ଗାନ୍ଧିଜୀଙ୍କ ମହାପ୍ରୟାଣ ଦିବସରେ ମହାତ୍ମାଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ‘ମୋନା’ର ମୌନ ଗଣଧାରଣା
ଭୁବନେଶ୍ୱର, : ଜାତିର ପିତା ମହାତ୍ମାଗାନ୍ଧୀଙ୍କର ପବିତ୍ର ମହାପ୍ରୟାଣ ଦିବସ ଅବସରରେ ମିଳିତ ଓଡିଶା ନିଶାନିବାରଣ ଅଭିଯାନ ତରଫରୁ ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଜନତା ମଇଦାନ (ଗାନ୍ଧୀ ପାର୍କ)ସ୍ଥିତ ଗାନ୍ଧୀମୂର୍ତ୍ତି ନିକଟରେ ଏକ ମୌନ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଏହି ଗଣଧାରଣାରେ ଶତାଧିକ ଗାନ୍ଧୀଦର୍ଶନକୁ ଅନୁସରଣ କରୁଥିବା ଓ ନିଶାନିବାରଣ ସପକ୍ଷବାଦୀ ସମାଜକର୍ମୀ ସାମିଲ ହୋଇଥିଲେ । ଗଣଧାରଣାର ପ୍ରସଙ୍ଗ ସାମ୍ପ୍ରତିକ ସମାଜପାଇଁ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ । ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ନିର୍ବାଚିତ ସରକାର ଗଣତନ୍ତ୍ରକୁ କେବଳ ଭୋଟ ରାଜନୀତି ତଥା ମଦ ଓ ଟଙ୍କା ବାଣ୍ଟି ଭୋଟ ହାତେଇବା ପରିସରରେ ଆବଦ୍ଧ ରଖି ସାମାଜିକ ଅଧୋଗତିକୁ ଆଖିବୁଜି ଚାଲିବା ଦେଶପାଇଁ ଅତ୍ୟନ୍ତ ଘାତକ ସାଜିଛି । ଏହି ରାଜନୈତିକ ଦଳମାନେ ଗାନ୍ଧିଜୀଙ୍କ ନାଁ ବିକି, ଦେଶରେ ଗାନ୍ଧୀ-୧୫୦ ପାଳନ କରିବା କଥାକୁ ବ୍ୟାପକ ପ୍ରଚାର କରି ଜନସାଧାରଣଙ୍କୁ ଭୁତେଇ ଚାଲିବା ଗାନ୍ଧିଜୀଙ୍କ ପ୍ରତି ଚରମ ଶଠତା ବୋଲି ସଂଗଠନର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ରମାକାନ୍ତ ମଣ୍ଡଳ, କାର୍ଯ୍ୟକାରୀ କମିଟି ସଦସ୍ୟ ଅର୍ଜ୍ଜୁନ ସାମନ୍ତରାୟ, ପ୍ରୀତି ନାୟକ, ଇନ୍ଦୁମତୀ ସାହୁ, ମଳୟ ତ୍ରିପାଠୀ, ବାସନ୍ତୀ ଆଚାର୍ଯ୍ୟ, କନକଲତା ଭଞ୍ଜ, କୈଳାସ ମଲ୍ଲିକ, କାହ୍ନୁ ବେହୁରା, ସିଦ୍ଧାର୍ଥ ଦାସ, ଡ.ବିଜୟ ସ୍ୱାଇଁ, ଶାନ୍ତିଲତା ରାଉତରାୟ, ଅମର ପ୍ରଧାନ, ବାଣି ଦାସ, ଅରୁଣ କୁମାର ସାମନ୍ତରାୟ, ଖଗେଶ୍ୱର ଦଳ ପ୍ରମୁଖ ନେତୃତ୍ୱ ନେଇଥିଲେ । ଅଜିତ ତ୍ରିପାଠୀ ସୁଲ୍ଲଳିତ କଣ୍ଠରେ ଗାନ୍ଧୀଙ୍କ ପ୍ରିୟ ସଙ୍ଗୀତ ବଂଶୀବାଦନ ଜରିଆରେ ପରିବେଷଣ କରି ପରିବେଶକୁ ମନ୍ତ୍ରମୁଗଧ କରିଥିଲେ ।


