଫ ହୋଇ ପୁନାର ଆଗାଖାଁ ପ୍ୟାଲେସରେ ରହିଲେ । ତାଙ୍କର ପୁରଣା ଶ୍ୱାସ ରୋଗ ବାହିରି ଗଲା । ଜାନୁୟାରୀ ୧୯୪୨ରେ ଦୁଇଥର ହୃଦଘାତର ଶିକାର ହେଲେ । ଗାନ୍ଧି ତାଙ୍କୁ ଏଲୋପାଥି ଔଷଧ ନଦେଇ ପାରମ୍ପାରିକ ଚିକିତ୍ସା କରାଇଲେ । ସରକାରଙ୍କ ଅନୁରୋଧ ସତ୍ୱେ ସେ ଆଧୁନିକ ଚିକିତ୍ସା କରାଇବାକୁ ରାଜି ହେଲେ ନାହିଁ । ଶେଷରେ ୨୨/୦୨/୧୯୪୪ ମସିହା ଦିନ ସଂଧ୍ୟା ୭.୩୫ରେ ତାଙ୍କର ମୃତ୍ୟୁ ଘଟିଲା । ମୃତ୍ୟୁ ପୂର୍ବରୁ ତାଙ୍କ ମୁଣ୍ଡ ଗାନ୍ଧିଙ୍କ କୋଳରେ ରହିଥିଲା ପିଲାମାନଙ୍କ ପ୍ରତି ଗାନ୍ଧିଙ୍କର ଉଦାସିନତା କସ୍ତୁରବାଙ୍କୁ ଅନେକ ଦୁଃଖ ଦେଉଥିଲା । ପିଲା ମାନଙ୍କ ଉପରେ ସେ ଦାରିଦ୍ର‌୍ୟ ଲଦି ଦେଇଥିଲେ । ସେମାନଙ୍କୁ ବିଭିନ୍ନ ଆନ୍ଦୋଳନରେ ପୁରାଇ ଜେଲ ପଠାଉଥିଲେ । ସେମାନଙ୍କୁ ଉଚ୍ଚ ଶିକ୍ଷା ଦେବାରେ ବାଧା ସୃଷ୍ଟି କରୁଥିଲେ । ଅନ୍ୟ ମାନଙ୍କୁ ସୁଯୋଗ ଦେଉଥିଲେ ମଧ୍ୟ ପିଲାମାନଙ୍କ ପ୍ରତି ସେ ବିମୁଖ ଥିଲେ । ଗାନ୍ଧିଙ୍କର ଅବହେଳା ଯୋଗୁଁ ବଡ ପୁଅ ହରିଲାରର ଜୀବନ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଏହା କସ୍ତୁରବାଙ୍କୁ ବହୁତ କଷ୍ଟ ଦେଉଥିଲା ।
ମହା ମାନବ ଗାନ୍ଧିଙ୍କ ସାନିଧ୍ୟ ପାଇଁ ସବୁବେଳେ ବିଭିନ୍ନ ବର୍ଗର ମହିଳାଙ୍କ ଭିଡ ଲାଗୁଥିଲା । ସେମାନେ ଗାନ୍ଧି ଓ କସ୍ତୁରବାଙ୍କ ମଧ୍ୟରେ ଏକ ପ୍ରାଚିର ଭଳି ଠିଆ ହେଉଥିଲୋ ଏହା ମଧ୍ୟ କସ୍ତୁରବାଙ୍କୁ ଆଘାତ ଦେଉଥିଲା । କସ୍ତୁରବାଙ୍କ ମୃତ୍ୟୁପରେ ତାଙ୍କ ସ୍ମୃତିରେ କସ୍ତୁରବା ଗାନ୍ଧି ନେସନାଲ ମେମୋରିଆଲ ଟ୍ରଷ୍ଟ ଫଣ୍ଡ ଗଠିତ ହୋଇଅଛି ଓ ସାରା ଭାରତରେ ଏହା ଗାନ୍ଧି ଚିନ୍ତା ଧାରାର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରିଅଛି । ପୁନାର ଆଗାଖାଁ ପ୍ୟାଲେସରେ ମହାଦେବ ଦେଶାଇଙ୍କ ସହ ତାଙ୍କର ସମାଧି ରହିଅଛି ଓ ୱର୍ଧା ଠାରେ ତାଙ୍କ ସ୍ମୃତିରେ ଭାରତର ପ୍ରଥମ ଗ୍ରାମା­ଳ ମେଡିକାଲ କଲେଜ ସ୍ଥାପିତ ହୋଇଛି । ଗାନ୍ଧିଙ୍କ ଚଷମା ଗାନ୍ଧିଙ୍କ ଚଷମା କହିଲେ ପୃଥିବୀର ପତ୍ୟେକ ଲୋକ ମନକୁ ଗାନ୍ଧି ପିନ୍ଧୁଥିବା ଗୋଲ କାଚର ଚଷମା ଓ ସରୁ ଧାତୁର ଚଷମା ଫ୍ରେମ ମନରେ ଆସିଥାଏ । ମହାତ୍ମା ଗାନ୍ଧି ୧୮୯୦ ମସିହାରେ ପ୍ରଥମେ ଚଷମା ପିନ୍ଧିଥିଲେ । ମାତ୍ର ସେ ଚଷମା ସାହେବ ମାନଙ୍କର ଚଷମା ଥିଲା । ୧୯୨୧ ମସିହାରେ ନଭେମ୍ବର ମାସ ବମ୍ବେ ଠାରେ ଅନଶନରେ ବସିଥିବା ବେଳେ ଗାନ୍ଧୀ ତାଙ୍କର ପ୍ରସିଦ୍ଧ ଚଷମା ପିନ୍ଧିଥିଲେ । ଏଥିରେ ଗୋଲ କାଚ ଲାଗିଥିଲା ଓ ଲୁହାର ଫ୍ରେମ ଥିଲା । ଏହିଭଳି ଚଷମା ସେ ମୃତ୍ୟୁ ପର୍ଯ୍ୟନ୍ତ ପିନ୍ଧୁଥିଲେ । ମୃତ୍ୟୁ ବେଳେ ନାଥୁରାମର ଗୁଳି ମାଡରେ ତାଙ୍କ ଚଷମା ତଳେ ପଡିଗଲା । ସେହି ଚଷମାଟି ମଦୁରାଇର ଗାନ୍ଧି ସଂଗ୍ରହାଳୟରେ ରହିଅଛି । ୧୯୪୬ ମସିହାରେ ଗାନ୍ଧି ସେବାଗ୍ରାମ ରୁ ଦିଲ୍ଲୀ ଗଲାବେଳେ ଚଷମାଟି ଛାଡି ଯାଇଥିଲେ । ସେହି ଚଷମାଟି ସେବାଗ୍ରାମର ବାପୁ କୁଟିରରେ ରହିଅଛି । ବ³ର୍ମାନ ଗାନ୍ଧି ଚଷମା ଏକ ବେଶ ଫେସନରେ ପରିଣତ ହୋଇଗଲାଣି ଓ ବିଖ୍ୟାତ ଉପନ୍ୟାସ ଓ ଚଳଚିତ୍ର ହ୍ୟାରି ପର୍ଟରରେ ହ୍ୟାରି ସେହିଭଳି ଚଷମା ପିନ୍ଧିଅଛି । ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଯୋଜନା ରେ ଗାନ୍ଧିଙ୍କ ଚଷମାକୁ ଆଇକନ ରୁପେ ଗ୍ରହଣ କରା ଯାଇଛି ।

ଡ଼ାକ୍ତର ସୁରେନ୍ଦ୍ରନାଥଦାଶ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ