ଗାନ୍ଧିମାର୍ଗରେ ସଫେଇ କାର୍ଯ୍ୟକ୍ରମ ସହିତ ୪ ଦଫା ଦାବିରେ ତୁରନ୍ତ ସମାଧାନ ପାଇଁ ନିବେଦନ ଜଣାଇଲା ଗାଁସାଥୀ ସଂଘ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ରାଜରାସ୍ତାରେ ଏବେ ବି ଲଢୁଛି ଗାଁସାଥୀ । ଗତ ୧୧ ବର୍ଷର ଅପେକ୍ଷା ପରେ ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ଗତ ୨୦୦୮ ମସିହାରେ ଶିକ୍ଷାଗତ ଯୋଗ୍ୟତାରେ ଆସି ଏଯାବତ୍ କାର୍ଯ୍ୟରତ ୬୦୧୩୪ ଗାଁସାଥୀ ପରିବାର ଏବେ ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ମାସିକ ୬ ହଜାରରୁ ଊଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ଦାବି କରି ଗତ ୧୧ ଦିନ ଧରି ଲୋୟର ପିଏମ୍ଜିରେ ସଂଗ୍ରାମ ଜାରି ରଖିଛି ଗାଁସାଥୀ(ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ । ଗତକାଲି ପୂର୍ବାହ୍ନରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସଂଘର ଧାରଣାସ୍ଥଳସ୍ଥଳରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ତରଫରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇଥିଲା । ସୂଚନା ଅନୁଯାୟୀ ଗତ ଫେବୃୟାରୀ ୫ ଓ ୯ ତାରିଖରେ ସଂଘର ମାସିକ ପ୍ରୋତ୍ସାହନ ରାଶି ସମେତ ୪ ଦଫା ଦାବିର ତୁରନ୍ତ ସରକାରୀ ସମାଧାନ ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇ ଦିଆଯାଇଛି । ଯଦି ଚଳିତ ଫେବୃୟାରୀ ୧୭ ସୁଦ୍ଧା ସରକାର ସଂଘର ପ୍ରମୁଖ ଦାବି ପୂରଣରେ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବା ସହିତ ଚଳିତମାସ ୧୮ ତାରିଖ ପରେ ସଂଘ ତରଫରୁ ଗଣତାନ୍ତ୍ରିକ ଧାରାରେ ଚରମ ପଦକ୍ଷେପ ନିଆଯିବ ବୋଲି ଗାଁସାଥୀ ସଂଗଠକ ସୌଭାଗ୍ୟ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି । ରାଜ୍ୟର ସମସ୍ତ ଗାଁସାଥୀ ପର୍ଯ୍ୟାୟକ୍ରମେ ଭୁବନେଶ୍ୱର ଧାରଣାସ୍ଥଳରେ ଆସି ଯୋଗଦାନ କରିବା ପାଇଁ ସଂଘର ତରଫରୁ ଆହ୍ୱାନ ଜଣାଇ ଦିଆଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀ ସହିତ ସମଗ୍ର ଲୋୟର ପିଏମ୍ଜିସ୍ଥିତ ଗାନ୍ଧିମାର୍ଗରେ ଏକ ମିଳିତ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ପ୍ରତାପ ମଲ୍ଲିକ, ବିଦ୍ୟାଧର ଭୋଇ, ବିଜୟ ନାଥ, ରମେଶ ମୁଣ୍ଡା, ଅଭୟ କୁମାର ଡ଼ାକୁଆ, ନିକୁଞ୍ଜ ମହାରଣା, ବିଶ୍ୱାମିତ୍ର କହଁର ଓ ଅନ୍ୟ ଶତାଧିକ ଗାଁସାଥୀ ଜିଲ୍ଲା ଓ ବ୍ଲକ ସିଂଗଠକ ଉପସ୍ଥିତ ଥିଲେ ।