ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟ ପାଚେରୀ ଫାଟିକି ଦୁଇଫାଳ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଆୟତପୁରସ୍ଥିତ ଗାନ୍ଧିଜୀ ଉଚ୍ଚ ବିଦ୍ୟାଳୟର ପାଚେରୀ ୫-ଟି ଯୋଜନାରେ ପ୍ରାୟ ବର୍ଷକ ତଳେ ନିର୍ମାଣ କରାଯାଇଥିଲା । କିନ୍ତୁ ଏବେ ସେହି ପାଚେରୀ କାନ୍ଥ ଫାଟି ଦୁଇଫାଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଦୈନିକ ଶହ ଶହ ଛାତ୍ରଛାତ୍ରୀ ସେହି ବିଦ୍ୟାଳୟକୁ ପାଠ ପଢିବାକୁ ଆସିଥାନ୍ତି । ପାଚେରୀ କାନ୍ଥର ଅବସ୍ଥା ଏପରି ହୋଇଛି ଯେ କେତେବେଳେ ଯେ ସେହି ପାଚେରୀ କାନ୍ଥ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଭୁଷୁଡି ନପଡିବ ତାହା କହିହେବ ନାହିଁ । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି । କେବଳ ଛାତ୍ରଛାତ୍ରୀ ନୁହନ୍ତି ସେହି ରାସ୍ତା ଦେଇ ଯାଉଥିବା ବାଟୋଇଙ୍କ ଉପରେ ବି ପାଚେରୀ କାନ୍ତ ଭୁଷୁଡି ପଡିବାର ସମ୍ଭାବନା ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିରେ ସେହି ବିଦ୍ୟାଳୟର ପାଚେରୀ ଅସୁରକ୍ଷିତ ଭାବେ ରହଥିବାରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସେହି ପାଚେରୀ କଡ ଦେଇ ଯାଇଥିବା ରାସ୍ତାରେ ଯାଉଥିବା ବାଟୋଇଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀ ଏବଂ ଛାତ୍ରାଭିଭାକମାନଙ୍କ ପକ୍ଷରୁ ପିନାକୀ ସାମନ୍ତରାୟ, ଆର. ଦାସ, ବନିତା ସାମଲ, ଉମେଶ ଦାସ, ଗିରିଶ ଶତପଥୀ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।