ଗାନ୍ଧି-ନେହରୁ ପରିବାର ହାତରୁ ଯିବ ନେତୃତ୍ୱ! ୨ମାସରେ କଂଗ୍ରେସର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ(ଏଜେନ୍ସି): ୨ଠ୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟକୁ ଦୃଷ୍ଟିରେ ରଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଇସ୍ତଫା ଦେବାକୁ ଜିଦ୍ ଧରି ବସିଛନ୍ତି । ଦଳର ବରିଷ୍ଠ ନେତା ତାଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିବା ସତ୍ତେ୍ୱ ରାହୁଲ ଏବେବି ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ସୁତରାଂ ଦଳ ଏବେ ନୂଆ ଅଧ୍ୟକ୍ଷ ଭାବେ ସ୍ଥାନିତ କରିବାକୁ ଚେଷ୍ଟା ଆରମ୍ଭ କରିଛି । ଦଳୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ଗାନ୍ଧି ପରିବାର ବାହାରୁ ହିଁ କେହି ଜଣେ ହେବେ । ସୁତରାଂ ଦଳର ବରିଷ୍ଠ ନେତାମାନେ ଏବେ ପରବର୍ତ୍ତୀ ଅଧ୍ୟକ୍ଷ କାହାକୁ କରାଯିବ, ସେନେଇ ବିଚାରବିମର୍ସ କରିବା ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷେ ପରିବାରର ଅନ୍ୟତମ ସଦସ୍ୟ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯିବନି ବୋଲି ଗାନ୍ଧି-ନେହରୁ ପରିବାର ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ କରିଦିଆଯାଇଛି ।
ପୂର୍ବରୁ କଂଗ୍ରେସ ପକ୍ଷରୁ ଆହୂତ ଏକ ଦଳୀୟ ବୈଠକରେ ରାହୁଲ କହିଥିଲେ ଯେ, କଂଗ୍ରେସ ନେତୃତ୍ୱ ପାଇଁ ପ୍ରିୟଙ୍କାଙ୍କୁ ଟଣାନଯାଉ । ଅନ୍ୟପକ୍ଷରେ ସୋନିଆ ମଧ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଦଳୀୟ କାର୍ଯ୍ୟରେ ପୂର୍ବଭଳି ସକ୍ରିୟ ରହିପାରୁନାହାନ୍ତି । ଏସବୁକୁ ହିସାବକୁ ନେଲେ ଏହା ସ୍ପଷ୍ଟ ଯେ ଗାନ୍ଧି-ନେହରୁ ପରିବାର ମଧ୍ୟରୁ କେହି ଦଳୀୟ ଅଧ୍ୟକ୍ଷ ପଦରେ ରହିବେ ନାହିଁ । ଏପରକି ଯେଉଁ ବରିଷ୍ଠ ବ୍ୟକ୍ତିବିଶେଷଙ୍କ ନାମକୁ ଦଳ ପକ୍ଷରୁ ଅଧ୍ୟକ୍ଷ ଭାବେ ସୁପାରିଶ କରାଯିବ, ଗାନ୍ଧି ପରିବାର ଏହାକୁ ଗ୍ରହଣ କରିବାକୁ ବାଧ୍ୟହେବେ । ଏହି ପରିପ୍ରେକ୍ଷୀରେ ମିଳିଥିବା ଅନ୍ୟ ଏକ ସୂଚନାନୁସାରେ ନୂଆ କଂଗ୍ରେସ ଅଧ୍ୟକ୍ଷ ମହାରାଷ୍ଟ୍ରରୁ ହିଁ କେହି ହେବେ । ଆଗକୁ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହା ଦଳ ପାଇଁ ଶୁଭଙ୍କର ମନେ କରାଯାଉଛି । ଅନ୍ୟ ଏକ ବିକଳ୍ପ ହେଉଛି, ରାହୁଲ ପୁଣି ଦାୟିତ୍ୱ ନେବେ । କାରଣ ଗତ କିଛି ଦିନ ଧରି ନେତୃତ୍ୱ ନାଟକ ଚାଲୁ ରହିଥିବାବେଳେ ବିଭିନ୍ନ ରାଜ୍ୟରେ କଂଗ୍ରେସ ଭିତରେ ଅର୍ନ୍ତକନ୍ଦଳ ଆରମ୍ଭ ହୋଇସାରିଲାଣି । ତେଲେଙ୍ଗାନାରେ ଦଳର ୧୮ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଟିଆରଏସ୍ରେ ମିଶିସାରିଲେଣି । ଆଗାମୀ କିଛି ଦିନ ମଧ୍ୟରେ ଦଳର ନେତୃତ୍ୱ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବା ନିହାତି ଜରୁରି ବୋଲି ଦଳର ବରିଷ୍ଠ ନେତା ଆଶଙ୍କା କରୁଛନ୍ତି । ଏହା ପୂର୍ବରୁ ରାହୁଲ କହିସାରିଛନ୍ତି ସେ ସଂସଦରେ ଦଳର ନେତୃତ୍ୱ ନେବାକୁ ରାଜି କିନ୍ତୁ ଯେତେ ଶୀଘ୍ର ସମ୍ଭବ ନୂଆ ଅଧ୍ୟକ୍ଷ ବଛାଯାଉ । ୨୫ ତାରିଖରେ ହୋଇଥିବା ସିଡବ୍ଲ୍ୟୁସି ବୈଠକରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଦଳର ଫଳାଫଳକୁ ନେଇ ରାହୁଲ ଅସନ୍ତୋଷ ଜାହିର କରିଥିଲେ । ସେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ଆଦି ବରିଷ୍ଠ ନେତାଙ୍କ ଉପରେ ବର୍ଷିଥିଲେ । ସେମାନଙ୍କ ପୁତ୍ର ମୋହ ପାଇଁ ଦଳର ଏପ୍ରକାର ବିପର୍ଯ୍ୟୟ ହୋଇଥିବା ରାହୁଲ ଦୋଷାରୋପ କରିବା ସହ ଏହି ବୈଠକରେ ହିଁ ଇସ୍ତଫା ଦେଇଥିଲେ । ମାତ୍ର ଦଳୀୟ କମିଟି ଏହାକୁ ଗ୍ରହଣ କରିନଥିଲା । ସେ କିନ୍ତୁ ଇସ୍ତଫାକୁ ନେଇ ଅଡ଼ି ବସିଥିବାରୁ ତୁରନ୍ତ ଜଣେ ନୂଆ ଅଧ୍ୟକ୍ଷ ବାଛିବା ଉଚିତ୍ ହେବ ବୋଲି ଦଳର କେନ୍ଦ୍ରୀୟ ନେତୃବୃନ୍ଦ ଅନୁଭବ କରୁଛନ୍ତି ।